ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଇଥିବା ବେଳେ ଘଟିଥିଲା ଅଭାବନୀୟ ଘଟଣା। ରାଷ୍ଟ୍ରପତି ଭାଷଣ ଆରମ୍ଭ କରିବାର ଅଳ୍ପ ସମୟ ପରେ ପୂରା ହଲ୍ ଅନ୍ଧାର ହୋଇଯାଇଥିଲା। ଏସି ଓ ମାଇକ ଚାଲିଥିଲା, କିନ୍ତୁ ଲାଇଟ ସବୁ କଟି ଯାଇଥିଲା। ଲାଇଟ କଟି ଯିବା ସତ୍ତ୍ୱେ ରାଷ୍ଟ୍ରପତି ତାଙ୍କ ଭାଷଣ ବନ୍ଦ କରିନଥିଲେ। ପୋଡ଼ିୟମରେ ଜଳୁଥିବା କ୍ଷୀଣ ଲାଇଟରେ ସେ ଭାଷଣ ଦେଇଥିଲେ। ରାଷ୍ଟ୍ରପତି ପ୍ରାୟ ୯ ମିନିଟ ଅନ୍ଧାରରେ ଭାଷଣ ଦେବା ପରେ ହଲ୍ର ଲାଇଟ ପୁଣି ଜଳିଥିଲା।
ସଭାସ୍ଥଳ ଅନ୍ଧାର ହୋଇଯିବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସେ କହିଥିଲେ, ସୁନ୍ଦର ଯେତିକି, ଅନ୍ଧାର ସେତିକି।
ରାଷ୍ଟ୍ରପତିଙ୍କ ଭାଷଣ ବେଳେ ୯ ମିନିଟ ଲାଇଟ କଟିଯାଇଥିବା ମାନିଛି ସୂଚନା ଓ ଲୋକ ସଂପର୍କ ବିଭାଗ। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କହାଯାଇଛି ଯେ, ଦିନ ୧୧ଟା ୫୬ରୁ ୧୨ଟା ୦୫ ପର୍ଯ୍ୟନ୍ତ ଲାଇଟ ଗୁଡ଼ିକ କଟି ଯାଇଥିଲା। ପୂରା ଅଡିଟୋରିୟମ ଅନ୍ଧାର ହୋଇଯାଇଥିଲା। ଏଭଳି ଅନିଚ୍ଛାକୃତ ତ୍ରୁଟି ପାଇଁ ଆମେ ଦୁଃଖିତ।
ଅନ୍ୟପକ୍ଷରେ ଆମର କିଛି ଦୋଷ ନାହିଁ ବୋଲି କହିଛି ବିଦ୍ୟୁତ ବିତରଣ କଂପାନୀ TPNODL। ଏହାର ସିଇଓ ଭାସ୍କର ସରକାର କହିଛନ୍ତି, ଆମ ତରଫରୁ କିଛି ସମସ୍ୟା ନଥିଲା। ବିଦ୍ୟୁତ ଯୋଗାଣ ଠିକ ଥିଲା। କେବଳ ରୁମ୍ର ଲାଇଟ୍ ପଳାଇଥିଲା। ଏସି ଓ ମାଇକ୍ ଚାଲିଥିଲା। ଯାହା ଜଣାପଡୁଛି, ରୁମର ଇଣ୍ଟରନାଲ ଓୟାରିଂରେ ସମସ୍ୟା ଥିଲା। ଓୟାରିଂ ଇଡକୋ ଅଧୀନରେ ରହିଛି। ଆମର ସେଥିରେ କିଛି କରିବାର ନାହିଁ।
ରାଷ୍ଟ୍ରପତି ଭାଷଣ ଦେବା ବେଳେ ଲାଇଟ କଟିଯିବା ଘଟଣାକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି। ବୁଦ୍ଧିଜୀବୀମାନେ କହିଛନ୍ତି, ଏହି ଘଟଣା ଯୋଗୁ ସାରା ଦେଶରେ ଓଡ଼ିଶା ନିନ୍ଦିତ ହୋଇଛି। ରାଜ୍ୟ ସରକାରଙ୍କ ହେୟଜ୍ଞାନ ପାଇଁ ନିନ୍ଦିତ ହୋଇଛି ଓଡ଼ିଶା। ରାଜ୍ୟ ପାଇଁ ଆଜିର ଦିନଟି ଲଜ୍ଜାର ଦିନ।
ସୂଚନାଯୋଗ୍ୟ, ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ ରାଷ୍ଟ୍ରପତି। ଆଜି ତାଙ୍କର ଗସ୍ତର ଅନ୍ତିମ ଦିନ। ଅନ୍ତିମ ଦିନରେ ସେ ବାରିପଦାର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଇଥିଲେ। ଅପରାହ୍ନରେ ନୂଆଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/L0SFCJK
No comments:
Post a Comment