ଲଣ୍ଡନ: ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମୃତ୍ୟୁ ପରେ ତାଙ୍କ ବଡ ପୁଅ ଚାର୍ଲସଙ୍କୁ ତୁରନ୍ତ ରାଜା ଭାବେ ଘୋଷଣା କରାଯାଇଛି। ଏହି ଅବସରରେ ନିଜ ପ୍ରଥମ ରାଷ୍ଟ୍ରୀୟ ଅଭିଭାଷଣରେ ନିଜ ମା’ଙ୍କୁ ମନେ ପକାଇ ଖୁବ୍ ଭାବବିହ୍ୱୋଳ ହୋଇ ପଡ଼ିଛନ୍ତି କିଙ୍ଗ୍ ଚାର୍ଲସଙ୍କୁ । ଏଥିସହ ନିଜ ତଥା ନିଜ ପରିବାର ପାଇଁ ରାଣୀ ଏଲିଜାବେଥ ଦ୍ୱିତୀୟ ପ୍ରେରଣାର ଉତ୍ସ ଥିଲେ ବୋଲି ସେ କହିଛନ୍ତି । ଏଥିସହ ମା’ଙ୍କୁ ଧନ୍ୟବାଦ ଜଣାଇ ଥ୍ୟାଙ୍କ ୟୁ, ଡାର୍ଲିଂ ମାମା ବୋଲି କହିଛନ୍ତି କିଙ୍ଗ୍ ଚାର୍ଲସ ।
ଏହି ଅବସରରେ ସେ କହିଛନ୍ତି, ସବୁ ପରିବାର ସଦସ୍ୟ ଯେପରି ନିଜ ମା’ଙ୍କ ନିକଟରେ ଚୀର ଋଣୀ, ଆମେ ବି ସେମିତି ଆମ ମା’ ତଥା ମହାମହିମ ମହାରାଣୀଙ୍କ ନିକଟରେ ସବୁଠୁ ଅଧିକ ଋଣୀ। ତାଙ୍କ ନିଧନ ହେତୁ ମୋ’ ସମେତ ସମୁଦାୟ ରାଜ ପରିବାର ଖୁବ୍ ମର୍ମାହାତ ଅଛନ୍ତି। କିନ୍ତୁ ଏହାସତ୍ତ୍ୱେ ଆପଣମାନଙ୍କ ନିମନ୍ତେ ପୂର୍ବରୁ କରିଥିବା ଆଜୀବନ ସେବାର ପ୍ରତିଜ୍ଞାକୁ ମୁଁ ଆଜି ପୁଣି ଥରେ ପୁନରାବୃତ୍ତି କରୁଛି।
ଏହି ଅବସରରେ କିଙ୍ଗ୍ ଚାର୍ଲସ ଉଲ୍ଲେଖ କରିଛନ୍ତି ଯେ, ୧୯୪୭ ମସିହାରେ ମହାରାଣୀ ନିଜ ୨୧ ତମ ଜନ୍ମଦିନରେ କେପଟାଉନରେ ଏକ କମନୱେଲଥ ଗେମ୍ ପ୍ରସାରଣରେ ଯୋଗ ଦେଇଥିଲେ। ଏହି ସମୟରେ ଜୀବନ ଛୋଟ ହେଉ କିମ୍ବା ଲମ୍ବା ନିଜ ଲୋକଙ୍କ ସେବାରେ ଉତ୍ସର୍ଗ କରିବାକୁ ସେ ପ୍ରତିଶ୍ରୁତି ଦେଇଥିଲେ । ଯେଉଁ ପ୍ରତିଶ୍ରୁତିକୁ ସେ ସାରା ଜୀବନ ପାଳନ କରିଥିଲେ। ଏହା ଏକ ଗଭୀର ବ୍ୟକ୍ତିଗତ ପ୍ରତିବଦ୍ଧତା ଥିଲା ଯାହା ତାଙ୍କ ସମଗ୍ର ଜୀବନକୁ ପରିଭାଷିତ କରିଥିଲା ।
ଏଥିସହ ସେ କହିଛନ୍ତି, ରାଣୀ ଏଲିଜାବେଥ ଦ୍ୱିତୀୟ ସବୁବେଳେ ନିଜ କର୍ତ୍ତବ୍ୟକୁ ପ୍ରାଥମିକତା ଦେଇଛନ୍ତି। ତାହା ପରିବର୍ତ୍ତନ ଏବଂ ପ୍ରଗତି ତଥା ଆନନ୍ଦ ଏବଂ ଉତ୍ସବର ସମୟ ହେଉ ବା ଦୁଃଖ ଏବଂ କ୍ଷତିର ସମୟ, ସେ ନିଜ କର୍ତ୍ତବ୍ୟରୁ କେବେ ଓହରି ନାହାନ୍ତି ।
