ପ୍ରଥମେ କହିଥିଲା ମୃତ, ଏବେ ୨୬/୧୧ ମାଷ୍ଟରମାଇଣ୍ଡକୁ ପାକିସ୍ତାନରେ ଜେଲଦଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 24, 2022

ପ୍ରଥମେ କହିଥିଲା ମୃତ, ଏବେ ୨୬/୧୧ ମାଷ୍ଟରମାଇଣ୍ଡକୁ ପାକିସ୍ତାନରେ ଜେଲଦଣ୍ଡ

ଇସଲାମାବାଦ: ପୁଣିଥରେ ପାକିସ୍ତାନର ଦୋମୁହାଁ ନୀତି ସାମ୍ନାକୁ ଆସିଛି। ମୁମ୍ବାଇ ୨୬/୧୧ ଆତଙ୍କୀ ହମଲାର ଅନ୍ୟତମ ମାଷ୍ଟରମାଇଣ୍ଡକୁ ସାଜିଦ ମୀରକୁ ଦୀର୍ଘ ୧୪ ବର୍ଷ ପରେ ଗିରଫ କରିବା ସହ ଜେଲଦଣ୍ଡ ଦେଇଛି ପାକିସ୍ତାନ। ପ୍ରଥମେ ସେ ପାକିସ୍ତାନ ନଥିବା କଥା ଇସଲାମାବାଦ କହିଥିଲେ। ଏହାର କିଛି ବର୍ଷ ପରେ ସେ ପ୍ରାଣ ହରାଇ ସାରିଥିବା ସମଗ୍ର ବିଶ୍ୱକୁ ସୂଚନା ଦେଇଥିଲା। ହେଲେ ଏବେ ଲସ୍କର-ଇ-ତାଏବାର ଦୁର୍ଦ୍ଦାନ୍ତ ଆତଙ୍କବାଦୀ ମୀରକୁ ୧୫ ବର୍ଷର ଜେଲଦଣ୍ଡ ମିଳିଛି।

ଚଳିତ ମାସରେ ଲାହୋରର ଆତଙ୍କବାଦ ନିରୋଧ କୋର୍ଟ ତା’କୁ ୧୫ ବର୍ଷର ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ହିଁ ତା’କୁ ଏପରି ଦଣ୍ଡ ମିଳିଥିବା ଜଣେ ସରକାରୀ ଓକିଲ ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି, ଜେଲ ଦଣ୍ଡ ପାଇଥିବା ମୀରର ବୟସ ପ୍ରାୟ ୪୦। ତା’କୁ ପ୍ରକୃତରେ ଏପ୍ରିଲ ମାସରେ ହିଁ ଗିରଫ କରାଯାଇଥିଲା। ସେବେଠାରୁ ସେ କୋଟ ଲକ୍ଷପତ ଜେଲରେ ରହିଛି। ଏବେ ତା’କୁ ଜେଲଦଣ୍ଡ ସହ ୪୦୦,୦୦୦ରୁ ଅଧିକ ଟଙ୍କାର ଜୋରିମାନା କରାଯାଇଛି। ପୂରା ମାମଲାର ଶୁଣାଣି ଭିଡଓ କନଫରେନ୍ସିଂରେ କରାଯାଇଥିଲା। ସେହିପରି ମିଡିଆକୁ ଶୁଣାଣି ବେଳେ ଅନୁମତି ନଥିଲା ବୋଲି ସେ କହିଛନ୍ତି।

ମୀରକୁ ଜାତିସଂଘ ବିଶ୍ୱସ୍ତରୀୟ ଆତଙ୍କୀ ଘୋଷଣା କରି ସାରିଛି। ସେହିପରି ୪୦ ବର୍ଷୀୟ ମୀର ସମ୍ପର୍କରେ ସୂଚନା ପାଇଁ ଆମେରିକାର ଏଫବିଆଇ ୫ ମିଲିୟନ ଡଲାରର ପୁରସ୍କାର ମଧ୍ୟ ଘୋଷଣା କରିଥିଲା। ଦୀର୍ଘ ୧୪ ବର୍ଷ ହେଲା ମୀର ପାକିସ୍ତାନରେ ଥିଲେ ମଧ୍ୟ ତା’ ବିରୋଧରେ ସରକାର କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିଲେ।

ହେଲେ ଏବେ ଏଫଏଟିଏଫର ଛାଟ ପରେ ପାକିସ୍ତାନ ସରକାର ଆକ୍ସନ ମୋଡକୁ ଆସିଛନ୍ତି। ଆତଙ୍କୀଙ୍କୁ ସହଯୋଗ ଓ ସେମାନଙ୍କ ସଂଗଠନକୁ ପାଣ୍ଠି ଯୋଗାଣ ପାଇଁ ପାକିସ୍ତାନ ଏଫଏଟିଏଫର ଗ୍ରେ ଲିଷ୍ଟରେ ରହିଛି। ଯଦି ଏଗୁଡ଼ିକୁ ଏଫଏଟିଏଫ ଦେଇଥିବା ସମୟ ଅନୁସାରେ ପାକିସ୍ତାନ ବନ୍ଦ ନ କରିବ, ତା’ହେଲେ ଦେଶକୁ କଳା ତାଲିକା ଭୁକ୍ତ କରାଯିବ। ସେହି ଡରରେ ଏବେ ପାକିସ୍ତାନ ମୀରକୁ ଗିରଫ କରିଥିବା କୁହାଯାଉଛି।

ମୀର ଆମେରିକାର ମୋଷ୍ଟୱେଣ୍ଟେଡ ଆତଙ୍କୀ। ଏବେ ସେ ଗିରଫ ହୋଇଥିବାରୁ ତା’କୁ ପାକିସ୍ତାନ ସରକାର ଆମେରିକାକୁ ପ୍ରତ୍ୟର୍ପଣ କରିପାରନ୍ତି। ଏହାପରେ ଆମେରିକାରେ ହିଁ ତା’ର ବିଚାର ହେବ। ୨୬/୧୧ ହମଲାରେ ୬ ଜଣ ଆମେରିକୀୟ ନାଗରିକଙ୍କ ଜୀବନ ଯାଇଥିଲା।

ଏଫବିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମୀର ଏକଦା ଦାଢ଼ି ବଢ଼ାଇବା ସହ ଲମ୍ବା ଚୁଟି ରଖିଥିଲା। ସେ ସିଧାସଳଖ ମୁମ୍ବାଇ ୨୬/୧୧ ହମଲା ପାଇଁ ହୋଇଥିବା ଯୋଜନାରେ ସାମିଲ ଥିଲା ଓ ଏହାକୁ କାର୍ଯ୍ୟକାରୀ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା। ସେ ଅସିଦ୍ଧ ଘୋଷଣା ହୋଇଥିବା ଲସ୍କରର ବିଦେଶୀ ନିଯୁକ୍ତି କଥା ବୁଝୁଥିଲା।

ଏଥିସହ ଆମେରିକା ଆତଙ୍କବାଦୀ ଡାଭିଡ କୋଲେମାନ ହେଡଲୀର ମୁଖ୍ୟ ହ୍ୟାଣ୍ଡଲର ରହିଥିଲା। ଆକ୍ରମଣ ବେଳେ ମୀର କେଉଁଭଳି ଭାବେ ତା’ର ସହଯୋଗୀ ଅବୁ କ୍ୟୁହାଫା ଓ ମଜହର ଇକବାଲ ସହ ଟେଲିଫୋନରେ କଥା ହେଉଥିଲା, ତା’ର ତଥ୍ୟ ଆମେରିକା ପ୍ରସ୍ତୁତ କରିଥିବା ଦସ୍ତାବିଜରେ ରହିଛି।

ଆକ୍ରମଣବେଳେ ଟେଲିଫୋନ ଯୋଗେ ଆକ୍ରମଣକାରୀଙ୍କୁ ପଣବନ୍ଦୀ ହୋଇ ରହିଥିବା ଲୋକଙ୍କୁ ହତ୍ୟା କରିବା, ନିଆଁ ଲଗାଇବା ଓ ଗ୍ରେନେଡ ମାଡ଼ କରିବା ଭଳି ନିର୍ଦ୍ଦେଶ ଦିଆଯାଉଥିଲା। ମୀର କଥାରେ ହେଡଲୀ ନିଜ ନାଁକୁ ଦାଉଦି ଗିଲାନୀରୁ ‘ଡାଭିଡ କୋଲେମାନ ହେଡଲୀ’ କରିଥିଲା। ଏହାଦ୍ୱାରା ସେ ଭାରତରେ ନିଜକୁ ଆମେରିକା ନାଗରିକ ବୋଲି ପ୍ରମାଣ ଦେଇ ସେଠାରେ ଲସ୍କରର କାର୍ଯ୍ୟକଳାପକୁ ଆଗକୁ ନେବାରେ ସମର୍ଥ ହୋଇଥିଲା। ହେଡଲୀକୁ ମୁମ୍ବାଇରେ ଗୋଟିଏ ଇମିଗ୍ରେସନ ଅଫିସ ଖୋଲିବାକୁ ମଧ୍ୟ ମୀର କହିଥିଲା। ଏଥିପାଇଁ ତା’କୁ ୨୫ ହଜାର ଡଲାର ମଧ୍ୟ ଦିଆଯାଇଥିଲା।

୨୦୦୬ ସେପ୍ଟେମ୍ବର ମାସରେ ମୀର ଓ ଆଇଏସଆଇର ମେଜର ଇକବାଲ ମୁମ୍ବାଇରେ ଥିବା ହେଡଲୀକୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନର ଫଟୋ ଉଠାଇବାକୁ କହିଥିଲେ। ଏହାପରେ ସେ ଏଗୁଡ଼ିକର ଫଟୋ ଉଠାଇ ସେମାନଙ୍କ ପାଖକୁ ପଠାଇଥିଲା। ଏହି ଫଟୋକୁ ଆଧାର କରି ସେମାନେ ୨୦୦୮ ନଭେମ୍ବର ୨୬ରେ ମୁମ୍ବାଇରେ ଭୟଙ୍କର ହମଲା କରିଥିଲେ।

The post ପ୍ରଥମେ କହିଥିଲା ମୃତ, ଏବେ ୨୬/୧୧ ମାଷ୍ଟରମାଇଣ୍ଡକୁ ପାକିସ୍ତାନରେ ଜେଲଦଣ୍ଡ appeared first on Odisha Reporter.



from Odisha Reporter https://ift.tt/ivsPKLa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages