କିଭ୍: ୟୁକ୍ରେନ ଉପରେ ହମଲାକୁ ଆହୁରି ଜୋରଦାର କରିଛି ରୁଷ। ଫେବୃଆରୀ ୨୪ରୁ ଦୁଇ ଦେଶ ମଧ୍ୟରେ ଲଢ଼େଇ ଚାଲିଥିଲେ ମଧ୍ୟ ଏହା ଥମିବାର ନାଁ ଧରୁନି। ଆକ୍ରମଣକୁ ଦେଖି ବୁଧବାର ୟୁକ୍ରେନ ତା’ ସ୍ୱାଧୀନତା ଦିବସ ସମାରୋହ କରି ନଥିଲା। ହେଲେ ସ୍ୱାଧୀନତା ଦିବସରେ ରୁଷ ସେନା ୟୁକ୍ରେନର ଗୋଟିଏ ରେଳ ଷ୍ଟେସନ ଉପରେ ଘନଘନ ରକେଟ ମାଡ଼ କରିଛି।
ଏଥିରେ ଏଯାଏ ୨୨ ଜଣ ସାଧାରଣ ଲୋକଙ୍କ ଜୀବନ ଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଏ ସମ୍ପର୍କରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କି କହିଛନ୍ତି। ଆକ୍ରମଣ ସମ୍ପର୍କରେ ସେ ଭିଡିଓ କନଫରେନ୍ସିଂ ଜରିଆରେ ଜାତିସଂଘ ସୁରକ୍ଷା ପରିଷଦକୁ ମଧ୍ୟ ଅବଗତ କରାଇଛନ୍ତି। ପୂର୍ବରୁ ଚଳିତ ସପ୍ତାହରେ ରୁଷ କୌଣସି ଭୟଙ୍କର ହମଲା କରିପାରେ ବୋଲି ଜେଲେନସ୍କି ସମସ୍ତକୁ ସତର୍କ କରାଇଥିଲେ। ସତକୁ ସତ ରୁଷ ବୁଧବାର ସାଧାରଣ ଲୋକଙ୍କୁ ଟାର୍ଗେଟ କରି ରକେଟ ମାଡ଼ କରିଛି।
ଏହି ଭୟଙ୍କର ଆକ୍ରମଣ ୩,୫୦୦ ଜଣ ଲୋକ ରହୁଥିବା ଡିନପ୍ରୋପେଟ୍ରୋସ୍କ ରିଜନର ଚାପଲୟନ ସହରରେ ହୋଇଛି। ରାଷ୍ଟ୍ରପତି ଭବନରୁ ମିଳିଥିବା ତଥ୍ୟ ଅନୁସାରେ ରୁଷର ରକେଟ ମାଡ଼ରେ ଜଣେ ୧୧ ବର୍ଷୀୟ ପିଲାର ଜୀବନ ଯାଇଛି। ରୁଷ ଘନଘନ ରକେଟ ମାଡ଼ ଯୋଗୁ ଗୋଟିଏ ଟ୍ରେନର ୫ଟି ବଗି ଛିନଛତ୍ର ହୋଇଯାଇଛି। ସେହିପରି ୨୨ ଜଣଙ୍କ ଜୀବନ ଯାଇଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ମେଡିକାଲ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି। ସାଧାରଣ ଲୋକଙ୍କ ଉପରେ ହମଲାକୁ ରାଷ୍ଟ୍ରପତି ଭବନ ପକ୍ଷରୁ ନିନ୍ଦା କରାଯାଇଛି। ରେଳ ଷ୍ଟେସନ ବ୍ୟତୀତ ରୁଷ ପକ୍ଷରୁ ପୂର୍ବ, ପଶ୍ଚିମ ଓ କେନ୍ଦ୍ରୀୟ ୟୁକ୍ରେନର ବିଭିନ୍ନ ସହରରେ ମଧ୍ୟ ଜୋରଦାର ହମଲା କରିଥିବା ଖବର ମିଳିଛି।
୧୯୯୧ରେ ୟୁକ୍ରେନ ସୋଭିଏତ ୟୁନିୟନରୁ ଅଲଗା ହୋଇ ସ୍ୱାଧୀନତା ପାଇଥିଲା। ବୁଧବାର ଦେଶର ସ୍ୱାଧୀନତା ଦିବସ ଥିଲେ ମଧ୍ୟ ରୁଷର ଆକ୍ରମଣ ଭୟରେ କୌଣସି ପ୍ରକାରର କାର୍ଯ୍ୟକ୍ରମ ଆୟୋଜନ କରାଯାଇ ନଥିଲା। ସେହିପରି ଲୋକଙ୍କୁ ଗୋଟିଏ ସ୍ଥାନରେ ଏକାଠି ହେବାକୁ ବାରଣ କରାଯାଇଥିଲା। ବୁଧବାର ମଧ୍ୟ ରୁଷ-ୟୁକ୍ରେନ ଯୁଦ୍ଧକୁ ୬ ମାସ ପୂରିଛି। ୬ ମାସ ହେଲା ୟୁକ୍ରେନ ଉପରେ ରୁଷ ହମଲା କରି ପୂରା ଦେଶକୁ ଛିନଛତ୍ର କରି ସାରିଲାଣି। ତଥାପି ୟୁକ୍ରେନ ହାର ମାନିବା ମୁଡରେ ନାହିଁ।
The post ରେଳ ଷ୍ଟେସନରେ ଭୟଙ୍କର ରକେଟ ମାଡ଼, ୨୨ ମୃତ appeared first on Odisha Reporter.
from Odisha Reporter https://ift.tt/J2jOMz3
No comments:
Post a Comment