ନୂଆଦିଲ୍ଲୀ: ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ଗିରଫ ହୋଇଥିବା ପଶ୍ଚିମବଙ୍ଗର ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ କୋଲକାତାର ସ୍ୱତନ୍ତ୍ର କୋର୍ଟ ଅଗଷ୍ଟ ୩ ଯାଏ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ହେପାଜତକୁ ପଠାଇ ଦେଇଛନ୍ତି। ଉଭୟଙ୍କୁ ଅଗଷ୍ଟ ୩ ତାରିଖ ଯାଏ ଇଡିର ଅଧିକାରୀମାନେ ଶିକ୍ଷକ ନିଯୁକ୍ତିରେ ହୋଇଥିବା ଦୁର୍ନୀତି ଘଟଣାରେ ଜେରା କରି ଅଧିକ ତଥ୍ୟ ହାସଲ କରିବେ।
ପାର୍ଥ ଚାଟାର୍ଜୀ ଓ ଅର୍ପିତା ଇଡି ହେପାଜତରେ ରହିବା ସମୟରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପ୍ରତି ୪୮ ଘଣ୍ଟାରେ ଥରେ ଯାଞ୍ଚ କରାଯିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାର ଅର୍ପିତାଙ୍କ ଘରୁ ନଗଦ ୨୦ କୋଟି ଟଙ୍କା ଓ ୧ କୋଟି ଟଙ୍କାର ସୁନା ଅଳଙ୍କାର ଇଡି ଅଧିକାରୀମାନେ ଜବତ କରିଥିଲେ। ଏହି ସମୟରେ ପାର୍ଥ ଚାଟାର୍ଜୀଙ୍କୁ ଜେରା କରାଯାଇଥିଲେ। ଶେଷରେ ଶନିବାର ତାଙ୍କୁ ଗିରଫ କରାଯାଇଥିଲା। ପାର୍ଥ ଗିରଫ ହେବାର ଦିନକ ପରେ ଅର୍ପିତାଙ୍କୁ ମଧ୍ୟ ଇଡି ବାନ୍ଧିଥିଲା।
ଗିରଫ ପରେ ପାର୍ଥ ସ୍ୱାସ୍ଥ୍ୟଗତ ଆଳ ଦେଖାଇ ହସ୍ପିଟାଲରେ ଆଡମିଟ ହେବାକୁ ଚାହିଁଥିଲେ। ତେବେ କ୍ୟାଲକାଟା ହାଇକୋର୍ଟ ତାଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ହସ୍ପିଟାଲ ବଦଳରେ ଭୁବନେଶ୍ୱର ଏମ୍ସକୁ ପଠାଇ ଦେଇଥିଲେ। ଏମ୍ସରେ ଯାଞ୍ଚ ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ଜଣାପଡ଼ିଛି। ସେ ସୁସ୍ଥ ଥିବାରୁ କୋଲକାତାର ସ୍ୱତନ୍ତ୍ର କୋର୍ଟ ତାଙ୍କୁ ଅଗଷ୍ଟ ୩ ତାରିଖ ଯାଏ ଇଡି ହେପାଜତକୁ ପଠାଇଛନ୍ତି। ସୋମବାର ଠାରୁ ପାର୍ଥ ଭୁବନେଶ୍ୱର ଏମସରେ ଥିବାରୁ ଆଜି ହିଁ ତାଙ୍କୁ ଏଠାରୁ ସଲ୍ଟ ଲେକ୍ର ସିଜିଓ କମ୍ପ୍ଲେକ୍ସରେ ଥିବା ଇଡି ଅଫିସକୁ ଅଣାଯିବ।
ପାର୍ଥ ସୁସ୍ଥ ଥିବା ଭୁବନେଶ୍ୱର ଏମ୍ସ କହିଥିବାରୁ ଇଡି ତାଙ୍କୁ ୧୪ ଦିନ ହେପାଜତରେ ନେବାକୁ ଆବେଦନ କରିଥିଲା। ହେଲେ କୋର୍ଟ ତାଙ୍କୁ ୯ ଦିନ ହେପାଜତରେ ନେବାକୁ ଅନୁମତି ଦେଇଛନ୍ତି। ପାର୍ଥ ମଧ୍ୟ ସୋମବାର ଜାମିନ ଆବେଦନ କରିଥିଲେ। ଏହାକୁ ସ୍ୱତନ୍ତ୍ର ଇଡି କୋର୍ଟ ବିଚାରପତି ଜୀବନ କୁମାର ସାଧୁ ଖାରଜ କରିବା ସହ ପାର୍ଥ ଓ ଅର୍ପିତାଙ୍କୁ ଅଗଷ୍ଟ ୩ ତାରିଖ ଯାଏ ଇଡି ହେପାଜତକୁ ପଠାଇ ଦେଇଛନ୍ତି। ରାତି ପ୍ରାୟ ୧୧ଟା ବେଳେ କୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟ ୩ ତାରିଖରେ ପାର୍ଥ ଓ ଅର୍ପିତାଙ୍କୁ ଇଡି କୋର୍ଟରେ ହାଜର କରାଇବ। ପାର୍ଥଙ୍କୁ ୧୪ ଦିନ ଓ ଅର୍ପିତାଙ୍କୁ ୧୩ ଦିନ ପାଇଁ ଇଡି ନିଜ ହେପାଜତକୁ ନେବାକୁ ଆବେଦନ କରିଥିଲା।
The post ଅଗଷ୍ଟ ୩ ଯାଏ ଇଡି ହେପାଜତକୁ ଗଲେ ପାର୍ଥ ଓ ଅର୍ପିତା appeared first on Odisha Reporter.
from Odisha Reporter https://ift.tt/yKhlv8a
No comments:
Post a Comment