ନିଶା ହେଲା କାଳ । ମଦ ନିଶାରେ ଚୁର ଜଣେ ଯୁବକ ପିଟି ପିଟି ଆଉ ଜଣଙ୍କ ଜୀବନ ନେଇଗଲେ। ଏଭଳି ଏକ ଅଭାବନୀୟ ଘଟଣା ଗତ ରାତିରେ ରାଜଧାନୀର ଖଣ୍ଡଗିରି ଥାନା ଅଧୀନ ବାହାଦଲପୁରରେ ଘଟିଛି। ମୃତକ ହେଲେ ଅଶୋକ ସେଠୀ ।
ଅଶୋକ ସେଠୀଙ୍କୁ ଜଗନ୍ନାଥ ଧିବର ନାମକ ଯୁବକ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ପୁଲିସ୍ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
ବାହାଦଲପୁରରେ ବିପିନ ବିହାରୀ ମୁଖି ନିଜର କିଛି ସଫେଇ ଗାଡ଼ି ରଖି ବ୍ୟବସାୟ କରୁଛନ୍ତି। ବାହାଦଲପୁରରେ ତାଙ୍କର ଗ୍ୟାରେଜ, ଷ୍ଟୋର ରୁମ୍ ଥିବା ବେଳେ ସେଠାରେ ରାତିରେ ଡ୍ରାଇଭର, ହେଲପର ରହିଥାନ୍ତି। ଉଭୟ ଅଶୋକ ଓ ଜଗନ୍ନାଥ ସେଠାରେ କାମ କରୁଥିଲେ। ଉଭୟଙ୍କ ମଧ୍ୟରେ ସମ୍ପର୍କ ବେଶ ଘନିଷ୍ଠ ନ ଥିଲେ ବି ଗତ ରାତିରେ ମଦ ନିଶାରେ ଏପରି କାଣ୍ଡ ଘଟିଥିବା ଜଣାଯାଇଛି ।
ଗତକାଲି ରାତିରେ ସେଠାରେ ୩ ଡ୍ରାଇଭର ଓ ଜଣେ ହେଲପର ଥିଲେ। ଆଜି ସକାଳେ ଅଶୋକ ମରି ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ବିପିନ ବିହାରୀ ମୁଖିଙ୍କୁ ଖବର ଦେଇଥିଲେ। ବିପିନ ବିହାରୀ ପହଞ୍ଚି ପୁଲିସ୍କୁ ସୂଚନା ଦେଇଥିଲେ। ଖଣ୍ଡଗିରି ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ହତ୍ୟାର ଶିକାର ହୋଇଥିବା ଅଶୋକ ଓ ଅଭିଯୁକ୍ତ ଜଗନ୍ନାଥ ଉଭୟ ସଫେଇ ଗାଡ଼ି ଡ୍ରାଇଭର । ଅଶୋକଙ୍କୁ ଲୁହା ରଡ୍, ପ୍ଲାଷ୍ଟିକ ପାଇପରେ ପ୍ରବଳ ମାଡ଼ ମାରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ୍ ଜଗନ୍ନାଥଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି।
ଗାଡ଼ି ମାଲିକଙ୍କ କହିବାନୁଯାୟୀ, ଅଶୋକ ୨ ବର୍ଷ ହେବ ଆମ ସଂସ୍ଥାରେ ଡ୍ରାଇଭର ଭାବେ କାମ କରୁଥିଲା। ହେଲେ ଜଗନ୍ନାଥ ପ୍ରାୟ ୪ ଦିନ ହେବ ଆସି କାମ କରୁଥିଲା। ଗତକାଲି ବିଳମ୍ବିତ ରାତି ଯାଏ ଉଭୟ ଜଗନ୍ନାଥ ଓ ଅଶୋକ ମଦ ପିଇଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ପାଟିଗୋଳ ହୋଇଥିବା ବେଳେ ଜଗନ୍ନାଥ ପିଟି ପିଟି ଅଶୋକକୁ ମାରି ଦେଇଥିବା ଅନୁମାନ କରାଯାଉଛି।
ଏନେଇ ଖଣ୍ଡଗିରି ଥାନା ଆଇଆଇସି ସୂଚନା ଦେଇଛନ୍ତି, ପାରିପାର୍ଶ୍ୱିକ ସ୍ଥିତିରୁ ଅଶୋକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଜଣାପଡ଼ୁଛି। ଗତକାଲି ରାତିରେ ଏହି ଗ୍ୟାରେଜରେ ତାଙ୍କ ସହ ଥିବା ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଖୁବ୍ ଶୀଘ୍ର ହତ୍ୟା ପଛର କାରଣ ଓ ଏଥିରେ କିଏ ସମ୍ପୃକ୍ତ ତାହା ପଦାକୁ ଆସିବ ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/WLrmxeY
No comments:
Post a Comment