୯୬ ବର୍ଷ ବୟସରେ ରାଣୀ ଏଲିଜାବେଥ ଗତ ଗୁରୁବାର ସ୍କଟଲ୍ୟାଣ୍ଡ ରାଜପ୍ରସାଦରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ବ୍ରିଟିଶ ରାଜପ୍ରସାଦ ପକ୍ଷରୁ ତାଙ୍କ ପରଲୋକ ଖବରକୁ ଔପଚାରିକ ଭାବେ ଘୋଷଣା କରାଯିବା ପରେ ବିଭିନ୍ନ ରାଷ୍ଟ୍ରମୁଖ୍ୟ ଗଭୀର ଶୋକ ପ୍ରକଟ କରିଛନ୍ତି। ଭାରତ ପକ୍ଷରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବହୁ ବିଶିଷ୍ଟ ନେତା ଗଭୀର ଶୋକ ପ୍ରକାଶ କରିଛନ୍ତି। ଏଥିସହ ରାଣୀ ଏଲିଜାବେଥଙ୍କ ସମ୍ମାନର୍ଥେ ଦେଶରେ ଆସନ୍ତକାଲି ରାଷ୍ଟ୍ରୀୟ ଶୋକ ପାଳନ କରାଯିବ ବୋଲି ଜଣାଯାଇଛି।
ରାଣୀ ଏଲିଜାବେଥଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ଚାର୍ଲସଙ୍କୁ ଦେଶର ପରବର୍ତ୍ତୀ ରାଜା ଭାବେ ଘୋଷଣା କରାଯାଇଥିବା ବେଳେ ତାଙ୍କ ପତ୍ନୀ କାମିଲାଙ୍କୁ ମିଳିଛି ରାଣୀ ଉପାଧୀ। ବ୍ରିଟେନର ନୂଆ ରାଜା ଚାର୍ଲସ ବିନା ପାସପୋର୍ଟରେ ଯେକୌଣସି ଦେଶ ଭ୍ରମଣ କରିପାରିବା ସହ ଅନ୍ୟ ବହୁ ସୁବିଧା ପାଇପାରିବେ। ସେହିପରି କାମିଲା ମଧ୍ୟ ବିଶ୍ୱର ସବୁଠୁ ଦାମୀ ହୀରା କୋହିନୂରକୁ ନିଜ ମଥାରେ ସଜ୍ଜିତ କରିପାରିବେ।
କିଙ୍ଗ ଚାଲର୍ସ ଇଂଲଣ୍ଡର ରାଜା ବୋଲି ଘୋଷିତ ହେବା ପରେ ‘ପ୍ରିନ୍ସ’ ଉପାଧୀ ତାଙ୍କ ବଡ଼ପୁଅ ଉଇଲିୟମଙ୍କୁ ପ୍ରଦାନ କରାଯାଇଛି। ଫଳରେ ଉଇଲିୟମ ଓ ତାଙ୍କ ପତ୍ନୀ କେଟ୍ ମେଡିଲଟନ ଏବେଠୁ ପ୍ରିନ୍ସ ଓ ପ୍ରିନ୍ସେସ ଭାବେ ଘୋଷିତ ହେବେ।
ଦୀର୍ଘ ୭୦ ବର୍ଷ ରାଜକୀୟ ଶାସନ ଭାର ସମ୍ଭାଳିବା ପରେ ନିଜ ମୃତ୍ୟୁ ପୂର୍ବରୁ ରାଣୀ ଏଲିଜାବେଥ୍ ଗତ ଫେବୃୟାରୀରେ ନିଜ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏବ ବିବୃତି ପ୍ରକାଶ କରିଥିଲେ। ଏହି ବିବୃତିରେ ଚାର୍ଲସ ଓ କାମିଲାଙ୍କ ପାଇଁ ନିଜ ହୃଦୟ ଖୋଲା ରଖିବା ପାଇଁ ସେ ଦେଶବାସୀଙ୍କୁ ଆହ୍ୱାନ ଦେଇଥିଲେ। ଏଥିସହ ସେ ଦେଶବାସୀଙ୍କୁ ସମ୍ବୋଧନ କରି କହିଥିଲେ, ଆପଣମାନେ ମୋତେ ଦୀର୍ଘ ୭୦ ବର୍ଷ ଧରି ଯେଉଁପରି ଭଲ ପାଇବା, ସହଯୋଗ ଯୋଗାଇ ଆସିଛନ୍ତି, ମୋ ପୁଅ ପ୍ରିନ୍ସ ଚାର୍ଲସ ଓ ତାଙ୍କ ପତ୍ନୀ କାମିଲାଙ୍କୁ ମଧ୍ୟ ସମାନ ଭଲ ପାଇବା ଦେବେ ବୋଲି ଆଶା କରୁଛି।
The post ଭାବବିହ୍ୱୋଳ ହେଲେ କିଙ୍ଗ୍ ଚାର୍ଲସ, କହିଲେ-ଥ୍ୟାଙ୍କ ୟୁ, ଡାର୍ଲିଂ ମାମା appeared first on Odisha Reporter.
from Odisha Reporter https://ift.tt/UIy6Xg7
No comments:
Post a Comment