ମଧ୍ୟ ପ୍ରଦେଶର ଭୋପାଲରୁ ନୂଆଦିଲ୍ଲୀ ଅଭିମୁଖେ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସର ଏକ କୋଚ୍ର ବ୍ୟାଟେରୀ ବକ୍ସରେ ସୋମବାର ସକାଳେ ନିଆଁ ଲାଗିଯାଇଥିଲା। ତେବେ ଯାତ୍ରୀମାନେ ସୁରକ୍ଷିତ ଅଛନ୍ତି। କାହାରି କିଛି ହୋଇନାହିଁ।
ଟ୍ରେନ୍ଟି ରାଣୀ କମଳାପତି ଷ୍ଟେସନ (ପୂର୍ବରୁ ଏହାର ନାଁ ହବିବଗଞ୍ଜ ଷ୍ଟେସନ ଥିଲା) ଛାଡ଼ିବା ପରେ ସକାଳ ପ୍ରାୟ ୬ଟା ୪୫ ବେଳେ ସି-୧୨ ବଗିର ବ୍ୟାଟେରୀ ବକ୍ସରେ ନିଆଁ ଲାଗିଥିବା କିଛି ରେଳ କର୍ମଚାରୀ ଦେଖିଥିଲେ। ଏହା ପରେ ସଙ୍ଗେ ସଙ୍ଗେ ଟ୍ରେନ୍ଟି ଅଟକ ରହିଥିଲା। ବିଦିଶା ଜିଲ୍ଲାର କୁରୱାଇ-କୈଥୋରା ଷ୍ଟେସନ ନିକଟରେ ଟ୍ରେନ୍ଟି ଅଟକି ଥିଲା।
ସି-୧୨ ବଗିରୁ ତୁରନ୍ତ ଯାତ୍ରୀମାନଙ୍କୁ ଓହ୍ଲାଇ ଦିଆଯାଇଥିଲା। ଅନ୍ୟ କୋଚଗୁଡ଼ିକରେ ବସିଥିବା ଯାତ୍ରୀମାନେ ମଧ୍ୟ ଓହ୍ଲାଇ ଆସିଥିଲେ। ଦମକଳ ବାହିନୀ କର୍ମଚାରୀମାନେ ଅଳ୍ପ ସମୟ ମଧ୍ୟରେ ନିଆଁକୁ ଆୟତ୍ତ କରିଥିଲେ। ତା’ପରେ ରେଳ କର୍ମଚାରୀମାନେ ସେଥିରେ ଆକଶ୍ୟକ ଯାଞ୍ଚ ଓ ମରାମତି କାମ କରିବା ପରେ ଟ୍ରେନ୍ଟି ପୁଣି ଯାତ୍ରା ଆରମ୍ଭ କରିଥିଲା।
ଉକ୍ତ କୋଚ୍ରେ ୨୦-୨୨ ଜଣ ପାସେଞ୍ଜର ଥିଲେ। ଏହି ଘଟଣା ପରେ ସେମାନଙ୍କୁ ଅନ୍ୟ କୋଚ୍କୁ ସ୍ଥାନାନ୍ତର କରାଯାଇଥିଲା।
ଏହି ବନ୍ଦେ ଭାରତ ଏକ୍ସପ୍ରେସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଏପ୍ରିଲ ମାସରେ ଲୋକାର୍ପିତ କରିଥିଲେ। ଏହା ଭୋପାଲର ରାଣୀ କମଲାପତି ଷ୍ଟେସନରୁ ଦିଲ୍ଲୀର ହଜରତ ନିଜାମୁଦ୍ଦିନ ଷ୍ଟେସନ ପର୍ଯ୍ୟନ୍ତ ଯାତ୍ରା କରୁଛି। ଏହା ମୋଟ ୭୦୧ କିମି ଯାତ୍ରା କରୁଥିବା ବେଳେ ଏଥିପାଇଁ ୭ ଘଣ୍ଟା ୩୦ ମିନିଟ ସମୟ ଲାଗୁଛି। ଶନିବାର ବ୍ୟତୀତ ଏହା ଅନ୍ୟ ସବୁଦିନେ ଯାତ୍ରା କରୁଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/6q5cxLd
No comments:
Post a Comment