ମୁମ୍ବାଇ: ଆସନ୍ତାକାଲି ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ପଦ ପାଇଁ ନିର୍ବାଚନ ହେବ। ଏହାପୂର୍ବରୁ ବିଜେପି କୋଲାବାର ବିଧାୟକ ରାହୁଲ ନରୱେକରଙ୍କୁ ବାଚସ୍ପତି ପଦ ପାଇଁ ମନୋନୀତ କରିଛି। ବିଜେପି ଓ ବିଦ୍ରୋହୀ ଶିବସେନା ପାଖରେ ସଂଖ୍ୟା ଥିବାରୁ ରାହୁଲ ବାଚସ୍ପତି ହେବା ଏକ ପ୍ରକାରର ନିଶ୍ଚିତ। ହେଲେ ବାଚସ୍ପତି ନିର୍ବାଚନକୁ ନେଇ ଉଠିଛି ପ୍ରଶ୍ନ।
ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ପଦ ପାଇଁ ଅନୁଷ୍ଠିତ ନିର୍ବାଚନ ସମ୍ପର୍କିତ ମାମଲା ସୁପ୍ରିମକୋର୍ଟରେ ରହିଛି। ଏପରି ସ୍ଥିତିରେ ରାଜ୍ୟପାଳ ଭଗତ ସିଂହ କୋଶୟାରୀ କେମିତି ନିର୍ବାଚନ ପାଇଁ ଅନୁମତି ଦେଲେ ବୋଲି କଂଗ୍ରେସ ବିଧାୟକ ଦଳ ନେତା ବାଲାସାହେବ ଥୋରାଟ ପ୍ରଶ୍ନ କରିଛନ୍ତି। ପୂର୍ବରୁ ମହା ବିକାଶ ଅଘାଡି ସରକାର କ୍ଷମତାରେ ଥିବା ବେଳେ ରାଜ୍ୟପାଳ କୋଶୟାରୀ ବାଚସ୍ପତି ନିର୍ବାଚନ ପାଇଁ ଧାର୍ଯ୍ୟ ତାରିଖକୁ ଗ୍ରହଣ କରି ନଥିଲେ।
ମାମଲା ସୁପ୍ରିମକୋର୍ଟରେ ଥିବାରୁ ବାଚସ୍ପତି ପଦ ପାଇଁ ନିର୍ବାଚନ ହୋଇ ପାରିବ ନାହିଁ ବୋଲି ସେ କହିଥିଲେ। ବାଚସ୍ପତି ନିର୍ବାଚନ ଆୟୋଜନ କରିବାକୁ ମହା ବିକାଶ ଅଘାଡ଼ି ସରକାରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟପାଳ କୋଶୟାରୀଙ୍କୁ ଚିଠି ଲେଖିଥିଲେ। ଏହାର ଜବାବରେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ସନ୍ତୋଷ କୁମାର କହିଥିଲେ ଯେ ଯେହେତୁ ଏ ସଂକ୍ରାନ୍ତ ମାମଲା କୋର୍ଟରେ ପଡ଼ି ରହିଛି, ତେଣୁ ନିର୍ବାଚନ ପାଇଁ ତାରିଖ ଧାର୍ଯ୍ୟ କରାଯାଇ ପାରିବନି। ଏବେ ବି ମାମଲା କୋର୍ଟରେ ଅଛି। କିନ୍ତୁ ରାଜ୍ୟପାଳ କେମିତି ଜୁଲାଇ ୩ରେ ବାଚସ୍ପତି ନିର୍ବାଚନ ପାଇଁ ଅନୁମତି ଦେଲେ ବୋଲି ଥୋରାଟ ପ୍ରଶ୍ନ କରିଛନ୍ତି।
ବାଚସ୍ପତି ନିର୍ବାଚନକୁ ପାଇଁ ଅନୁମତି ମିଳିଥିବାରୁ ଥୋରାଟ ଆଶ୍ଚର୍ଯ୍ୟ ଚକିତ ମଧ୍ୟ ହୋଇଛନ୍ତି। କେଉଁ ପରିସ୍ଥିତିରେ ରାଜ ଭବନ ପକ୍ଷରୁ ନିର୍ବାଚନ ପାଇଁ ଅନୁମତି ଦିଆଗଲା, ତାହା ସ୍ପଷ୍ଟ କରାଯିବା ଦରକାର ବୋଲି ମଧ୍ୟ ସେ ଦାବି କରିଛନ୍ତି।
ନାନା ପାଟୋଲେ ବାଚସ୍ପତି ପଦ ଛାଡ଼ି ରାଜ୍ୟ କଂଗ୍ରେସର ମୁଖ୍ୟ ହୋଇଥିଲେ। ଏହି କାରଣରୁ ୨୦୨୧ ମସିହା ଫେବୃଆରୀ ୪ରୁ ବିଧାନସଭାର ବାଚସ୍ପତି ପଦ ଖାଲି ପଡ଼ିଛି। ଏହି ସମୟରେ ବାଚସ୍ପତି ନିର୍ବାଚନ ନିୟମରେ କିଛି ସଂଶୋଧନ ଆବଶ୍ୟକ ପଡ଼ିଥିଲା। ଏହାକୁ ଦୃଷ୍ଟିରେ ରଖି ଉପବାଚସ୍ପତି ନରହରି ଜିରୱାଲାଙ୍କ ନେତୃତ୍ୱରେ ଗୋଟିଏ କମିଟି ଗଠନ କରାଯାଇଥିଲା। ଏହି କମିଟି କହିଥିଲେ ଯେ ସିକ୍ରେଟ ବାଲୋଟ ବଦଳରେ ମୁଣ୍ଡ ଗଣତି ଅନୁସାରେ ବାଚସ୍ପତି ନିର୍ବାଚନ ହେବ। ଏହି ନିୟମକୁ ଗୃହରେ ଗ୍ରହଣ ମଧ୍ୟ କରାଯାଇଥିଲା।
ତେବେ ଏହି ନିଷ୍ପତ୍ତିକୁ ବିଜେପି ନେତା ଗିରିଶ ମହାଜନ ପ୍ରଥମେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। କିନ୍ତୁ କୋର୍ଟ ଏହାକୁ ଅଗ୍ରାହ୍ୟ କରି ଶ୍ରୀ ମହାଜନଙ୍କ ଉପରେ ଫାଇନ ଲଗାଇଥିଲେ। ସେ ଏହି ରାୟ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ଏଯାଏ ଏହି ଆବେଦନ ଶୁଣାଣି କରି ନାହାନ୍ତି। ତେଣୁ ପୂର୍ବରୁ କ୍ଷମତାରେ ଥିବା ଏମଭିଏ ସରକାର ବାଚସ୍ପତି ନିର୍ବାଚନ ପାଇଁ କୌଣସି ତାରିଖ ଧାର୍ଯ୍ୟ କରି ପାରି ନଥିଲା।
The post ରାହୁଲ ନରୱେକର ବିଜେପିର ବାଚସ୍ପତି ପ୍ରାର୍ଥୀ, ନିର୍ବାଚନକୁ ନେଇ ଉଠିଲା ପ୍ରଶ୍ନ appeared first on Odisha Reporter.
from Odisha Reporter https://ift.tt/oscHhLk
No comments:
Post a Comment