ମୋହନା(ମିହିର ଜତି): ପୁଲିସ୍ ମିଥ୍ୟା ମାମଲାରେ ଫସାଉଥିବା କହି ତାତିଲେ ଆଦିବାସୀ ଲୋକେ। ଥାନାରେ ପଶିଲେ, ପୁଲିସ୍କୁ ନିର୍ଧୂମ ପିଟିଲେ। ବ୍ୟାପକ ଜିନିଷ ଭଙ୍ଗାରୁଜା କଲେ। ଦୀର୍ଘ ସମୟ ଥାନା ପରିସରରେ ଚାଲିଲା ଆତଙ୍କରାଜ । ଆଦିବାସୀଙ୍କ ଏପରି ଉଗ୍ର ରୂପ ଦେଖି ଛତ୍ର ଭଙ୍ଗ ଦେଇ ବହୁ ପୁଲିସ୍ କର୍ମୀ ବିଭିନ୍ନ ଆଡ଼େ ଲୁଚିଲେ। ଏପରିକି କିଛି ସମୟ ପାଇଁ ଥାନା ପୁଲିସ୍ଶୂନ୍ୟ ହୋଇଯାଇଥିବା ଜଣାଯାଇଛି। ଏପରି ଅଭାବନୀୟ ଘଟଣା ଆଜି ସକାଳେ ଗଜପତି ଜିଲ୍ଲା ଅଡ଼ବା ଥାନା ପରିସରରେ ଦେଖିବାକୁ ମିଳିଥିଲା।
ଗଜପତିର ଅଡ଼ବା ଥାନା ପୋଲିସ ଗତକାଲି ଝରଣପୁର ଗାଁରେ ରାତି ଅଧିଆ ଚଢ଼ାଉ କରିଥିଲା। ସେଠାରୁ ପୁଲିସ୍ ବିଶ୍ୱନାଥ ଭୂୟାଁ ନାମକ ବ୍ୟକ୍ତିଙ୍କୁ ଉଠାଇ ଆଣିଥିଲା। ବିଶ୍ୱନାଥଙ୍କୁ ଗଞ୍ଜେଇ ଚାଲାଣ ମାମଲାରେ ଗିରଫ କରାଯାଇଥିବା ପୁଲିସ୍ କହୁଥିବା ବେଳେ ଗ୍ରାମବାସୀ କିନ୍ତୁ ଏହାକୁ ମାନିବାକୁ ରାଜି ନୁହନ୍ତି । ତାଙ୍କୁ ମିଥ୍ୟା ଅଭିଯୋଗରେ ଫସାଇ ଦିଆଯାଉଥିବା କହିଛନ୍ତି ଗ୍ରାମବାସୀ।
ତେଣୁ ତୁରନ୍ତ ତାଙ୍କୁ ମୁକୁଳାଇବାକୁ ଦାବି କରି ଆଜି ସକାଳ ପ୍ରାୟ ୯ଟାରେ ଶତାଧିକ ଗ୍ରାମବାସୀ ଥାନା ସମ୍ମୁଖରେ ପହଞ୍ଚି ଧାରଣାରେ ବସିଥିଲେ। ମାତ୍ର କିଛି ସମୟ ପରେ ପୁଲିସ୍ ସହ ବଚସା ହେବାରୁ ତାତିଲେ ଲୋକେ। ଏପରିକି ଶତାଧିକ ସଂଖ୍ୟାରେ ଲୋକେ ଥାନା ଭିତରକୁ ଧସେଇ ପଶିଲେ। ଗୋଡ଼ାଇ ଗୋଡ଼ାଇ ପୁଲିସ୍ କର୍ମୀଙ୍କୁ ପିଟିଲେ। ଥାନାରେ କିଛି ସମୟ ପର୍ଯ୍ୟନ୍ତ ଆଦିବାସୀଙ୍କ ଦମନଲୀଳା ଚାଲିଲା। ଉତ୍ତ୍ୟକ୍ତ ଲୋକେ ବହୁ ମୂଲ୍ୟର ଆସବାବପତ୍ର ଭାଙ୍ଗି ଚୁରମାର କରି ଦେଇଛନ୍ତି।
ଆଦିବାସୀଙ୍କ ଏପରି ଉଗ୍ର ରୂପ ଦେଖି ପୁଲିସ୍ କର୍ମଚାରୀ ଛତ୍ରଭଙ୍ଗ ଦେଲେ। କିଛି ସମୟ ପାଇଁ ଥାନା ହୋଇଗଲା ପୁଲିସ୍ ଶୂନ୍ୟ। ଆଦିବାସୀଙ୍କ ଆକ୍ରମଣରେ ପ୍ରାୟ ୮ ଜଣ ପୁଲିସ୍ କର୍ମଚାରୀ ଆହତ ହୋଇଥିବା ଜଣାଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ମୋହନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟମାନେ ଲୋକଙ୍କ ଭୟରେ ଲୁଚି ରହିଥିବା ଜଣାଯାଇଛି।
ଏତିକିରେ ରାଗ ଶାନ୍ତ ନ ହେବାରେ ଆଦିବାସୀମାନେ ନିକଟରେ ଥିବା ପୁଲିସ୍ କ୍ୱାର୍ଟର୍ସରେ ପଶି ସେମାନଙ୍କ ପରିବାର ସଦସ୍ୟଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ଖବର ପାଇ ମୋହନା ବିଡିଓ, ଏସଡିପିଓ, ବ୍ଳକ ଚେୟାରମ୍ୟାନ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଜନପ୍ରତିନିଧୀଙ୍କୁ ନେଇ ବୈଠକ ବସୁଥିବା ବେଳେ ଘଟଣାର ଶାନ୍ତି ସମାଧାନ ପାଇଁ ଉଦ୍ୟମ ଚାଲିଥିବା ଏସ୍ଡିପିଓ କହିଛନ୍ତି ।
ଅପରପକ୍ଷେ, ମିଥ୍ୟା ମାମଲାରେ ଫସାଇଥିବା ବିଶ୍ୱନାଥଙ୍କୁ ପୁଲିସ୍ ଛାଡ଼ିବା ସହ ତାଙ୍କ ନାମରେ ଥିବା ମାମଲା ପ୍ରତ୍ୟାହାର ନ କଲେ ଥାନା ଭାଙ୍ଗିଦେବୁ ବୋଲି ଧମକ ଦେଇଛନ୍ତି ବିକ୍ଷୋଭକାରୀ।
The post ଥାନା ହୋଇଗଲା ପୁଲିସ୍ଶୂନ୍ୟ, ଗୋଡ଼ାଇ ଗୋଡ଼ାଇ ପିଟିଲେ ଆଦିବାସୀ appeared first on Odisha Reporter.
from Odisha Reporter https://ift.tt/mdWnX7z
No comments:
Post a Comment