ହସଖୁସିରେ ଜୀବନ ବଞ୍ଚିବା ସମସ୍ତଙ୍କ ଇଚ୍ଛା। ମାତ୍ର ତାହା ବହୁ ସମୟରେ ପୂରଣ ହୋଇ ପାରି ନ ଥାଏ। ବିଭିନ୍ନ ଜଞ୍ଜାଳରେ ଫସି ଆମେ ହସିବା ଭୁଲି ଯାଉ । ତେଣୁ ଯେତେ ବାଧାବିଘ୍ନ, ଅସୁବିଧା ପଡ଼ିଲେ ବି ଲୋକଙ୍କ ମୁହଁରେ ହସ ଫୁଟାଇବା ପାଇଁ ପାଳିତ ହେଉଛି ବିଶ୍ୱ ହସ ଦିବସ (World Smile Day) ।
ପ୍ରତି ବର୍ଷ ଅକ୍ଟୋବର ମାସର ପ୍ରଥମ ଶୁକ୍ରବାରକୁ ସମଗ୍ର ବିଶ୍ୱରେ World Smile Day ହିସାବରେ ପାଳନ କରାଯାଏ। ଏହି ଦିବସ ପାଳନ ନିମନ୍ତେ ପ୍ରଥମେ ଆମେରିକାନ ଆର୍ଟିଷ୍ଟ ହାର୍ଭି ବାଲ୍ଙ୍କ ମୁଣ୍ଡରେ ବୁଦ୍ଧି ଜୁଟିଥିଲା। ଏହାପରେ ସେ ୧୯୬୩ ମସିହାରେ Smiling Faca ଆଇକନ୍ କରି ଚର୍ଚ୍ଚିତ ହୋଇଥିଲେ । ଏହି ଆଇକନ୍ ଏବେ ଖୁବ୍ ପପୁଲାର ହୋଇଥିବା ବେଳେ ଆଜିକାଲି ଯୁବବର୍ଗଙ୍କ ମଧ୍ୟରେ ମେସେଜ ପଠାଇବା ନିମନ୍ତେ ଏହା ଖୁବ୍ ଆଦୃତ ।
ଏହାପରେ ୧୯୯୯ ମସିହାରୁ ପ୍ରତିବର୍ଷ ଅକ୍ଟୋବରର ପ୍ରଥମ ଶୁକ୍ରବାରକୁ ‘ୱାର୍ଲ୍ଡ ସ୍ମାଇଲ ଡେ’ ହିସାବରେ ପାଳନ କରାଯାଉଛି। ୨୦୦୧ ମସିହାରେ ହାର୍ଭି ବାଲ୍ଙ୍କ ମୃତ୍ୟୁ ପରେ ଏହି ଦିବସକୁ ବିଶ୍ୱସ୍ତରରେ ପାଳନ କରିବାକୁ ବ୍ୟାପକ ଭାବ ଆୟୋଜନ କରାଗଲା। ସେବେଠୁ ପ୍ରତିବର୍ଷ ଏହି ଦିବସ ବେଶ୍ ଜାକଜକମରେ ବିଶ୍ୱର ବିଭିନ୍ନ ଦେଶରେ ପାଳିତ ହେଉଛି।
ବର୍ତ୍ତମାନର ବ୍ୟସ୍ତତାପୂର୍ଣ୍ଣ ଜୀବନରେ କର୍ମ ଜଞ୍ଜାଳ ମଧ୍ୟରେ ଫସି ରହୁଥିବା ମଣିଷ ହସିବା ଭୁଲି ଯାଉଛି। ଫଳରେ ସବୁବେଳେ ଚିନ୍ତାଗ୍ରସ୍ତ ରହି ବହୁ ଲୋକ ଡିପ୍ରେସନକୁ ଚାଲି ଯାଉଥିବା ଜଣାଯାଇଛି। ଏପରି ସମୟରେ ଲୋକଙ୍କ ମୁହଁରେ ହସ ଫୁଟାଇବା ନିମନ୍ତେ ଏହି ଦିବସର ମହତ୍ତ୍ୱ ବେଶ୍ ଗୁରୁତ୍ୱପୂର୍ଣ୍ଣ।
ମଣିଷ ହସଖୁସିରେ ରହିଲେ ବହୁ ସମସ୍ୟା ଆପେ ଆପେ ଦୂର ହୋଇଯାଏ । କେବଳ ଏତିକି ନୁହେଁ ମଣିଷ ଖୁସି ମନରେ ରହିଲେ ବଡ଼ ବଡ଼ ସମସ୍ୟାର ସମାଧାନ ବି ଆଖି ପିଛୁଳାକେ ହୋଇଯାଏ ।
