ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ଦାମ୍ପତ୍ୟ ଜୀବନକୁ ଛାରଖାର କରିଦେଲା ସନ୍ଦେହ ରୂପି କଳା ବାଦଳ। ଯାହାକୁ ସବୁ ବିପତ୍ତିରୁ ରକ୍ଷା କରିବାକୁ ଅଗ୍ନିକୁ ସାକ୍ଷୀ ରଖି କଥା ଦେଇଥିଲା ସ୍ୱାମୀ, ସାମାନ୍ୟ କଥାରେ ତାକୁ ମରଣାତ୍ମକ ଆକ୍ରମଣ କରିବାକୁ ପଛାଇଲା ନାହିଁ । ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ଘଟାଇଲା ଜଘନ୍ୟ କାଣ୍ଡ । ଶୋଇଥିବା ଅବସ୍ଥାରେ ସ୍ତ୍ରୀ ବେକକୁ କଲା ଛୁରାମାଡ଼ । ମହିଳାଜଣକ ଏବେ ମରଣମୁହଁରେ ପଡ଼ିଥିବା ବେଳେ ଫେରାର ମାରିଛି ସ୍ୱାମୀ। ଏପରି ଅଭାବନୀୟ ଘଟଣା ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ବାହାବଲ ଗାଁରେ ଘଟିଛି।
ଗତ ୧୨ ବର୍ଷ ତଲେ କାନୁଟ ଗାଁର ସୁଧିର ବାଗ, ବାହାବଲ ଗାଁର ହେମ ବାଗଙ୍କୁ ବାହା ହୋଇଥିଲେ । ସେମାନଙ୍କର ଦୁଇଟି ଝିଅ ଅଛନ୍ତି । ଉଭୟଙ୍କ ସୁଖର ସଂସାର ହସଖୁସିରେ ଚାଲିଥିଲା । କିନ୍ତୁ ଧୀରେ ଧୀରେ ନିଜ ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରିବାକୁ ଲାଗିଲେ ସୁଧିର ।
ଗତ ୧୩ ତାରିଖରେ ହେମ ନିଜ ଗାଁର ଜଣେ ପିଲା ସହିତ ଭିଡିଓ କଲ୍ରେ କଥା ହେଉଥିଲେ। ସୁଧିର ଏହା ଦେଖି ଦେବା ସହ ଉକ୍ତ ପିଲା ସହ ହେମଙ୍କର ଅନୈତିକ ସଂପର୍କ ଥିବା ସନ୍ଦେହ କରିଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ସେ ହେମଙ୍କୁ ପ୍ରବଳ ପିଟିଥିଲେ। ପ୍ରାଣ ବିକଳରେ ହେମ ନିଜ ବାପ ଘର ବାହାବଲକୁ ଚାଲିଯାଇଥିଲେ। ଏତିକିରେ ସୁଧିରଙ୍କ ରାଗ ଶାନ୍ତ ହୋଇ ନ ଥିଲା ।
ଗତକାଲି ବିଳମ୍ୱିତ ରାତିରେ ସୁଧିର ଶ୍ୱଶୁର ଘର ବାହାବଲରେ ପହଞ୍ଚି ଯାଇଥିଲେ। ସେଠାରେ ସେ ନିଜ ସ୍ତ୍ରୀକୁ ହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ। ହେମ ଶୋଇଥିବା ସମୟରେ ଛୁରୀ ସାହାଯ୍ୟରେ ତାଙ୍କ ବେକକୁ କାଟି ଦେଇଥିଲା ସୁଧିର । ହେମଙ୍କ ପାଟି ଶୁଣି ତାଙ୍କ ଘର ଲୋକେ ଉଠି ପଡ଼ିବାରୁ ଫେରାର ହୋଇ ଯାଇଥିଲେ ସୁଧିର।
ବାପ ଘର ଲୋକେ ଗୁରୁତର ଅବସ୍ଥାରେ ହେମକୁ ପ୍ରଥମେ କଣ୍ଟାବାଞ୍ଜି ହସପିଟାଲ ଓ ପରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ହେମଙ୍କ ବେକରେ ଗଭୀର ଆଘାତ ଲାଗିଛି । ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।
ଏହି ଘଟଣା ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନାହିଁ। ସେପଟେ ହେମ ଯେଉଁ ପିଲା ସହିତ କଥା ହେଉଥିଲେ, ତା ସହିତ କୌଣସି ଖରାପ ସଂପର୍କ ନଥିବା କହିଛନ୍ତି ।
The post ସନ୍ଦେହୀ ସ୍ୱାମୀର ଜଘନ୍ୟ କାଣ୍ଡ; ମରଣ ମୁହଁରେ ପଡ଼ିଲା ସ୍ତ୍ରୀ appeared first on Odisha Reporter.
from Odisha Reporter https://ift.tt/7eK1Zdn
No comments:
Post a Comment