ମହାରାଷ୍ଟ୍ର ମହାଡ୍ରାମାରେ ଦେଖିବାକୁ ମିଳିଛି ରୋଚକ ମୋଡ଼ । ବିଜେପି ଓ ଶିବସେନା ସରକାର ସହ ହାତ ମିଳାଇ ମହାରାଷ୍ଟ୍ର ନୂଆ ଉପମୁଖ୍ୟମନ୍ତ୍ରୀ ହୋଇଥିବା ଏନ୍ସିପି ନେତା ଅଜିତ ପାୱାର ଓ ତାଙ୍କ ୮ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ଦାବି କରିଛି ଏନସିପି। ପାର୍ଟିର ଅଧ୍ୟକ୍ଷ ଜୟନ୍ତ ପାଟିଲ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ରବିବାର ବିଳମ୍ବିତ ରାତିରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପାଟିଲ କହିଛନ୍ତି, ଏନସିପି ଛାଡ଼ିଥିବା ଅଜିତ୍ ପାୱାରଙ୍କ ସମେତ ସମସ୍ତ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ବାଚସ୍ପତିଙ୍କ ନିକଟକୁ ଚିଠି ପଠାଯାଇଛି। ଏହାବାଦ ଭାରତ ନିର୍ବାଚନ ଆୟୋଗଙ୍କୁ ବି ଇ-ମେଲ ଜରିଆରେ ଏ ସମ୍ପର୍କରେ ଅବଗତ କରାଯାଇଛି। ଯେଉଁଥିରେ ରାଷ୍ଟ୍ରୀୟ କଂଗ୍ରେସ ପାର୍ଟିର ନେତା ଓ କାର୍ଯ୍ୟକର୍ତ୍ତା ସେମାନେ ପାର୍ଟିର ନେତା ଶରଦ ପାୱାରଙ୍କ ସହ ଥିବା ଉଲ୍ଲେଖ କରାଯାଇଛି। ଏଥିସହ ଅଜିତ ପାୱାରଙ୍କ ପଦକ୍ଷେପକୁ ସେ ବେଆଇନ ବୋଲି କହି ସମାଲୋଚନା କରିଛନ୍ତି।
ପାର୍ଟି ନ ଛାଡ଼ି ଏହି ବିଧାୟକମାନେ ପାର୍ଟି ବିରୋଧୀ କାମ କରିଛନ୍ତି। ତେଣୁ ସେମାନଙ୍କୁ ଅଯୋଗ୍ୟ ଘୋଷିତ କରିବାକୁ ଦାବି କରିଛନ୍ତି ପାଟିଲ। ବିଜେପି ଓ ଶିବସେନା ସରକାରରେ ସାମିଲ ହୋଇଥିବା ରାଷ୍ଟ୍ରୀୟ କଂଗ୍ରେସ ପାର୍ଟିର ବହୁ ବିଧାୟକ ପୁଣି ଥରେ ଦଳକୁ ଫେରିବେ ବୋଲି ଆମର ବିଶ୍ୱାସ ଅଛି। କାରଣ ଲୋକଙ୍କ ସମର୍ଥନ ଶରଦ ପାୱାରଙ୍କ ପ୍ରତି ଅଛି। ସେମାନେ ନିଜ ନିଜ ବିଧାନସଭା କ୍ଷେତ୍ରକୁ ଗଲେ ଏହା ଭଲ ଭାବେ ବୁଝିପାରିବେ। ତେଣୁ ଏପରି କିଛି ବିଧାୟକଙ୍କ ଘର ବାହୁଡ଼ା ହେବ ବୋଲି ବିଶ୍ୱାସ ଥିବା କହିଛନ୍ତି ଦଳର ଅଧ୍ୟକ୍ଷ ।
ସାମ୍ବାଦିକ ସମ୍ମିଳନୀରେ ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ବି ଟାର୍ଗେଟ କରିବାକୁ ପଛାଇ ନାହାନ୍ତି ଜୟନ୍ତ ପାଟିଲ । ସେ କହିଛନ୍ତି, ରାଜ୍ୟପାଳଙ୍କ ସମ୍ମୁଖରେ ଯେତେବେଳେ ବହୁମତ ଥିବା ଅଜିତ ପାୱାର ପ୍ରସ୍ତାବ ରଖିଥିଲେ, ସେତେବେଳେ ରାଜ୍ୟପାଳ ଆମ ସହ ଯୋଗାଯୋଗ କରି ବାସ୍ତବ ସ୍ଥିତି ଜାଣିବା ଉଚିତ ଥିଲା। ହେଲେ ଏ ସମ୍ପର୍କରେ ଆମ ସହ କେହି ଯୋଗାଯୋଗ କରି ନାହାନ୍ତି।
ଅଜିତ ପାୱାର ବିଜେପି ଓ ଶିବସେନା ସହ ମିଶି ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଏନସିପି ଦୁଇ ଫାଳ ହୋଇ ଯାଇଛି। ଏହା ପାର୍ଟିର ନେତା ଶରଦ ପାୱାରଙ୍କୁ ଶକ୍ତ ଝଟକା ଦେଇଥିଲେ ବି ପୁଣି ଥରେ ସେ ପାର୍ଟିକୁ ଛିଡ଼ା କରାଇ ଦେବେ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ଶରଦ ପାୱାର ନିଜ ଝିଅ ସୁପ୍ରିୟା ସୁଲେଙ୍କୁ ପାର୍ଟିର କାର୍ଯ୍ୟକାରୀ ଅଧ୍ୟକ୍ଷ କରାଯିବା ପରେ ଅସନ୍ତୁଷ୍ଟ ଥିବା ଅଜିତ ପାୱାର ବିଦ୍ରୋହ କରିଥିବା ଜଣାଯାଇଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/Udrx7H0
No comments:
Post a Comment