ମୁକୁଳିବା ପରେ ଅଧିକ ଆକ୍ରମଣାତ୍ମକ ହେଲେ ରେସଲର, କହିଲେ- ସରିନି ଆମ ଆନ୍ଦୋଳନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 29, 2023

ମୁକୁଳିବା ପରେ ଅଧିକ ଆକ୍ରମଣାତ୍ମକ ହେଲେ ରେସଲର, କହିଲେ- ସରିନି ଆମ ଆନ୍ଦୋଳନ

ରାଜଧାନୀ ଦିଲ୍ଲୀର ଛାତି ଉପରେ ଥିବା ଜନ୍ତରମନ୍ତର ଗତକାଲି ରଣକ୍ଷେତ୍ର ପାଲଟି ଯାଇଥିଲା। ସେଠାରେ ମୁହାଁମୁହିଁ ହୋଇଥିଲେ ଦିଲ୍ଲୀ ପୁଲିସ୍‌ ଓ ଆନ୍ଦୋଳନରତ ରେସଲର । ଗତକାଲି ନୂତନ ସଂସଦ ଭବନ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଚାଲିଥିବା ବେଳେ ତାହା ସମ୍ମୁଖରେ ମହିଳା ମହାପଞ୍ଚାୟତ କରିବାକୁ ରେସଲରମାନେ ଆଗେଇ ଚାଲିଥିବା ବେଳେ ସେମାନଙ୍କୁ ଉଠାଇ ନେଇଥିଲା ପୁଲିସ୍‌।

ଦିଲ୍ଲୀ ପୁଲିସ୍‌ ଗତକାଲି ସମୁଦାୟ ୭ଶହ ଜଣଙ୍କୁ ଉଠାଇ ନେଇଥିବା ବେଳେ ଏହାକୁ ନେଇ ସମଗ୍ର ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଶେଷରେ ପୁଲିସ୍ ଗତକାଲି ସନ୍ଧ୍ୟାରେ ଭିନେଶ ଫୋଗଟ, ସାକ୍ଷୀ ମଲ୍ଲିକଙ୍କ ସମେତ ସମସ୍ତ ମହିଳା ରେସଲରଙ୍କୁ ଛାଡ଼ି ଦେଇଛି। ଏଥିସହ ଜନ୍ତରମନ୍ତରରେ ଆଉ ଆନ୍ଦୋଳନ କରିବାକୁ ଦିଆଯିବନି ବୋଲି ପୁଲିସ୍‌ ସଫା ସଫା ଶୁଣାଇ ଦେଇଛି।

ହେଲେ ପୁଲିସ୍‌ ନାଲି ଆଖିକୁ ଡରି ନ ଥିବା ରେସଲରମାନେ ମୁକୁଳିବା ପରେ ଅଧିକ ଆକ୍ରମଣାତ୍ମକ ହୋଇ ଯାଇଛନ୍ତି। ମୁକୁଳିବା ପରେ ଅଲମ୍ପିକ ବିଜେତା ସାକ୍ଷୀ ମଲ୍ଲିକ ଟ୍ୱିଟ କରି ଜନ୍ତରମନ୍ତରରେ ଧାରଣା ଜାରି ରହିବ ବୋଲି କହିଛନ୍ତି। ଏଥିସହ ଆମ ଆନ୍ଦୋଳନ ଶେଷ ହୋଇ ନାହିଁ। ଆମେ ପୁଣି ଥରେ ଜନ୍ତରମନ୍ତରରୁ ଆମ ଆନ୍ଦୋଳନ ଆରମ୍ଭ କରିବୁ ବୋଲି ସେ କହିଛନ୍ତି।

ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଘରକୁ ଫେରି କିଛି ଲାଭ ନାହିଁ। ସବୁ ରେସଲରମାନେ ଏକାଠି ହୋଇ ଆଗାମୀ ରଣନୀତି ସ୍ଥିର କରିବୁ ବୋଲି କହିଛନ୍ତି ବଜରଙ୍ଗ ପୁନିଆ। ଏଥିସହ ସେ କହିଛନ୍ତି, ଏହା ଏକ ଦେଶର ଦୁର୍ଭାଗ୍ୟ ଯେ, ଜଣେ ଯୌନ ଉତ୍ପୀଡ଼ନ ମାମଲାର ଅଭିଯୁକ୍ତ ନୂଆ ସଂସଦ ଭବନର ଉଦ୍‌ଘାଟନୀ ସମାରୋହରେ ଉପସ୍ଥିତ ଥିଲେ। ଦିଲ୍ଲୀ ପୁଲିସ୍‌ ୭ ଘଣ୍ଟା ଭିତରେ ଆମ ବିରୋଧରେ ଏଫଆଇଆର ରୁଜୁ କରିଦେଲା ହେଲେ ବ୍ରିଜ ଭୂଷଣ ବିରୋଧରେ ମାମଲା ରୁଜୁ କରିବାକୁ ୭ ଦିନ ଲାଗିଗଲା।

ସରକାର ନିଜ ଖେଳାଳୀଙ୍କୁ କିପରି ବ୍ୟବହାର କରୁଛନ୍ତି, ତାହା ସମଗ୍ର ବିଶ୍ୱ ଦେଖୁଛି ବୋଲି ଟ୍ୱିଟ କରିଛନ୍ତି ଭିନେଶ ଫୋଗଟ। ସରକାରଙ୍କ ଏପରି ବୈମାତୃକ ମନୋଭାବ ପାଇଁ ଏକ ନୂଆ କଳଙ୍କିତ ଇତିହାସ ଲେଖାଯିବ ବୋଲି ସେ ଟ୍ୱିଟ କରିଛନ୍ତି।

ଅପରପକ୍ଷେ, ଏହି ମାମଲାରେ ତୀବ୍ର ସମାଲୋଚନାର ଶିକାର ହେବା ପରେ ଦିଲ୍ଲୀ ପୁଲିସ୍‌ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଏନେଇ ଦିଲ୍ଲୀ ପୁଲିସ୍‌ ପିଆରଓ ସୁମନ ନଲବା କହିଛନ୍ତି, କାଲି ଘଟଣା ପୂର୍ବରୁ ରେସଲରଙ୍କ ସହ ଆଲୋଚନା ହୋଇଥିବା ବେଳେ ସେମାନେ କୌଣସି କଥା ଶୁଣିବା ପରିସ୍ଥିତିରେ ନ ଥିଲେ। ତେଣୁ ଏପରି କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହେଲୁ। ଆମେ ସବୁ ଶାନ୍ତିପୂର୍ଣ୍ଣ ଭାବେ କରିଛୁ। ଆଗାମୀ ଦିନରେ ରେସଲରମାନେ ଆନ୍ଦୋଳନ କରିବାକୁ ଅନୁମତି ମାଗିଲେ ଅନ୍ୟତ୍ର ଅନୁମତି ଦିଆଯାଇପାରେ, ହେଲେ ଜନ୍ତରମନ୍ତରରେ ଆଉ ସେମାନଙ୍କୁ ପ୍ରବେଶ ଅନୁମତି ମିଳିବନି।

ଯୌନ ଉତ୍ପୀଡ଼ନ ମାମଲାରେ କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ଗିରଫଦାରୀ ଦାବି କରି କୁସ୍ତି ଯୋଦ୍ଧାମାନେ ଗତ ଏପ୍ରିଲ ୨୩ରୁ ଜନ୍ତରମନ୍ତରରେ ଆନ୍ଦୋଳନ ଚଳାଇ ଆସିଛନ୍ତି। ଗତକାଲି ଶତାଧିକ ରେସଲର ମହିଳା ମହାପଞ୍ଚାୟତ କରିବା ନିମନ୍ତେ ନୂଆ ସଂସଦ ଭବନ ଆଡ଼େ ମାଡ଼ି ଯାଉଥିବା ବେଳେ ବାଟରୁ ସେମାନଙ୍କୁ ପୁଲିସ୍‌ ଉଠାଇ ନେଇଥିଲା।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/RSzYUCW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages