ନୂଆଦିଲ୍ଲୀର ଜନ୍ତରମନ୍ତରରେ ଦେଶର ଷ୍ଟାର ରେସଲରମାନେ ଦୀର୍ଘ ଦିନ ହେବ ଆନ୍ଦୋଳନ ଚଳାଇ ଆସୁଥିବା ବେଳେ ନରମିଛନ୍ତି ଭାରତୀୟ କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହ । ରେସଲରମାନେ ବ୍ରିଜ ଭୂଷଣଙ୍କ ଇସ୍ତଫା ଦାବିରେ ଅଡ଼ି ବସିଥିବା ଏଥିନିମନ୍ତେ ପ୍ରସ୍ତୁତ ଥିବା କହିଛନ୍ତି ବ୍ରିଜ ଭୂଷଣ । କିନ୍ତୁ ତାହା ପୂର୍ବରୁ ରେସଲରମାନେ ନିଜ ଆନ୍ଦୋଳନ ପ୍ରତ୍ୟାହାର କରନ୍ତୁ ବୋଲି ସର୍ତ୍ତ ରଖିଛନ୍ତି।
ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ଭାରତୀୟ କୁସ୍ତି ମହାସଂଘର ସଭାପତି କହିଛନ୍ତି, ମୁଁ ଯେକୌଣସି ଯାଞ୍ଚ ପାଇଁ ପ୍ରସ୍ତୁତ ଅଛି। ସୁପ୍ରିମ କୋର୍ଟ ଓ ଦିଲ୍ଲୀ ପୁଲିସ୍ ଉପରେ ମୋର ସମ୍ପୂର୍ଣ୍ଣ ଭରସା ଅଛି । ରେସଲର ଚୟନ ପାଇଁ ଥିବା ନିୟମକୁ ମୁଁ ପରିବର୍ତ୍ତନ କରିଥିବାରୁ ସେମାନେ ମୋତେ ଟାର୍ଗେଟ କରିଛନ୍ତି। କେବଳ ଭାରତୀୟ କୁସ୍ତି ମହାସଂଘର ସଭାପତି ପଦ ନୁହେଁ, ପିଏମ ମୋଦି ଚାହିଁଲେ ମୁଁ ସମସ୍ତ ପଦରୁ ଇସ୍ତଫା ଦେବି। କାରଣ ଯାହା ବି ଅଭିଯୋଗ ହୋଇଛି ମୋ ବିରୋଧରେ ହୋଇଛି, ମୋ’ ଦଳ ବିରୋଧରେ ନୁହେଁ ।
ଦିଲ୍ଲୀ ପୁଲିସ ମୋ’ ବିରୋଧରେ ମାମଲା ରୁଜୁ କରିଛି, କିନ୍ତୁ ଏପର୍ଯ୍ୟନ୍ତ ମୋତେ କୌଣସି ପ୍ରକାର ଯାଞ୍ଚର ସମ୍ମୁଖୀନ ହେବାକୁ ସୂଚନା ଦିଆଯାଇନି। ମୁଁ ଏହି ପ୍ରସଙ୍ଗରେ ଲଢ଼ିବାକୁ ପ୍ରସ୍ତୁତ ଅଛି ବୋଲି କହିଛନ୍ତି ବ୍ରିଜ ଭୂଷଣ ।
ଜନ୍ତରମନ୍ତରରେ ଧାରଣାରେ ବସିଥିବା କୁସ୍ତିଯୋଦ୍ଧାମାନେ ଦେଶ ପାଇଁ ପଦକ ଜିତିଛନ୍ତି ସହ, ମୁଁ ବି ସେମାନଙ୍କ ପାଇଁ ମଧ୍ୟ ବହୁତ କିଛି କରିଛି। ଧାରଣାରେ ବସିଥିବା ମହିଳା ରେସଲରମାନେ ଦିନେ ମୋ ପରିବାରର ଅଂଶ ଥିଲେ କିନ୍ତୁ ବର୍ତ୍ତମାନ ସବୁ କିଛି ଓଲଟି ଯାଇଛି। ସେମାନେ ଏବେ ରାଜନେତା ପାଲଟି ସାରିଲେଣି। ପ୍ରିୟଙ୍କା ଗାନ୍ଧୀ କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଧାରଣାସ୍ଥଳକୁ ଯାଇଛନ୍ତି, ହେଲେ ଯେତେବେଳେ ସେ ସତ କ’ଣ ଜାଣିବେ, ସେ ଖରାପ ଅନୁଭବ କରିବେ।
