ନ୍ୟୁୟର୍କ: ଛୁରା ମାଡ଼ର ଶିକାର ହୋଇଥିବା ଭାରତରେ ଜନ୍ମିତ ବ୍ରିଟିଶ ଲେଖକ ସଲମାନ ରୁଶ୍ଦିଙ୍କ ଅବସ୍ଥା ଗୁରୁତର ରହିଛି। ଛୁରା ମାଡ଼ ପରେ ତାଙ୍କୁ ହେଲିକପ୍ଟର ଯୋଗେ ହସ୍ପିଟାଲ ନିଆଯାଇଥିଲା। ହେଲେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟର୍ରେ ରଖାଯାଇଛି। ସେହିପରି ତାଙ୍କ ବେକ ଓ ଏହାର ଆଖପାଖ ଅଞ୍ଚଳରେ ଛୁରା ମାଡ଼ କରାଯଇଥିବାରୁ ସେ ନିଜର ଗୋଟିଏ ଆଖି ହରାଇ ପାରନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି।
ଶୁକ୍ରବାର ଭାରତୀୟ ସମୟ ରାତି ୮.୩୦ରେ ନ୍ୟୁୟର୍କରରେ ଚାଲିଥିବା ଗୋଟିଏ କାର୍ଯ୍ୟକ୍ରମରେ ରୁଶ୍ଦିଙ୍କୁ ଜଣେ ଯୁବକ ଷ୍ଟେଜ ଉପରେ ଆକ୍ରମଣ କରିଥିଲେ। ରୁଶ୍ଦି ଭାଷଣ ଦେବାକୁ ଯାଉଥିବା ବେଳେ ଯୁବକ ଜଣଙ୍କ ଦୌଡ଼ି ଯାଇ ତାଙ୍କ ପାଖରେ ପହଞ୍ଚି ଯାଇଥିଲେ। ଏହାପରେ ସେ ତାଙ୍କୁ ୧୦ରୁ ୧୫ ମୁଥ ମାରିବା ସହ ବାରମ୍ବାର ଛୁରୀରେ ଆକ୍ରମଣ କରିଥିଲେ। ଯୁବକ ଜଣଙ୍କୁ ପୁଲିସ୍ ଗିରଫ କରିଥିବା ବେଳେ ରୁଶ୍ଦିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ହସ୍ପିଟାଲରେ ଦୀର୍ଘ ଘଣ୍ଟାର ଅପରେସନ ପରେ ରୁଶ୍ଦିଙ୍କୁ ଭେଣ୍ଟିଲେଟର୍ରେ ରଖାଯାଇଛି। ସେ ଏବେ କଥା କହି ପାରୁ ନାହାନ୍ତି। ରୁଶ୍ଦିଙ୍କ ବୁକ୍ ଏଜେଣ୍ଟ ଆଣ୍ଡ୍ର୍ୟୁ ୱିଲେ କହିଛନ୍ତି, “ରୁଶ୍ଦିଙ୍କୁ ନେଇ ଆଦୌ ଭଲ ଖବର ଆସୁନି। ସେ ନିଜର ଗୋଟିଏ ଆଖି ହରାଇ ପାରନ୍ତି। ତାଙ୍କ ବାହୁରି ଥିବା ସ୍ନାୟୁ ଗୁଡ଼ିକ ଗୁରୁତର କ୍ଷତିଗ୍ରସ୍ତ ହୋଇଛି। ତାଙ୍କ ଲିଭର୍ରେ ମଧ୍ୟ ଛୁରୀ ମାଡ଼ ହୋଇଥିବାରୁ ଏହା ନଷ୍ଟ ହେବା ସ୍ଥିତିରେ ରହିଛି।”
୭୫ ବର୍ଷୀୟ ରୁଶ୍ଦି ନିଜର ଲେଖା ପାଇଁ ବେଶ ଖ୍ୟାତି ଅର୍ଜନ କରିଛନ୍ତି। ସେ ନିଜ ବିବାଦୀୟ ଉପନ୍ୟାସ ‘ଦ ସାଟାନିକ୍ ଭର୍ସେସ୍’ ପାଇଁ ଚର୍ଚ୍ଚାକୁ ଆସିଥିଲେ। ସେ ଲେଖା ଜରିଆରରେ ଇସଲାମକୁ ଅପବିତ୍ର କରିଥିବା ଅଭିଯୋଗ ହୋଇଥିଲା। ସ୍ଥିତି ଏପରି ହୋଇଥିଲା ଯେ ୧୯୮୮ରେ ଇରାନରେ ଏହି ବହିକୁ ନିଷିଦ୍ଧ କରାଯାଇଥିଲା। ୧୯୮୯ରେ ଇରାନର ସର୍ବୋଚ୍ଚ ଆଧ୍ୟାତ୍ମିକ ନେତା ଆୟାତୁଲ୍ଲା ରୁହୁଲ୍ଲା ଖୋମିନି ବହି ଲେଖିଥିବା ରୁଶ୍ଦିଙ୍କ ବିରୋଧରେ ଫତୱା ଜାରି କରିଥିଲେ।
ରୁଶ୍ଦିଙ୍କୁ ଯିଏ ହତ୍ୟା କରିବ ତାକୁ ୨.୮ ନିୟୁତ ଡଲାର ପୁରସ୍କାର ଦିଆଯିବ ବୋଲି ସେ ଘୋଷଣା କରିଥିଲେ। ସେବେଠାରୁ ସେ ବେଶ କିଛି ବର୍ଷ ନିଜ ଜୀବନ ବଞ୍ଚାଇବାକୁ ଏଣେତେଣା ଆତ୍ମଗୋପନ କରୁଥିଲେ।
ଏହି ଘଟଣାକୁ ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ଅନେକ ସମୟରେ ତାଙ୍କୁ ହତ୍ୟା ଧମକ ମିଳୁଥିଲା। ଏସବ ଭିତରେ ଶୁକ୍ରବାର ଚୌତୌକ୍ୱା ସ୍ଥିତ ଚୌତୌକ୍ୱା ପ୍ରତିଷ୍ଠାନର ମଞ୍ଚ ଉପରେ ରୁଶଦି ଭାଷଣ ଦେବାକୁ ଯାଉଥିବା ବେଳେ ତାଙ୍କୁ ଜଣେ ଯୁବକ ଛୁରାମାଡ଼ କରିଥିଲା। ଘଟଣା ପରେ ନ୍ୟୁୟର୍କ ଷ୍ଟେଟ ପୁଲିସ୍ ଟ୍ରୁପର ଆକ୍ରମଣକାରୀକୁ ଗିରଫ କରିଛି। ଆକ୍ରମଣ ଜଣକ ହେଲା ୨୪ ବର୍ଷୀୟ ହାଦି ମାତାର। ତା’ ଘର ନ୍ୟୁଜର୍ସି ଫେୟାରଭ୍ୟୁରେ। ସେ ଗୋଟିଏ ପାସ୍ ହାସଲ କରି ରୁଶିଦଙ୍କ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲା। ପୁଲିସ୍ ହାଦିକୁ ଜେରା କରୁଥିବା ବେଳେ ସେ ଆକ୍ରମଣ ପଛର କାରଣ କହିନାହିଁ।
The post ଛୁରା ମାଡ଼ ପରେ ଭେଣ୍ଟିଲେଟରରେ ଲେଖକ ସଲମାନ ରୁଶ୍ଦି, ହରାଇ ପାରନ୍ତି ଗୋଟିଏ ଆଖି appeared first on Odisha Reporter.
from Odisha Reporter https://ift.tt/ycnUorQ
No comments:
Post a Comment