ମୁମ୍ବାଇ: ଶିବସେନା ନେତୃତ୍ୱରେ ଚାଲିଥିବା ସରକାର ବିରୋଧରେ ବିଦ୍ରୋହ ଘୋଷଣା କରି ଏହାକୁ ଭାଙ୍ଗି ଦେଇଥିବା ଦଳର ବରିଷ୍ଠ ନେତା ଏକନାଥ ସିନ୍ଦେଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଶିବସେନାର ମୁଖ୍ୟ ଉଦ୍ଧବ ଠାକରେ ବିଦ୍ରୋହ ପାଇଁ ଶ୍ରୀ ସିନ୍ଦେଙ୍କୁ ‘ଶିବସେନା ନେତା’ ପଦରୁ ବହିଷ୍କାର କରିଛନ୍ତି। ଏହାର ଅର୍ଥ ସିନ୍ଦେ ଆଉ ଶିବସେନାର କୌଣସି ସଂଗଠନ ସହ ଜଡ଼ିତ ରହିପାରିବେ ନାହିଁ।
ଶ୍ରୀ ସିନ୍ଦେ ମହାରାଷ୍ଟ୍ର ସରକାର ଭାଙ୍ଗିବାରେ ସହାୟତା କରିଥିବାରୁ ତାଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ ପଦ ଦେଇଛି। ସେ ଗୁରୁବାର ଶପଥ ନେବା ପରେ ଶୁକ୍ରବାର ରାତିରେ ଉଦ୍ଧବ ଠାକରେ ତାଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସିନ୍ଦେଙ୍କୁ ଉଦ୍ଧବ ଠାକରେ ଚିଠି ଲେଖି ଅବଗତ କରାଇଛନ୍ତି।
ଚିଠିରେ ସେ କହିଛନ୍ତି ଯେ “ଆପଣ(ଏକନାଥ ସିନ୍ଦେ) ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଅଛନ୍ତି। ଏଥିସହ ଆପଣ ସ୍ୱେଚ୍ଛାକୃତ ଭାବେ ଶିବସେନାର ସଦସ୍ୟତାକୁ ଛାଡ଼ିଛନ୍ତି। ତେଣୁ ଶିବସେନାର ପକଶା ପ୍ରମୁଖ ହିସାବରେ ମତେ ମିଳିଥିବା କ୍ଷମତାକୁ ବ୍ୟବହାର କରି ମୁଁ ଆପଣଙ୍କୁ ଶିବସେନା ନେତା ପଦରୁ ବହିଷ୍କାର କରୁଛି।”
ଶିବସେନାରେ ବିଭିନ୍ନ ପ୍ରକାରର ନିଷ୍ପତ୍ତି ନେବାକୁ ଗୋଟିଏ ୧୧ ଜଣିଆ କମିଟି ରହିଛି। ଏହି ୧୧ ଜଣିଆ କମିଟିରେ ସିନ୍ଦେ ରହିଥିଲେ। ହେଲେ ଏବେ ତାଙ୍କୁ ବହିଷ୍କାର କରାଯାଇଛି। ସିନ୍ଦେଙ୍କ ନେତୃତ୍ୱରେ ଶିବସେନାର ୪୦ ଜଣ ବିଧାୟକ ମହାରାଷ୍ଟ୍ରରେ ଗଠନ ହୋଇଥିବା ମହା ବିକାଶ ଅଘାଡ଼ି ସରକାର ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ।
ଏହି ବିଦ୍ରୋହ ଯୋଗୁ ସରକାର ସଂଖ୍ୟା ଗରିଷ୍ଠତା ହରାଇଥିଲେ। ଶେଷରେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏବେ ସେ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛନ୍ତି।
ତେବେ ଏକନାଥ ସିନ୍ଦେ ନିଜକୁ ପ୍ରକୃତ ଶିବ ସୈନିକ ବୋଲି ଦାବି କରି ଆସୁଛନ୍ତି। ଏଥିସହ ଉଦ୍ଧବ ଠାକରେ ନୁହନ୍ତି ବରଂ ସେ ଓ ତାଙ୍କ ସହ ଥିବା ବିଦ୍ରୋହୀ ବିଧାୟକମାନେ ହିଁ ପ୍ରକୃତ ଶିବସେନା ବୋଲି ସେ କହିଛନ୍ତି। ଏପରି ସ୍ଥିତିରେ ସେନାର କମାଣ ସମ୍ଭାଳିବାକୁ ନେଇ ପରବର୍ତ୍ତୀ ସମୟରେ ଲଢ଼େଇ ଆରମ୍ଭ ହେବାର ସମ୍ଭାବନା ରହିଛି।
ଅନ୍ୟପକ୍ଷରେ ସିନ୍ଦେଙ୍କ ମୁଖପାତ୍ର ଦୀପକ କେସରକର କହିଛନ୍ତି, “ଏପରି ପଦକ୍ଷେପ ଆଦୌ ଆଶ୍ଚର୍ଯ୍ୟଜନକ ନୁହେଁ। ଏହା ସିନ୍ଦେଙ୍କ ଉପରେ କୌଣସି ପ୍ରକାରର ପ୍ରଭାବ ପକାଇ ପାରିବ ନାହିଁ। କାରଣ ସେ ବର୍ତ୍ତମାନ ଶିବସେନାର ବିଧାୟକ ଦଳ ନେତା ଓ ମୁଖ୍ୟମନ୍ତ୍ରୀ। ଶିବସେନାର ଦୁଇ ତୃତୀୟାଂଶ ବିଧାୟକ ସିନ୍ଦେଙ୍କ ସହ ରହିଛନ୍ତି।”
The post ଶିବସେନା ନେତା ପଦରୁ ସିନ୍ଦେ ବହିଷ୍କୃତ appeared first on Odisha Reporter.
from Odisha Reporter https://ift.tt/Z9jg5uO
No comments:
Post a Comment