ଯନ୍ତାରେ ପଡ଼ିଲା ନୂଆପଡ଼ାରେ ଆତଙ୍କ ଖେଳାଇଥିବା କଲରା ପତରିଆ ବାଘ। ନୂଆପଡ଼ା ଜିଲ୍ଲା ସଦର ରେଞ୍ଜ ଧରମବନ୍ଧା ଅଞ୍ଚଳର କୋଦୋପାଲିରୁ ଧରାପଡ଼ିଛି ଏହି ମଣିଷଖିଆ କଲରାପତରିଆ ବାଘ।
ଏକ ଘରର ଛାତ ଉପରେ ଗତକାଲି ରାତିରେ ବାଘ ବସିଥିବା ଦେଖି ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ଏହାପରେ ବାଘକୁ ଯନ୍ତା ପକାଇ ଧରିବା ପାଇଁ ଉଦ୍ୟମ କରିଥିଲା ବନ ବିଭାଗ। ରାତି ପ୍ରାୟ ୧୧ଟା ବେଳେ ବନ ବିଭାଗକୁ ମିଳିଥିଲା ସଫଳତା। ବାଘଟି ଯନ୍ତାରେ ପଡ଼ିଥିଲା। ଯନ୍ତାରେ ପଡ଼ିବା ପରେ ଗତକାଲି ବିଳମ୍ବିତ ରାତିରେ ବାଘକୁ ନୂଆପଡ଼ା ରେଞ୍ଜ ଅଫିସ୍କୁ ଅଣାଯାଇଥିଲା।
ଏହି କଲରାପତରିଆ ବାଘ ଗତ ୫ ଦିନ ମଧ୍ୟରେ ଦୁଇ ଜଣଙ୍କୁ ମାରିଥିବା ବେଳେ ଜଣଙ୍କୁ ଆକ୍ରମଣ କରି ଗୁରୁତର କରି ଦେଇଥିଲା। ଶୁକ୍ରବାର ସିଲିଆରିବାହାରା ଗାଁର ଜଣେ ମହିଳା ଜଙ୍ଗଲକୁ ଯାଇ ଆଉ ଫେରି ନଥିଲେ। ଗତକାଲି ବାଘଟି ତାଙ୍କୁ ମାରି ଖାଉଥିବାର ଲୋକେ ଦେଖିଥିଲେ।
ସେହିପରି ଗତକାଲି ସନ୍ଧ୍ୟାରେ କୋଦୋପାଲି ଗାଁର ଜଣେ ୮ ବର୍ଷର ବାଳକକୁ ବାଘ ଝାମ୍ପି ନେଇଥିଲା। ତେବେ ଗ୍ରାମବାସୀ ବାଘକୁ ଦୌଡ଼ାଇ ଥିଲେ। ଏକାଧିକ ଲୋକଙ୍କୁ ଦେଖି ବାଘ ବାଳକକୁ ପକାଇ ଜଙ୍ଗଲକୁ ପଳାଇ ଯାଇଥିଲା। ବାଳକ ଜଣଙ୍କ ଅଳ୍ପକେ ବର୍ତ୍ତି ଯାଇଥିଲେ ହେଁ ଗୁରୁତର ଭାବେ ଆହତ ହୋଇଛନ୍ତି।
ଏହା ପୂର୍ବରୁ ଗତ ୩୦ ତାରିଖରେ ବାଘଟି ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ କଟିଙ୍ଗପାଣି ଗାଁ ଗୋଧସପଡ଼ାରେ ଏକ ୮ ବର୍ଷର ନାବାଳକକୁ ମାରି ଦେଇଥିଲା ଏହି କଲରାପତରିଆ ବାଘ।
ଗତକାଲି କୋଦୋପାଲି ଗାଁରେ ବାଘଟି ଧରାପଡ଼ିବା ପରେ ଲୋକେ ତାକୁ ଛାଡ଼ୁ ନଥିଲେ। ସେମାନେ ଯନ୍ତା ଭିତରେ ଥିବା ବାଘକୁ ଆକ୍ରମଣ କରିଥିବା ଦେଖିବାକୁ ମିଳିଥିଲା। ତେବେ ବନ ବିଭାଗ କର୍ମଚାରୀମାନେ ଲୋକଙ୍କୁ ବୁଝାସୁଝା କରି ବାଘକୁ ସେଠାରୁ ନୂଆପଡ଼ା ରେଞ୍ଜ ଅଫିସ୍କୁ ଆଣିଥିଲେ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/PAhUCq9
No comments:
Post a Comment