ରାୟପୁର: ବୋରୱେଲ ତଳେ ଫସିଛି ୧୧ ବର୍ଷର ବାଳକ। ଛତିଶଗଡ଼ରେ ବୋରୱେଲରେ ଫସିଥିବା ବାଳକର ଉଦ୍ଧାରକାର୍ଯ୍ୟ ଜାରି ରହିଛି। ଦୀର୍ଘ ୩୦ ଘଣ୍ଟାରୁ ଅଧିକ ହେଲାଣି ଚାଲିଛି ରେସ୍କ୍ୟୁ ଅପରେସନ୍। ଛତିଶଗଡ଼ ଜଞ୍ଜଗିର-ଚାମ୍ପା ଜିଲ୍ଲାର ମାଲଖାଦାରୁଆ ଥାନା ଅନ୍ତର୍ଗତ ପିରହ୍ରିଡ୍ ଗାଁରେ ଏକ ବୋରୱେଲ ଭିତରକୁ ବାଳକଟି ଖସି ପଡିଥିଲା। ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍ ଏବଂ ସେନାର ଯବାନଙ୍କୁ ନେଇ ରେସକ୍ୟୁ ଅପରେସନ୍ ଚାଲିଛି।
ପ୍ରାୟ ୮୦ ଫୁଟ ତଳକୁ ଖସି ପଡିଛି ୧୧ ବର୍ଷର ବାଳକ ରାହୁଲ ସାହୁ। ଶୁକ୍ରବାର ଘର ପଛ ପାଖରେ ଖେଳୁଥିଲା ବେଳେ ବାଳକଟି ବୋରୱେଲର ଗାତ ଭିତରକୁ ଖସି ପଡିଥିଲା। ପିଲାଟି ବୋରୱେଲରେ ଖସି ପଡ଼ିଥିଲେ ମଧ୍ୟ କେହି ବି ଜାଣି ପାରି ନଥିଲେ। ଯେତେବେଳେ ପରିବାର ଲୋକେ ପିଲାଟିକୁ ଖୋଜିବାକୁ ବାହାରକୁ ଯାଇଥିଲେ ଓ ପାଟି କରି ଡାକିଥିଲେ ସେତେବେଳେ ବୋରୱେଲ ଗାତ ଭିତରୁ ପିଲାଟିର ସ୍ୱର ଶୁଭିଥିଲା। ତୁରନ୍ତ ପରିବାର ସଦସ୍ୟ ଏହା ଜାଣିପାରି ୧୧୨କୁ ଫୋନ କରି ସହାୟତା ମାଗିଥିଲେ।
ତେବେ ଉକ୍ତ ୧୧ ବର୍ଷର ବାଳକଟିକୁ ନିରାପଦରେ ବାହାରକୁ ଆଣିବା ପାଇଁ ଉଦ୍ଧାର କାର୍ଯ୍ୟ ଏବେବି ଜାରି ରହିଛି। ସିସିଟିଭି ମାଧ୍ୟମରେ ପିଲାଟିର କାର୍ଯ୍ୟକଳାପ ଉପରେ ନଜର ରଖାଯାଉଛି। ତା’ ପାଖକୁ କଦଳୀ, ଫଳ ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ପଠାଯାଉଛି। ପିଲାଟି ପରିବାର ସଦସ୍ୟଙ୍କ ସହ କଥାବାର୍ତ୍ତା ମଧ୍ୟ କରୁଛି। ତା’ସହ ମେଡିକାଲ୍ ଟିମ୍ ନିୟୋଜିତ ହେବା ସହ ଅମ୍ଳଜାନ ସିଲିଣ୍ଡର ରଖି ପାଇପ୍ ମାଧ୍ୟମରେ ଅମ୍ଳଜାନ ଭିତରକୁ ପଠାଯାଉଛି। ଚାରିଆଡେ ବ୍ୟାରିକେଡିଂ ଏବଂ ଆଲୋକୀକରଣ କରି ଉଦ୍ଧାରକାର୍ଯ୍ୟ ଚାଲିଛି।
The post ବୋରୱେଲରେ ଫସିଛି ୧୧ ବର୍ଷର ବାଳକ, ୩୦ ଘଣ୍ଟା ହେଲା ଚାଲିଛି ଅପରେସନ୍ appeared first on Odisha Reporter.
from Odisha Reporter https://ift.tt/TJvd0a4
No comments:
Post a Comment