ରେସଲରଙ୍କ ଏହି ଆନ୍ଦୋଳନ ଯୋଗୁ ବିଶ୍ୱ ଦରବାରରେ ଦେଶର ଛବି ମଳିନ ପଡ଼ୁଛି। ଭାରତ ନିଜ ରେସଲରମାନଙ୍କ ପାଇଁ କୋଟି କୋଟି ଟଙ୍କା ପାଣି ପରି ଖର୍ଚ୍ଚ କରିଥାଏ । ବିଶେଷ କରି ଅଲମ୍ପିକରେ ମେଡାଲ ଜିତୁଥିବା ରେସଲରଙ୍କୁ ଭାରତ ସରକାର ଯେପରି ସମ୍ମାନିତ କରିବା ସହ ପୁରସ୍କାର ଦେଇଥାନ୍ତି ତାହା ଅନ୍ୟ କୌଣସି ସରକାର ଦେଇ ନ ଥାନ୍ତି। କୁସ୍ତି ଲଢ଼େଇରେ ଦିନେ ଭାରତ ୨୦ ନଂରେ ଥିବା ବେଳେ ଏବେ ୧ନଂ, ୨ ନଂରେ ରହୁଛି। ଏପରି ଆନ୍ଦୋଳନ ଯୋଗୁ କିନ୍ତୁ ବିଶ୍ୱ ଦରବାରରେ ଭାରତର ସମ୍ମାନ ହାନୀ ହେଉଛି ବୋଲି କହିଛନ୍ତି ବ୍ରିଜ ଭୂଷଣ ।
ଗତ ୧୮ ଜାନୁୟାରୀରେ ମୋ’ ଇସ୍ତଫା ଦାବି କରି ଜନ୍ତରମନ୍ତରରେ ଧାରଣା ଆରମ୍ଭ ହେଲା। ମୁଁ ସେତେବେଳେ ଲକ୍ଷ୍ନୌରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲି। ମୁଁ ବିମାନରୁ ଓହ୍ଲାଇବା ପରେ ଇସ୍ତଫା ଦାବି ଯୌନ ଉତ୍ପୀଡ଼ନକୁ ପରିବର୍ତ୍ତନ ହୋଇ ସାରିଥିଲା। ହେଲେ ଯେତେବେଳେ କିଏ ଯୌନ ଉତ୍ପୀଡ଼ନର ଶିକାର ହୋଇଛି ବୋଲି ପଚରାଗଲା, କେହି ବି ସଠିକ ଉତ୍ତର ଦେଇ ପାରିଲେନି। ସମସ୍ତେ କହିଲେ, ଆମ ସହ ଏପରି ହୋଇନି, କିନ୍ତୁ ଆମ ପରି ଶହେ ଜଣଙ୍କ ସହ ହୋଇଛି ବୋଲି କହିଛନ୍ତି ବ୍ରିଜ ଭୂଷଣ ।
ଏଥିସହ ସେ କହିଛନ୍ତି, ସେମାନଙ୍କ ଦାବି ଅନୁଯାୟୀ, ଘଟଣାର ତଦନ୍ତ ପାଇଁ କମିଟି ଗଠିତ ହେଲା। ଉକ୍ତ କମିଟିରେ ସେମାନଙ୍କର ଜଣେ ବି ସଦସ୍ୟ ରହିଲେ। ହେଲେ କମିଟି ରିପୋର୍ଟକୁ ଅପେକ୍ଷା ନ କରି ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଲେ। ପୂର୍ବରୁ ହୋଇଥିବା ଅଭିଯୋଗରେ କୌଣସି ନାବାଳିକା ନାଁ ଉଠି ନ ଥିବା ବେଳେ ଏଥର କିନ୍ତୁ ଜଣେ ନାବାଳିକା ମୋ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଛନ୍ତି। ସେମାନେ ୪ ମାସ ମଧ୍ୟରେ ଟଙ୍କା ବଳରେ ଜଣେ ନାବାଳିକାକୁ ଆଣି ମୋ’ ବିରୋଧରେ ଅଭିଯୋଗ କରିଥିବା ଜଣାଯାଇଛି।
ଯଦି ମୁଁ ଇସ୍ତଫା ଦେଇଦେଲେ ସେମାନେ ଜନ୍ତରମନ୍ତରରୁ ଉଠିବାକୁ ପ୍ରସ୍ତୁତ ଅଛନ୍ତି, ତେବେ ମୁଁ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛି। ମୁଁ ଆପଣଙ୍କୁ ଏହା ସ୍ପଷ୍ଟ କରିଦେବି, ଏହା ଖେଳାଳିମାନଙ୍କର ଏକ ଆନ୍ଦୋଳନ ନୁହେଁ, ଏହି ସମସ୍ତ ଲୋକ ନେତା ହୋଇ ସାରିଛନ୍ତି । ମୁଁ ନିର୍ଦ୍ଦୋଷ ବୋଲି କହିଛନ୍ତି ଭାରତୀୟ କୁସ୍ତି ମହାସଂଘ ସଭାପତି ବ୍ରିଜ ଭୂଷଣ ଶରଣ ସିଂ ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/8v5QxCg
No comments:
Post a Comment