ହସିବା ସ୍ୱାସ୍ଥ୍ୟ ପାଇଁ ଭଲ
- ହସିବା ହିଁ ମଣିଷକୁ ଚାପମୁକ୍ତ କରି ପାରିଥାଏ।
- ଅନ୍ୟକୁ ହସିବାର ଦେଖିଲେ ଆମ ମନରେ ବି ସକରାତ୍ମକ ଉର୍ଜା ଭରି ଯାଇଥାଏ।
- ଦୁନିଆରେ କୋଟି କୋଟି ଲୋକ ଉଚ୍ଚ ରକ୍ତଚାପରେ ପୀଡ଼ିତ । ଏଥିଯୋଗୁ ସେମାନେ ହୃଦରୋଗ ସମେତ ଆହୁରି ବହୁ ଗୁରୁତର ରୋଗର ଶିକାର ହେଉଥିବା ବେଳେ ବହୁ ସମୟରେ ଅକାଳରେ ଆଖି ମଧ୍ୟ ବୁଜି ଦେଉଛନ୍ତି। ଏପରି କ୍ଷେତ୍ରରେ ପ୍ରତିଦିନ ହସିବା ଆବଶ୍ୟକ । ଏପରି କରିବା ଦ୍ୱାରା ଉଚ୍ଚ ରକ୍ତ ଚାପ ନିୟନ୍ତ୍ରଣକୁ ଆସିଥାଏ ।
- ହସିବା ସମୟରେ ଶରୀରରୁ ଏଣ୍ଡୋର୍ଫିନ୍ ନାମକ ତରଳ ପଦାର୍ଥ ନିର୍ଗତ ହୋଇଥାଏ, ଯାହାକି ପ୍ରାକୃତିକ ପେନ୍କିଲର୍ର କାମ ଦେଇଥାଏ। ଏହାଦ୍ୱାରା ଆପଣ ଶରୀରରେ ହେଉଥିବା ଯନ୍ତ୍ରଣାରୁ କିଛି ମାତ୍ରାରେ ଉପଶମ ଲାଭ କରିପାରିବେ।
- ହସିବା ଦ୍ୱାରା ଭାରାକ୍ରାନ୍ତ ଥିବା ମନ ହାଲକା ହୋଇ ଯାଇଥାଏ। ଫଳରେ ମନରେ ସକରାତ୍ମକ ଚିନ୍ତାଧାରା ଆସିଥାଏ।
- ହସିବା ଦ୍ୱାରା ଆପଣ ମାନସିକ ଓ ଶାରୀରିକ ରୂପେ ଖୁସି ରହିଥାନ୍ତି। ଏପରି କରିବା ଦ୍ୱାରା ଚେହେରାର ମାଂସପେଶୀର ଏକ୍ସରସାଇଜ ହୋଇଥାଏ। ଏହାଦ୍ୱାରା ଆପଣଙ୍କ ଚେହେରାରେ ଭାଙ୍ଗ ପଡ଼ି ନ ଥାଏ ଓ ଚେହେରାରେ ଖୁବ୍ କମ୍ ଦିନରେ ଗ୍ଲୋ ପରିଲକ୍ଷିତ ହୋଇଥାଏ।
- ଆମ ଶରୀରରେ ଇମ୍ୟୁନିଟି ସିଷ୍ଟମ ଦୁର୍ବଳ ଥିଲେ ବିଭିନ୍ନ ରୋଗ ମାଡ଼ି ବସିଥାଏ। ଫଳରେ ଜୀବନ ସାରା ମେଡିସିନ ସାହାରାରେ ବଞ୍ଚିବାକୁ ପଡ଼ିଥାଏ। କିନ୍ତୁ ଆମେ ହସିବା ଆରମ୍ଭ କଲେ ପ୍ରାକୃତିକ ଉପାୟରେ ଆମର ଇମ୍ୟୁନିଟି ବୁଷ୍ଟ ହୋଇଥାଏ। ଫଳରେ ଥଣ୍ଡା, କାଶ, ଋତୁ ପରିବର୍ତ୍ତନ ଯୋଗୁ ହେଉଥିବା ଜ୍ୱରରୁ ଆମେ ମୁକୁଳି ପାରିଥାନ୍ତି ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/1QcUoV8
No comments:
Post a Comment