ଆଡିଲେଡ: ଆଉ କିଛି ସମୟ ପରେ ଆଡିଲେଡ ଓଭାଲରେ ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ। ଚଳିତ ଟି-୨୦ ବିଶ୍ୱକପ ଫାଇନାଲ ଟିକେଟ ହାତେଇବାକୁ ଦୁଇ ଦେଶ ଆଡିଲେଡ ଓଭାଲ ପଡ଼ିଆକୁ ଓହ୍ଲାଇବେ। ପ୍ରଥମ ସେମି ଫାଇନାଲ ଜିତି ପାକିସ୍ତାନ ଫାଇନାଲରେ ପ୍ରବେଶ କରି ସାରିଛନ୍ତି।
ଆଜି କ୍ରିକେଟ ଫ୍ୟାନ୍ସ ଭାରତର ବିଜୟ କାମନା କରୁଛନ୍ତି। ଯଦି ଭାରତ ଜିତିବ, ତା’ହେଲେ ୨୦୦୭ ଟି-୨୦ ବିଶ୍ୱକପର ପୁନରାବୃତ୍ତି ଦେଖିବାକୁ ମିଳିବ। ୨୦୦୭ରେ ଭାରତ ଓ ପାକିସ୍ତାନ ଟ୍ରଫି ପାଇଁ ମୁହାଁମୁହିଁ ହୋଇଥିଲେ। ପାକିସ୍ତାନକୁ ହରାଇ ଭାରତ ବିଶ୍ୱକପ ଜିତିଥିଲା।
ଏଥର ମଧ୍ୟ ଭାରତୀୟ କ୍ରିକେଟ ଫ୍ୟାନ୍ସ ସମାନ ଆଶା ରଖିଛନ୍ତି। ହେଲେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ଜିତିବା ସେତେଟା ସହଜ ହେବନି। ପାକିସ୍ତାନ ଫାଇନାଲକୁ ଯାଇଥିବାରୁ ଭାରତ ଅତିରିକ୍ତ ଚାପରେ ରହିବ। ଏହାର ଫାଇଦା ଜୋଶ ବଟଲର ଆଣ୍ଡ କୋ ଉଠାଇବା ଲକ୍ଷ୍ୟରେ ରହିଛନ୍ତି।
୨୦୧୩ ଚାମ୍ପିୟନ୍ସ ଟ୍ରଫି ପରଠାରୁ ଭାରତ ଏଯାଏ କୌଣସି ସୀମିତ ଓଭର ଆଇସିସି ଟୁର୍ଣ୍ଣାମେଣ୍ଟ ଜିତି ନାହିଁ। ସେହିପରି ଅଧା ଦଶନ୍ଧି ହେଲା ଟିମ ଇଣ୍ଡିଆ ଆଇସିସି ଇଭେଣ୍ଟର କୌଣସି ସେମି ଫାଇନାଲ ମ୍ୟାଚ୍ ଜିତିନି। ଶେଷଥର ପାଇଁ ୨୦୧୭ ଚାମ୍ପିୟନ୍ସ ଟ୍ରଫି ସେମି ଫାଇନାଲରେ ଭାରତ ବର୍ମିଂହାମରେ ବାଂଲାଦେଶକୁ ହରାଇଥିଲା। ହେଲେ ଏଥର ଦଳ ପାଖରେ ସୁଯୋଗ ରହିଛି। ଇଂଲଣ୍ଡକୁ ପରାସ୍ତ କରି ଭାରତ ଏହି ଇତିହାସକୁ ବଦଳାଇବା ଲକ୍ଷ୍ୟରେ ରହିଛି।
ରେକର୍ଡ ଉପରେ ନଜର ପକାଇଲେ ଭାରତର ପଲ୍ଲା ସାମାନ୍ୟ ଭାରୀ ରହିଛି। ଇଂଲଣ୍ଡ ବିପକ୍ଷରେ ଭାରତ ଏଯାଏ ୧୨ଟି ଟି-୨୦ ଜିତିଥିବା ବେଳେ ଇଂଲଣ୍ଡ ୧୦ଟି ମ୍ୟାଚ୍ରେ ବାଜିମାତ କରିଛି। ସେହିପରି ଟି-୨୦ ବିଶ୍ୱକପରେ ୨ ଦଳ ୩ଥର ମୁହାଁମୁହିଁ ହୋଇଛନ୍ତି। ଏହା ମଧ୍ୟରୁ ଭାରତ ୨ଟି ଓ ଇଂଲଣ୍ଡ ଗୋଟିଏ ମ୍ୟାଚ୍ ଜିତିଛି। ଆଇସିସି ଟି-୨୦ ରାଙ୍କିଙ୍ଗରେ ଭାରତ ୧ନଂ ସ୍ଥାନରେ ଓ ଇଂଲଣ୍ଡ ୨ନଂ ସ୍ଥାନରେ ରହିଛି।
ତେଣୁ ଦୁଇ ଟପ୍ ଟିମ ମଧ୍ୟରେ ଆଜି ଲଢ଼େଇ ଜୋରଦାର ହେବ। ଚଳିତ ବିଶ୍ୱକପ ଉପରେ ନଜର ପକାଇଲେ ଇଂଲଣ୍ଡ ଗ୍ରୁପ ୧ରୁ ଦ୍ୱିତୀୟ ଦଳ ଭାବେ ଓ ଭାରତ ଗ୍ରୁପ ୨ରୁ ୧ନଂ ଦଳ ଭାବେ ସେମି ଟିକେଟ ହାତେଇଛି। ଇଂଲଣ୍ଡ ପକ୍ଷରୁ ଆଜି ଷ୍ଟାର ବ୍ୟାଟର ଡାୱିଡ ମଲାନ ଖେଳିବେ ନାହିଁ। ସେହିପରି ଦ୍ରୁତ ବୋଲର ମାର୍କ ଉଡ୍ ମଧ୍ୟ ଆହତ ହୋଇଛନ୍ତି। ତେଣୁ ଏହାର ଫାଇଦା ଭାରତୀୟ ଖେଳାଳିମାନେ ଉଠାଇବାକୁ ଚାହିଁବେ।
ଅନ୍ୟପକ୍ଷରେ ଭାରତର ଟିମ କମ୍ବିନେସନ ଉପରେ ସମସ୍ତଙ୍କ ନଜର ରହିଛି। ଉଭୟ ଦିନେଶ କାର୍ତ୍ତିକ ଓ ଋଷଭ ପନ୍ତ ଆଜିର ମ୍ୟାଚ୍ ଖେଳିବେ ନା ଅକ୍ଷର ପଟେଲଙ୍କ ସ୍ଥାନରେ ହର୍ଷଲ ପଟେଲଙ୍କୁ ଅତିରିକ୍ତ ବୋଲର ଭାବେ ନିଆଯିବ, ତା’ ଉପରେ ମ୍ୟାନେଜମେଣ୍ଟ ବିଚାର ବିମର୍ଶ କରୁଛି।
The post ଟି-୨୦ ବିଶ୍ୱକପ: ଆଜି ଭାରତ-ଇଂଲଣ୍ଡ ଟକ୍କର appeared first on Odisha Reporter.
from Odisha Reporter https://ift.tt/4LQ3qVT
No comments:
Post a Comment