ନୂଆଦିଲ୍ଲୀ: ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ଲାଞ୍ଚ କାରବାର ସହ ବେନାମୀ ସମ୍ପତ୍ତିର ଅଭିଯୋଗ ଆଣିଥିବା ଅଭିଯୋଗକାରୀଙ୍କୁ ଶକ୍ତ ଝଟକା। ଅଭିଯୋଗ ଆଣିଥିଲେ ମଧ୍ୟ ଆଇନଜୀବୀ ନୀରଜ କୌଣସି ପ୍ରମାଣ ଉପସ୍ଥାପନ କରି ପାରି ନାହାନ୍ତି। ଏଥିପାଇଁ ପୂରା ମାମଲାର ଯାଞ୍ଚ କରୁଥିବା ଦିଲ୍ଲୀ ଲୋକାୟୁକ୍ତ ଆଇନଜୀବୀ ନୀରଜଙ୍କ ଉପରେ ୫୦ ହଜାର ଟଙ୍କାର ଜୋରିମାନା ଲାଗୁ କରିଛନ୍ତି।
ସତ୍ୟେନ୍ଦ୍ର ଜୈନ ବେଆଇନ ସମ୍ପତ୍ତି ରଖିଥିବା ୨୦୧୭ରେ ଆଇନଜୀବୀ ନୀରଜ ଅଭିଯୋଗ କରିଥିଲେ। ଏହାପରେ ସେ ଦିଲ୍ଲୀ ଲୋକାୟୁକ୍ତଙ୍କ ଆଗରେ ହାଜର ହୋଇଥିଲେ। ତେବେ ଯାଞ୍ଚ ବେଳେ ଅଭଯୋଗକାରୀ କୌଣସି ପ୍ରମାଣ ଉପସ୍ଥାପନ କରି ପାରି ନାହାନ୍ତି। ଏଥିପାଇଁ ତାଙ୍କ ଉପରେ ଫାଇନ ଲାଗୁ କରାଯାଇଥିବା ଆମ ଆଦମୀ ପାର୍ଟିର ମୁଖ୍ୟ ମୁଖପାତ୍ର ସୌରଭ ଭରଦ୍ୱାଜ ସୂଚନା ଦେଇଛନ୍ତି।
ସେ କହିଛନ୍ତି, “ଲୋକାୟୁକ୍ତ ଅଭିଯୋଗକାରୀଙ୍କ ଉପରେ ୫୦ ହଜାର ଟଙ୍କା ଫାଇନ ଲଗାଇ ସ୍ପଷ୍ଟ ଭାବେ କହିଛନ୍ତି ଯେ ଆପ ନେତା ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ନିୟମିତ ଭାବେ ଅଭିଯୋଗ କରାଯାଉଛି। କିନ୍ତୁ ଏହି ଅଭିଯୋଗ ଗୁଡ଼ିକର ପ୍ରମାଣ ଉପସ୍ଥାପନ କରାଯାଉନି। କେବଳ ଅଭିଯୋଗ ଆଣିଲେ ହେବନାହିଁ। ଏହାକୁ ପ୍ରମାଣିତ କରିବା ପାଇଁ ଉପଯୁକ୍ତ ଦସ୍ତାବିଜର ଆବଶ୍ୟକ।”
ଜୈନଙ୍କ ଓକିଲ ଅମିତ ଆନନ୍ଦ ତିୱାରୀ କହିଛନ୍ତି, ଦିଲ୍ଲୀ ଲୋକାୟୁକ୍ତ ଅଭିଯୋଗକାରୀଙ୍କୁ ଆସନ୍ତା ଶୁଣାଣି ସୁଦ୍ଧା ଫାଇନ ଦାଖଲ କରିବାକୁ କହିଛନ୍ତି। ସେହିପରି ସେ କରିଥିବା ଅଭିଯୋଗର ପ୍ରମାଣ ଦାଖଲ ପାଇଁ ତାଙ୍କୁ ଶେଷ ସୁଯୋଗ ଦେଇଛନ୍ତି। ଯଦି ସେ ଆସନ୍ତା ଶୁଣାଣି ବେଳକୁ ପ୍ରମାଣ ଦାଖଲ ନ କରିପାରିବେ, ତା’ହେଲେ ଲୋକାୟୁକ୍ତ ଶ୍ରୀ ଜୈନଙ୍କ ବିରୋଧରେ ରୁଜୁ ମାମଲାକୁ ରଦ୍ଦ କରିବେ।
ପ୍ରକୃତରେ ଏହି ମାମଲା ଆପ୍ ଛାଡ଼ି ବିଜେପିରେ ମିଶିଥିବା କପିଲ ମିଶ୍ରାଙ୍କ ସହ ଜଡ଼ିତ। ସେ ୨୦୧୭ରେ ଆପ୍ ଛାଡ଼ିବା ପରେ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ ସତ୍ୟେନ୍ଦ୍ର ଜୈନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ୨ କୋଟି ଟଙ୍କାର ଲାଞ୍ଚ ଦେଇଛନ୍ତି।
ଏହି ଅଭିଯୋଗ ବିରୋଧରେ ଶ୍ରୀ ଜୈନ ୨୦୧୭ ମେ’ ମାସରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏଥିସହ କପିଲ ମିଶ୍ରାଙ୍କ ବିରୋଧରେ ମାନହାନୀ କେସ କରିଥିଲେ। ମାମଲା ହେବାର ପ୍ରାୟ ସାଢ଼େ ୩ ବର୍ଷ ପରେ କପିଲ ମିଶ୍ରା ମିଛ ଅଭିଯୋଗ ଆଣିଥିବା ସ୍ୱୀକାର କରି ଶ୍ରୀ ଜୈନଙ୍କୁ ନିଃସର୍ତ୍ତ କ୍ଷମା ମାଗିଥିଲେ। ସେ କ୍ଷମା ମାଗିବାରୁ ଶ୍ରୀ ଜୈନ ମାନହାନୀ କେସକୁ ପ୍ରତ୍ୟାହାର କରି ନେଇଥିଲେ।
କପିଲ ମିଶ୍ରା କ୍ଷମା ମାଗିବା ପରେ ଓକିଲ ନୀରଜ କୁମାର ଲୋକାୟୁକ୍ତଙ୍କ ଆଗରେ ହାଜର ହୋଇ ଶ୍ରୀ ଜୈନଙ୍କ ବିରୋଧରେ ବେଆଇନ ସମ୍ପତ୍ତି ଠୁଳର ଅଭିଯୋଗ କରିଥିଲେ। ସେବେଠାରୁ ମାମଲା ଲୋକାୟୁକ୍ତଙ୍କ ପାଖରେ ଥିବା ବେଳେ ଆଇନଜୀବୀ ନୀରଜ ଏଯାଏ କୌଣସି ପ୍ରକାରର ପ୍ରମାଣ ଉପସ୍ଥାପନ କରି ପାରି ନାହାନ୍ତି।
The post ଦିଲ୍ଲୀ ମନ୍ତ୍ରୀଙ୍କ ବିରୋଧରେ ପ୍ରମାଣ ଦେଇପାରିଲେନି, ଅଭିଯୋଗକାରୀଙ୍କୁ ୫୦ ହଜାର ଫାଇନ appeared first on Odisha Reporter.
from Odisha Reporter https://ift.tt/LZdjPbC
No comments:
Post a Comment