ଭୋଜି ଖାଇ ଫେରିବା ବେଳେ ଘଟିଲା ମର୍ମନ୍ତୁଦ ଦୁର୍ଘଟଣା। ବିଳମ୍ବିତ ରାତିରେ ଏକ କେନାଲକୁ ବର ଯାତ୍ରୀ ଗାଡ଼ି ଖସି ପଡ଼ିବାରୁ ଅକାଳରେ ଚାଲି ଗଲା ୭ ଜୀବନ । ଏହି ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଛନ୍ତି। ଏପରି ଏକ ଅଭାବନୀୟ ଘଟଣା ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର ଜିଲ୍ଲା ଶାସନ କେନାଲ ନିକଟରେ ଘଟିଛି। ସମସ୍ତ ମୃତାହତ ଝାରସୁଗୁଡ଼ା ଲଖନପୁର ବ୍ଲକ ବଡ଼ଧରା ଗାଁର ବୋଲି ସୂଚନା ମିଳିଛି।
ବଡ଼ଧରା ଗାଁର ଜଣେ ଯୁବକଙ୍କର ପରମାଣୁପୁରର ଜଣେ ଯୁବତୀଙ୍କ ସହ ବିବାହ ସ୍ଥିର ହୋଇଥିଲା। ଗତକାଲି ରାତିରେ ଏକ କାର୍ ଯୋଗେ ୧୧ ଜଣ ବର ଯାତ୍ରୀ ପରମାଣୁପୁରକୁ ଯାଇଥିଲେ। ସେମାନେ ଭୋଜି ଖାଇ ରାତି ପ୍ରାୟ ୧ଟା ପରେ ଘରକୁ ଫେରୁଥିଲେ। ମାତ୍ର ଶାସନ ରାସ୍ତାରେ ଗାଡ଼ିଟି ଭାରସାମ୍ୟ ହରାଇ କେନାଲ ଭିତରକୁ ଖସି ପଡ଼ିଥିଲା।
ଉକ୍ତ ସମୟରେ ଗାଡ଼ି ଆଗରେ ଥିବା ୩ ଜଣ ପାଣିରୁ ବାହାରି ଆସିଥିବା ବେଳେ ଅନ୍ୟମାନେ ବାହାରି ପାରି ନ ଥିଲେ। ବହୁ ସମୟ ପରେ ସ୍ଥାନୀୟ ଲୋକେ ପହଞ୍ଚି ଗାଡ଼ିରେ ଫସିଥିବା ଅନ୍ୟମାନଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ୬ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ବର ଯାତ୍ରୀ ଗାଡ଼ି ଚଳାଉଥିବା ଡ୍ରାଇଭରଙ୍କ ପତ୍ତା ମିଳିପାରିନି।
ଉଦ୍ଧାର କାର୍ଯ୍ୟରେ ଡେରି ହେବାରୁ ୭ ଜଣଙ୍କ ମୃତ୍ୟୁ ହେଲା ବୋଲି ସଂପର୍କୀୟମାନେ ଅଭିଯୋଗ କରିଛନ୍ତି। ଏଥିସହ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ କି ଅକ୍ସିଜେନ ମିଳିପାରିନଥିଲା ବୋଲି ବି ସେମାନେ କହିଛନ୍ତି। ତୁରନ୍ତ ଚିକିତ୍ସା ସୁବିଧା ମିଳିପାରିଥିଲେ ହୁଏତ କିଛି ଜଣ ବଞ୍ଚି ଯାଇପାରିଥାନ୍ତେ ବୋଲି ସେମାନେ କ୍ଷୋଭର ସହ କହିଛନ୍ତି ।
ଖବର ପାଇ ପୁଲିସ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ମଧ୍ୟରେ ୨ ଭାଇ ଥିବା ଜଣାଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ପରମାଣୁପୁର ଗାଁରେ ଶୋକର ଛାୟା ଖେଳି ଯାଇଛି।
ରିପୋର୍ଟ: ସମ୍ବଲପୁରରୁ ସଞ୍ଜୟ ଜେନା
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/ZKWo6rC
No comments:
Post a Comment