ଡୋର ବେଲ୍ ବଜାଇ ପଳାଇବା ଘଟଣାରୁ ୨ ବର୍ଷ ତଳେ ଘଟିଥିଲା ସାଂଘାତିକ କାଣ୍ଡ। ରାଗ ଶୁଝାଇବାକୁ ଜଣେ ଭାରତୀୟ ବଂଶୋଦ୍ଭବ ଯୁକ୍ତରାଷ୍ଟ୍ର ଆମେରିକାରେ ଘଟାଇଲେ ନାରକୀୟ କାଣ୍ଡ। ନିଜ କାର୍ ଧକ୍କାରେ ସେ ୩ ନିରୀହ ନାବାଳକଙ୍କ ଜୀବନ ନେଇଥିବା ବେଳେ ୩ ଜଣଙ୍କୁ ଗୁରୁତର କରିଥିଲେ। ଫଳରେ ସାମାନ୍ୟ କ୍ରୋଧ ଓ ରାଗରୁ ଉଜୁଡ଼ିଗଲା ବହୁ ପରିବାର।
ଏହି ମାମଲାର ଶୁଣାଣି କରି ଆମେରିକାର ଏକ କୋର୍ଟ ସମ୍ପୃକ୍ତ ଭାରତୀୟ ବଂଶୋଦ୍ଭବଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଣି କରିଛନ୍ତି। ଏଥିସହ ଜେଲ୍ ସଜା କାଟିବା ମଧ୍ୟରେ ସେ ପାରୋଲରେ ବାହାରି ପାରିବେନି ବୋଲି ବି ନିର୍ଦ୍ଦେଶ ଦେଇଛନ୍ତି ବିଚାରପତି। ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଜଣକ ହେଉଛନ୍ତି କାଲିଫର୍ଣ୍ଣିଆରେ ରହୁଥିବା ଭାରତୀୟ ବଂଶୋଦ୍ଭବ ଅନୁରାଗ ଚନ୍ଦ୍ର ।
ଗତ ୨୦୨୦ ମସିହା ଜାନୁୟାରୀ ୧୯ ତାରିଖରେ ଟେମସ୍କାଲ କ୍ୟାନୟନ ରୋଡରେ ଏହି ସାଂଘାତିକ କାଣ୍ଡ ଘଟିଥିଲା। ୬ ଜଣ ନାବାଳକ ଏକ କାର୍ରେ ଯାଉଥିବା ବେଳେ ଅନୁରାଗ ଚନ୍ଦ୍ର ନିଜ କାର୍କୁ ଆଗରେ ରଖି ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ମାତ୍ର ନ ଅଟକି ନାବାଳକମାନେ ଦ୍ରୁତ ଗତିରେ କାର୍ ନେଉଥିବା ବେଳେ ଅନୁରାଗ ନିଜ କାର୍ରେ ସେମାନଙ୍କ କାର୍କୁ ଧକ୍କା ଦେଇଥିଲେ। ଫଳରେ ନାବାଳକଙ୍କ କାର୍ ଏକ ଗଛରେ ପିଟି ହୋଇଥିଲା। ଏହି ଦୁର୍ଘଟଣାରେ ୩ ନାବାଳକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଥିଲେ।
ଅନୁରାଗ ଏନେଇ ପୁଲିସ୍କୁ କୌଣସି ସୂଚନା ଦେଇ ନ ଥିବା ବେଳେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ଖବର ପାଇ ପୁଲିସ୍ ପହଞ୍ଚି ଗୁରୁତରଙ୍କୁ ହସ୍ପିଟାଲ ପଠାଇଥିଲା। ଏହାପରେ ସେମାନଙ୍କ ନିକଟରୁ ମିଳିଥିବା ସୂଚନା ଆଧାରରେ ପୁଲିସ୍ ଅନୁରାଗଙ୍କୁ ଗିରଫ କରିଥିଲା।
ପଚରାଉଚରା ବେଳେ ଅନୁରାଗ ସବୁ କଥା ମାନି ଯାଇଥିଲେ। ଏଥିସହ ଏପରି ଆକ୍ରମଣ ପଛର କାରଣ ବି ସେ ପୁଲିସ୍ ସମ୍ମୁଖରେ ବଖାଣିଥିଲେ।
ଅନୁରାଗଙ୍କ କହିବାନୁଯାୟୀ, ସମ୍ପୃକ୍ତ ବାଳକମାନେ ତାଙ୍କ ଡୋର ବେଲ୍ ବଜାଇଥିଲେ। ଏହା ଶୁଣି ସେ କବାଟ ଖୋଲିଥିବା ବେଳେ ସମ୍ପୃକ୍ତ ନାବାଳକମାନେ ଦୌଡ଼ି ନିଜ କାର୍ରେ ଦ୍ରୁତ ଗତିରେ ପଳାଇଥିଲେ। ଏହାପରେ ଅନୁରାଗ ବି ନିଜ କାର୍ରେ ସେମାନଙ୍କ କାର୍ର ପିଛା କରି ଏପରି ଘଟଣା ଘଟାଇଥିବା ପୁଲିସ୍ ସମ୍ମୁଖରେ କହିଥିଲେ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/7WsKCmk
No comments:
Post a Comment