ବଲାଙ୍ଗିର(ଘଟେଶ୍ୱର ମିଶ୍ର): ନିଷ୍ଠୁର ହେଲା ଭଗବାନ । ଉଜାଡ଼ି ଦେଲା ହସଖୁସିର ସଂସାର । ମାତ୍ର ୩ ଦିନ ବ୍ୟବଧାନରେ ଆଗ ପଛ କରି ହଜିଗଲେ ମା’ର ଦୁଇ ଅନ୍ଧ ଲଉଡ଼ି । ଖାଲି ହୋଇଗଲା କୋଳ । ଯାହାଙ୍କୁ ନେଇ ବାପାମା’ ଦିନରାତି ସ୍ୱପ୍ନ ଦେଖୁଥିଲେ, ଆଖି ପିଛୁଳାକେ ଧୁଳିସାତ ହୋଇଗଲା ସେ ସବୁ ସ୍ୱପ୍ନ । ବଡ଼ ଭାଇର ମୃତ୍ୟୁ ଖବର ଶୁଣି ବିଷ ପିଇଦେଇଥିବା ସାନ ଭାଇ ବି ଆଖି ବୁଜିଦେଲା। ଦେଖୁଦେଖୁ ଚାଲିଗଲେ ୨ ଭାଇ । ବଡ଼ ପୁଅ ମୁହଁରେ ଗତକାଲି ନିଆଁ ଦେଇଥିବା ହତଭାଗା ବାପା ଆଜି ସାନ ପୁଅର ସତ୍କାର କରିବାକୁ କୋକେଇ ସଜାଡ଼ୁଛି।
ଏପରି ହୃଦୟ ବିଦାରକ ଘଟଣା ବଲାଙ୍ଗିର ଜିଲ୍ଲା ବେଲପଡା ଥାନା କୁମ୍ଭାରଖାନ ଗାଁରେ ଘଟିଛି। ୨ ପୁଅଙ୍କ ମୃତ୍ୟୁ ଯୋଗୁ ବାପାମା’ ବାରମ୍ବାର ଚେତାଶୂନ୍ୟ ହୋଇ ପଡ଼ୁଥିବା ବେଳେ ଗାଁ ଲୋକଙ୍କ ଆଖିରୁ ବି ଲୁହ ଶୁଖୁନି । ମୃତକଦ୍ୱୟ ହେଲେ କୁମ୍ଭାରଖାନ ଗାଁର ଅଶ୍ୱିନୀ ପୁଟେଲଙ୍କ ବଡ଼ ପୁଅ ୨୫ ବର୍ଷୀୟ ଦୀପକ ପୁଟେଲ ଓ ସାନ ପୁଅ ୧୪ ବର୍ଷୀୟ ବିଶ୍ୱଜିତ ପୁଟେଲ ।
ଗତ ବୁଧବାର ସନ୍ଧ୍ୟାରେ ଦୀପକ ପୁଟେଲ ଝାଙ୍କ୍ରିପାଲି ଗାଁ ନିକଟରେ ଥିବା ଛେଲିଆମାଲ ଡ୍ୟାମକୁ ମାଛ ମାରିବାକୁ ଯାଇଥିଲେ । ପାଣି ଭିତରେ ପଶି ମାଛ ମାରୁଥିବା ସମୟରେ ଆଉ ବାହାରକୁ ବାହାରିପାରିନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି ପରେ ବି ତାଙ୍କ ସନ୍ଧାନ ପାଇ ନ ଥିଲେ। ଗତକାଲି ଭୋରରୁ ତାଙ୍କ ମୃତଦେହ ପାଣିରେ ଭାସୁଥିଲା । ସ୍ଥାନୀୟ ଲୋକେ ଶବକୁ ଉଦ୍ଧାର କରି ବେଲପଡା ପୁଲିସକୁ ଖବର ଦେଇଥିଲେ । ପୁଲିସ୍ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ବଡଭାଇ ଦୀପକଙ୍କ ମୃତ୍ୟୁ ଖବର ଶୁଣି ଦୁଃଖରେ ଭାଙ୍ଗି ପଡ଼ିଲେ ବିଶ୍ୱଜିତ । ବଡ଼ ଭାଇ ଆଉ ନ ଥିବାରୁ ବଞ୍ଚିବା ଅପେକ୍ଷା ଜୀବନ ହାରିବାକୁ ନିଷ୍ପତ୍ତି ନେଲେ। ଏହାପରେ ସେ ଘରେ ଥିବା ବିଷ ପିଇ ଦେଇଥିଲେ । ବିଷର ଜ୍ୱାଳା ସହି ନ ପାରି ଯନ୍ତ୍ରଣାରେ ଛଟପଟ ହେବାରୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ପାଟଣାଗଡ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ବିଳମ୍ବିତ ରାତିରେ ବିଶ୍ୱଜିତ ବି ଆଖି ବୁଜିଦେଲେ।
ଆଖି ପିଛୁଳାକେ ସଂସାର ଛାରଖାର ହୋଇଯିବା ଘଟଣାକୁ ବିଶ୍ୱାସ କରିପାରୁ ନାହାନ୍ତି ଅଶ୍ୱିନୀ ପୁଟେ ଓ ତାଙ୍କ ପତ୍ନୀ। ଯେଉଁ ପୁଅମାନେ ପରିଣତ ବୟସରେ ସାହା ହେବେ ବୋଲି ଭାବିଥିଲେ ଅଶ୍ୱିନୀ, ସେମାନଙ୍କୁ ଶଶ୍ମାନକୁ ନେବାକୁ ପଡ଼ୁଛି କହି ନିଜ କୋହ ସମ୍ଭାଳି ପାରୁ ନାହାନ୍ତି। ତାଙ୍କ ପତ୍ନୀଙ୍କ ଅବସ୍ଥା ବି ନ କହିଲେ ଭଲ । ଭଗବାନ ମୋ କୋଳ ଖାଲି କରିଦେଲେ, ଆଉ କାହା ପାଇଁ ବଞ୍ଚିବି କହି ଭୂଇଁରେ ଲୋଟି ପଡ଼ୁଛି ହତଭାଗା ମା’ । ଏହାଦେଖି ଗାଁ ଲୋକେ ବି ନିଜ କୋହ ସମ୍ଭାଳି ପାରୁ ନାହାନ୍ତି।
The post ଖାଲି ହୋଇଗଲା ମା’ର କୋଳ; ବଡ଼ ପୁଅ ପରେ ସାନ ପୁଅର କୋକେଇ ସଜାଡ଼ୁଛି ହତଭାଗା ବାପା appeared first on Odisha Reporter.
from Odisha Reporter https://ift.tt/zQKnAH8
No comments:
Post a Comment