ରାଜ୍ୟରେ ଡ୍ରାଇଭର ମହାସଂଘର ଷ୍ଟ୍ରିଅରିଂ ଛାଡ଼ ଆନ୍ଦୋଳନର ଅଧିକ ପ୍ରଭାବ ପେଟ୍ରୋଲ ପମ୍ପ ଉପରେ ପଡ଼ିଛି। ଦୁଇଦିନର ଆନ୍ଦୋଳନ ଯୋଗୁଁ ବିଭିନ୍ନ ପେଟ୍ରୋଲ ପମ୍ପରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି। ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ପେଟ୍ରୋଲ ପମ୍ପରେ ଭିଡ଼ ଦେଖିବାକୁ ମିଳିଥିବା ବେଳେ ଆଜି ସକାଳେ ମଧ୍ୟ ଭିଡ଼ ଦେଖିବାକୁ ମିଳିଛି। କାଳେ ତେଲ ସରିଯିବ, ସେହି ଆଶଙ୍କାରେ ସେମାନେ ଆଗୁଆ ନିଜ ନିଜ ଗାଡ଼ିରେ ତେଲ ପକାଇବାକୁ ଭିଡ଼ ଲଗାଇଛନ୍ତି।
ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ଟ୍ୟାଙ୍କରଗୁଡ଼ିକ ଯାଇ ଆସି ପାରୁନି। କାଳେ ପେଟ୍ରୋଲ ଅଭାବ ଦେଖା ଦେବ, ଲୋକଙ୍କୁ ସେହି ଡର ଲାଗିଛି। ତେଣୁ ଲୋକଙ୍କ ଏହି ଭିଡ଼ ଦେଖା ଦେଇଛି । କେତେକ ସ୍ଥାନରେ ପେଟ୍ରୋଲ ପମ୍ପରେ ତେଲ ପୁରା ସରିଯାଇଥିବାର ସୂଚନା ମିଳିଛି । ଆନ୍ଦୋଳନ ଜାରି ରହିଲେ, ତେଲ ଟ୍ୟାଙ୍କରକୁ ଛଡ଼ା ନ ଗଲେ ଆଗକୁ ସମସ୍ୟା ହୋଇପାରେ ବୋଲି ଡିଲର ସଂଘ ତରଫରୁ କୁହାଯାଇଛି।
ଜଣେ ମହିଳା କହିଛନ୍ତି, ଭୁବନେଶ୍ୱରର ୨ଟି ପେଟ୍ରୋଲ ପମ୍ପ ବୁଲିବା ପରେ ଏହି ପେଟ୍ରୋଲ ପମ୍ପରେ ତେଲ ମିଳିଲା। ଭୁବନେଶ୍ୱରର କେତେକ ପେଟ୍ରୋଲ ପମ୍ପରେ ତେଲ ସରି ଯାଇଛି।
ସୂଚନାଯୋଗ୍ୟ, ରାଜ୍ୟର ପ୍ରାୟ ୨ଲକ୍ଷ ଡ୍ରାଇଭର ଗତ ଦୁଇଦିନ ଧରି ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରୁଥିବାବେଳେ ସରକାର ଗତକାଲି ସେମାନଙ୍କର ୧୦ଦଫା ଦାବି ପୂରଣ ପାଇଁ ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି। ଆସନ୍ତା ୩ମାସ ସୁଦ୍ଧା ସେମାନଙ୍କର ଦାବି ପୂରଣ କରାଯିବ ବୋଲି ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ଲିଖିତ ଭାବେ ଡ୍ରାଇଭର ଏକତାମଂଚକୁ ଚିଠି ଲେଖି ଜଣାଇଛନ୍ତି। ତେବେ ସରକାରଙ୍କ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ପରେ ଡ୍ରାଇଭରମାନଙ୍କ ପରବର୍ତ୍ତୀ ଆଭିମୁଖ୍ୟ କ’ଣ ହେବ ତାହା ଏପର୍ଯ୍ୟନ୍ତ ଜଣାପଡ଼ିନି ।
ଅନ୍ୟପକ୍ଷରେ ସୁନ୍ଦରଗଡ଼ ଓ ସୁବର୍ଣ୍ଣପୁରରେ ଜିଲ୍ଲାରେ ଏବେବି ଆନ୍ଦୋଳନ ଚଳାଇଛନ୍ତି ଡ୍ରାଇଭର। ବିଭିନ୍ନ ସ୍ଥାନରେ ଜାତୀୟ ରାଜପଥ ସମେତ ଅନ୍ୟ ମୁଖ୍ୟ ରାସ୍ତା ଅବରୋଧ କରି ଆନ୍ଦୋଳନ କରୁଛନ୍ତି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/Q3rJ0c4
No comments:
Post a Comment