ମଧ୍ୟପ୍ରଦେଶର ଡିଣ୍ଡୋରି ଜିଲ୍ଲାରେ ଗଣ ବିବାହ ପୂର୍ବରୁ ଗର୍ଭ ଟେଷ୍ଟ କରାଯାଇଛି। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ସାମିଲ ହୋଇ ଗଣ ବିବାହ କରିବାକୁ ଯାଉଥିବା ମହିଳାମାନେ ଗର୍ଭବତୀ ଅଛନ୍ତି କି ନାହିଁ, ତା’ର ଟେଷ୍ଟ କରାଯାଇଛି। ଏହାକୁ ନେଇ ଏବେ ବିବାଦ ଦେଖାଯାଇଛି।
ଜିଲ୍ଲାପାଳ ବିକାଶ ମିଶ୍ରା ଉକ୍ତ ଘଟଣାକୁ ଖଣ୍ଡନ କରି ନଥିଲେ ହେଁ ସିକେଲ ସେଲ ଆନେମିଆ ସ୍କ୍ରିନିଂ ବେଳେ ଗର୍ଭଧାରଣ ସମ୍ପର୍କରେ ସୂଚନା ମିଳିଛି। ସେ କହିଛନ୍ତି, “ଗଣ ବିବାହ କରୁଥିବା ହିତାଧିକାରୀଙ୍କ ସିକେଲ ସେଲ ଆନେମିଆ ଟେଷ୍ଟ କରାଯାଇଥିଲା। ନିୟମ ଅନୁସାରେ ଏପରି କରାଯାଇଛି।
ଏହି ସମୟରେ ୫ ଜଣ ମହିଳା ଡାକ୍ତରଙ୍କୁ କହିଥିଲେ ଯେ ସେମାନଙ୍କ ଋତୁଶ୍ରାବ ଠିକ ସମୟରେ ହୋଇନାହିଁ । ଏହାପରେ ଡାକ୍ତର ସମସ୍ତଙ୍କର ପରିସ୍ରା ଟେଷ୍ଟ କରିଥିଲେ। ଏହି ସମୟରେ ୫ ମହିଳା ଗର୍ଭ ଧାରଣ କରିଥିବା ଜଣାପଡ଼ିଥିଲା। ଡାକ୍ତର ଏକଥା କହିବା ପରେ ସେମାନଙ୍କୁ ଗଣ ବିବାହରେ ସାମିଲ କରାଯାଇ ନଥିଲା। ସେମାନଙ୍କୁ ଗର୍ଭ ପରୀକ୍ଷା କରିବାକୁ କୁହାଯାଇ ନଥିଲା। ଡାକ୍ତର ଓ ହିତାଧିକାରୀମାନଙ୍କ କଥାବାର୍ତ୍ତା ପରେ ସବୁ କିଛି କରାଯାଇଥିଲା। ବାକି ୨୧୯ ଯୋଡ଼ା ଦମ୍ପତିଙ୍କ ଗଣବିବାହ କରାଯାଇଛି।”
ଗର୍ଭବତୀ ଥିବା ଜଣାପଡ଼ିବା ପରେ ଗଣ ବିବାହରରୁ ବଞ୍ଚିତ ହୋଇଥିବା ଜଣେ ମହିଳା କହିଛନ୍ତି, “ମୋର ସବୁ ଟେଷ୍ଟ ଶେଷ ହୋଇଥିଲା ଓ ମୋତେ ବାହାଘର ପାଇଁ ପ୍ରସ୍ତୁତ ହେବାକୁ କୁହାଯାଇଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ମୋ ନାଁ ତାଲିକାରେ ନଥିବା ଜଣାପଡ଼ିଥିଲା। ୫ ମାସ ହେଲାଣି ମୁଁ ଜଣେ ପୁରୁଷଙ୍କ ସହ ରହୁଛି। ମୁଁ ବାହା ହେବାକୁ ଚାହୁଁଥିଲି। ହେଲେ ବାହାଘର ପୂର୍ବରୁ ମୁଁ ଗର୍ଭବତୀ ଥିବା ଜଣାପଡ଼ିଥିଲା। ତେଣୁ ମୋ ନାଁକୁ କାଟି ଦିଆଯାଇଛି।”
ବିରୋଧୀ କଂଗ୍ରେସ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି। ରାଜ୍ୟ କଂଗ୍ରେସ ମୁଖିଆ କମଲନାଥ କହିଛନ୍ତି, “୨୦୦ ଜଣ ମହିଳାଙ୍କ ଗର୍ଭ ପରୀକ୍ଷା କରାଯାଇଥିବା ରିପୋର୍ଟ ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନାରେ ସାମିଲ ହୋଇ ଗଣ ବିବାହ କରିବାକୁ ଆସିଥିବା ମହିଳାଙ୍କ ସହ ଏପରି କରାଯାଇଛି।
ଏହା ସତ କି ମିଛ, ସେକଥା ମୁଁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଜାଣିବାକୁ ଚାହୁଁଛି। ଯଦି ଏହା ସତ, ତା’ହେଲେ କେଉଁ ଉଦ୍ଦେଶ୍ୟରେ ମହିଳାମାନଙ୍କୁ ଏପରି ଅପମାନିତ କରାଯାଇଛି। କ’ଣ ଗରିବ ଓ ଆଦିବାସୀ ସଂପ୍ରଦାୟର ମହିଳାମାନଙ୍କ ସମ୍ମାନ ନାହିଁ?”
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/3Yik6O0
No comments:
Post a Comment