ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସକ୍ରିୟ ମୌସୁମୀ ଓ ଏକାଧିକ ଲଘୁଚାପ ଯୋଗୁ ରାଜ୍ୟରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ଜୁନ ୧ରୁ ଅଗଷ୍ଟ ୨୧ ମଧ୍ୟରେ ରାଜ୍ୟର ସ୍ୱାଭାବିକ ଠାରୁ ୧୫% ଅଧିକ ବର୍ଷା ହୋଇଥିବା ଆଜି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି।
ଚଳିତ ମୌସୁମୀ ସିଜନର ଆରମ୍ଭରୁ ଭଲ ବର୍ଷା ହୋଇ ନଥିଲା। ହେଲେ ଏବେ ବଙ୍ଗୋପସାଗରରେ ବାରମ୍ବାର ଲଘୁଚାପ ସୃଷ୍ଟି ହେବାରୁ ବର୍ଷାର ପରିମାଣ ବଢ଼ିଛି। ସେହିପରି ଲଘୁଚାପ ଯୋଗୁ ମୌସୁମୀ ମଧ୍ୟ ସକ୍ରିୟ ହୋଇଛି। ସ୍ଥିତି ଏପରି ହୋଇଛି ଯେ ଉପକୂଳ ଠାରୁ ଆରମ୍ଭ କରି ଉତ୍ତର ଓଡ଼ିଶାର ଏକାଧିକ ଜିଲ୍ଲାରେ ଭୟଙ୍କର ବନ୍ୟା ସମସ୍ୟା ଦେଖାଯାଇଛି।
ଜୁଲାଇ ମାସରେ ପାଗ ମୁଖ୍ୟତଃ ଶୁଖିଲା ରହିଥିଲା। କିନ୍ତୁ ଅଗଷ୍ଟ ପ୍ରଥମ ସପ୍ତାହରୁ ହିଁ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବର୍ଷା ହେଉଛି। ଏଥିଯୋଗୁ ରାଜ୍ୟରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଜୁନ୍ ୧ରୁ ଅଗଷ୍ଟ ୨୧ ମଧ୍ୟରେ ମୋଟ ୯୩୪.୨ ମିଲିମିଟର ବର୍ଷା ସମଗ୍ର ରାଜ୍ୟରେ ହୋଇଛି। ଏହି ସମୟରେ ସାଧାରଣତଃ ୮୧୧.୯ ମିମି ବର୍ଷା ରେକର୍ଡ ହେବା କଥା। କିନ୍ତୁ ଚଳିତ ଥର ସ୍ୱାଭାବିକ ଠାରୁ ୧୫% ଅଧିକ ବର୍ଷା ରେକର୍ଡ କରାଯାଇଛି। କନ୍ଧମାଳ ଜିଲ୍ଲାରେ ସବୁଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ଏଠାରେ ସ୍ୱାଭାବିକ ଠାରୁ ଅଧିକ ୭୩% ବର୍ଷା ରେକର୍ଡ ହୋଇଛି।
ଏହାପଛକୁ ବୌଦ୍ଧରେ ସ୍ୱାଭାବିକ ଠାରୁ ଅଧିକ ୬୨% ବର୍ଷା ରେକର୍ଡ କରାଯାଇଛି। ସେହିପରି ଦେବଗଡ଼ରେ ୪୦%, ଢେଙ୍କାନାଳରେ ୨୯%, ଜଗତସିଂହପୁରରେ ୨୧%, ନୟାଗଡ଼ରେ ୨୨%, ନୂଆପଡ଼ାରେ ୨୦%, କୋରାପୁଟରେ ୩୦%, ରାୟଗଡ଼ାରେ ୩୩% ଓ ଗଜପତିରେ ସ୍ୱାଭାବିକ ଠାରୁ ୨୦% ଅଧିକ ବର୍ଷା ହୋଇଛି। ରାଜ୍ୟର ବାକି ୨୦ ଜିଲ୍ଲାରେ ସ୍ୱାଭବିକ ବର୍ଷା ହୋଇଥିବା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
୧ ଜୁନ ୧୦୨୨ ରୁ ୨୧ ଅଗଷ୍ଟ ୨୦୨୨ ମଧ୍ୟରେ ରାଜ୍ୟରେ ୯୩୪.୨ ମିମି ବର୍ଷା ରେକର୍ଡ କରାଯାଇଛି ଯାହାକି ଏହି ସମୟର ସ୍ୱାଭାବିକ ବର୍ଷା ୮୧୧.୯ ମିମି ତୁଳନାରେ ୧୫% ଅଧିକ ରହିଛି,
ଏହି ସମୟ ମଧ୍ୟରେ ବୌଦ୍ଧ (+୬୨%) ଏବଂ କନ୍ଧମାଳ(+୭୩%) ରେ ସ୍ୱାଭାବିକ ଠାରୁ ଅତ୍ୟଧିକ ବର୍ଷା ରେକର୍ଡ ହୋଇଛି pic.twitter.com/hTGH9lBa3U
— Meteorological Centre, Bhubaneswar (@mcbbsr) August 22, 2022
ଅନ୍ୟପକ୍ଷରେ ଅଗଷ୍ଟ ୨୩ରୁ ପୁଣି ବର୍ଷାର ପରିମାଣ ବୃଦ୍ଧି ପାଇବାର ସମ୍ଭାବନା ଥିବା କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। କେନ୍ଦ୍ର ପକ୍ଷରୁ ଜାରି ବୁଲେଟିନରେ କୁହାଯାଇଛି ଯେ ୨୩ରୁ ୨୪ ତାରିଖ ଭିତରେ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ଭଦ୍ରକ, ଯାଜପୁର, ଢେଙ୍କାନାଳ, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼ା, ଗଞ୍ଜାମ, କନ୍ଧମାଳ, ଗଜପତି, ରାୟଗଡ଼ା ଓ କଳାହାଣ୍ଡି ରହିଛି।
୨୪ରୁ ୨୫ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ଏହି ଜିଲ୍ଲାଗୁଡ଼ିକ ହେଲା ଗଜପତି, ଗଞ୍ଜାମ, ଢେଙ୍କାନାଳ, ଅନୁଗୁଳ, କନ୍ଧମାଳ, ବୌଦ୍ଧ, ସୋନପୁର, ବଲାଙ୍ଗିର, କଳାହାଣ୍ଡି, ରାୟଗଡ଼ା, କରୋପୁଟ, ନୂଆପଡ଼ା, ନବରଙ୍ଗପୁର, ମାଲକାନଗିରି। ଏ ସମସ୍ତ ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
The post ରାଜ୍ୟରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା, କନ୍ଧମାଳରେ +୭୩% ବର୍ଷିଛି appeared first on Odisha Reporter.
from Odisha Reporter https://ift.tt/4nthuZC
No comments:
Post a Comment