ନିଷ୍ଠୁର ମଣିଷର କ୍ରୂରତାର ଶିକାର ହେଲା ଏକ କୁକୁର । କୁକୁରକୁ ନିଜ ବାଇକ୍ ପଛରେ ବାନ୍ଧି ପ୍ରାୟ ଏକ କିମି ଘୋଷାଡ଼ି ଘୋଷାଡ଼ି ନେଲେ ଜଣେ ବାଇକ୍ ଆରୋହୀ। ଅକଥନୀୟ ନିର୍ଯାତନା ସହି ନ ପାରି କୁକୁରଟି ଆଖି ବୁଜି ଦେଇଥିବା ବେଳେ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ୍ । ଏପରି ଏକ ଘଟଣା କେରଳର ମଲ୍ଲପୁରମ ଜିଲ୍ଲାର ଇଡକ୍କରା ନିକଟରେ ଘଟିଛି। ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ପୁଲିସ୍ ତତ୍ପର ହୋଇ ଉଠିଛି।
ଭାଇରାଲ ଭିଡିଓରେ ଜଣେ ବ୍ୟକ୍ତି ନିଜ ବାଇକ୍ ପଛ ପଟେ ଏକ କୁକୁରକୁ ବାନ୍ଧି ଦ୍ରୁତ ଗତିରେ ଗାଡ଼ି ଚଳାଉଥିବା ଦେଖିବାକୁ ମିଳିଛି। ଏହାଦେଖି ଜଣେ ସ୍ଥାନୀୟ ବ୍ୟକ୍ତି ଉକ୍ତ ବାଇକ୍ ଆରୋହୀଙ୍କ ପିଛା କରିଥିଲେ। କିଛି ବାଟ ଯିବା ପରେ ବାଇକ୍ ଆରୋହୀଜଣକ ଅଟକିଥିଲେ। ଏହା ପରେ ସ୍ଥାନୀୟ ବ୍ୟକ୍ତିଜଣକ କୁକୁରଟି ମରିଥିବା ଦେଖି ତାଙ୍କୁ ପଚରାଉଚରା କରିଥିଲେ। ଏହାକୁ ନେଇ ପ୍ରଥମେ ଉଭୟଙ୍କ ମଧ୍ୟରେ ଉଚ୍ଚବାଚ ସୃଷ୍ଟି ହୋଇଥିଲା।
ଏହାପରେ ନିଜ ସଫେଇରେ ବ୍ୟକ୍ତିଜଣକ କହିଥିଲେ, କୁକୁରଟି ରାସ୍ତାରେ ମରି ପଡ଼ିଥିଲା। ଏହାଦେଖି ତାହାକୁ ବାଇକ୍ରେ ବାନ୍ଧିନେଇ ଆସୁଥିଲି। ମାତ୍ର କୁକୁରଟି ଯଦି ମରି ଯାଇଥିଲା, ତାକୁ ସେଠାରେ ନ ପୋତି କାହିଁକି ବାଇକ୍ରେ ବାନ୍ଧି ଆଣିଲ ବୋଲି ପଚରାଯିବାରୁ ବାଇକ୍ ଆରୋହୀ ଜଣକ କିଛି କହି ପାରି ନ ଥିଲେ।
ଏହାପରେ ସେ କୁକୁର ମୃତଦେହକୁ ନିଜ ବାଇକ୍ ଟାଙ୍କିରେ ରଖି ଘଟଣାସ୍ଥଳରୁ ପଳାଇଥିଲେ। ଏହି ଘଟଣା ଗତ ସୋମବାର ରାତିର ବୋଲି ଜଣାପଡ଼ିଛି।
ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ବେଳେ ସମ୍ପୃକ୍ତ ବାଇକ୍ ଆରୋହୀଙ୍କୁ ଚିହ୍ନଟ କରାଯାଇ ସରିଛି। ଖୁବ୍ଶୀଘ୍ର ତାଙ୍କୁ ଗିରଫ କରାଯିବ ବୋଲି କହିଛି ପୁଲିସ୍ ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/5bVREiA
No comments:
Post a Comment