ଗତ ୧୩ ଦିନ ହେଲାଣି ଉତ୍ତରକାଶୀ ସୁଡ଼ଙ୍ଗ ଭିତରେ ଫସି ରହିଛି ୪୧ ଜୀବନ । ସେମାନଙ୍କୁ ଉଦ୍ଧାର ନିମନ୍ତେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବା କାମ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଗତକାଲି ସୁଦ୍ଧା ଶ୍ରମିକଙ୍କୁ ବାହାର କରି ଦିଆଯିବ ବୋଲି ଆକଳନ କରାଯାଉଥିବା ବେଳେ ତାହା ସମ୍ଭବ ହୋଇ ପାରିନି।
ଉଦ୍ଧାର କାର୍ଯ୍ୟରେ ଯାନ୍ତ୍ରୀକ ତ୍ରୁଟି ଦେଖା ଯିବାରୁ ସୁଡ଼ଙ୍ଗ ଭିତରକୁ ଡ୍ରୋନ୍ ଛଡାଯାଇଛି। ଡ୍ରୋନ ଦ୍ୱାରା ଶ୍ରମିକଙ୍କ ଗତିବିଧି ନିରୀକ୍ଷଣ କରାଯାଉଛି। ଆଉ ମାତ୍ର କିଛି ମିଟର ଖନନ ହେବା ପରେ ପାଇପଲାଇନ୍ ଦେଇ NDRF ଟିମ୍ ଶ୍ରମିକଙ୍କୁ ବାହାର କରାଯିବ ବୋଲି ଅନୁମାନ କରାଯାଉଛି। ଏଥିନିମନ୍ତେ ଆଜି ଅପରାହ୍ନ ପର୍ଯ୍ୟନ୍ତ ସମୟ ଲାଗିପାରେ ବୋଲି ଆକଳନ କରାଯାଇଛି।
NDRF ଟିମ୍ ବୁଧବାର ପର୍ଯ୍ୟନ୍ତ ୪୫ ମିଟର ରାସ୍ତା କ୍ଲିଅର କରି ସାରିଛନ୍ତି। ଗୁରୁବାର ପାଇପ୍କୁ ୧.୮ ମିଟର ପର୍ଯ୍ୟନ୍ତ ପ୍ରବେଶ କରାଯାଇଛି। ତେଣୁ ଏପର୍ଯ୍ୟନ୍ତ ସମୁଦାୟ ୪୮ ମିଟର ପାଇପ୍ ଡ୍ରିଲିଂ କରାଯାଇ ସରିଛି। ଶ୍ରମିକଙ୍କ ନିକଟରେ ପହଞ୍ଚିବା ନିମନ୍ତେ ଆଉ ୧୬.୨ ମିଟର ଡ୍ରିଲିଂ ବାକି ଥିବା ଜଣାଯାଇଛି।
ଗତକାଲି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଘଟଣାସ୍ଥଳରେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଥିଲେ। ୪୧ ଶ୍ରମିକଙ୍କ ସହ କଥା ହୋଇ ଆଶ୍ୱାସନା ଦେଇଥିଲେ। ଏଥିସହ ଟନେଲ୍ ବାହାରେ କ୍ୟାମ୍ପ ଅଫିସ୍ କରି ଉଦ୍ଧାର କାର୍ଯ୍ୟ ଉପରେ ନଜର ରଖିଛି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍।
ଗତ ରାତିରେ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଆମେରିକାରୁ ଅସିଥିବା ଅଗର ଡ୍ରିଲିଂ ମେସିନ ଭାଙ୍ଗି ଯାଇଛି। ଫଳରେ ଡ୍ରିଲିଂ ବନ୍ଦ ରହିଛି। ତେଣୁ ଆଜି ସେମାନଙ୍କୁ ଉଦ୍ଧାର କରାଯିବା ଆଶା କରାଯାଉଛି। ଗୁରୁବାର ସକାଳ ସୁଦ୍ଧା ଶ୍ରମିକମାନେ ବାହାରକୁ ଆସିଯିବେ ବୋଲି କୁହାଯାଉଥିଲା। କିନ୍ତୁ ଡ୍ରିଲିଂରେ ସମସ୍ୟା ଓ ମେସିନ୍ ଖରାପ ହେବା ଯୋଗୁଁ ମିଶନ୍ ବନ୍ଦ ରହିଥିଲା।
ସୁଡ଼ଙ୍ଗ ଭିତରୁ ଶ୍ରମିକମାନେ ବାହାରିବା ପରେ ସେମାନଙ୍କର ପ୍ରଥମେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ଅସୁସ୍ଥ ଥିବା ଶ୍ରମିକଙ୍କୁ ହସ୍ପିଟାଲରେ ଚିକିତ୍ସିତ କରାଯିବ। ସେଥିପାଇଁ ଆମ୍ବୁଲାନ୍ସ ପ୍ରସ୍ତୁତ କରି ରଖାଯାଇଛି।
ଟନେଲ ମଧ୍ୟରୁ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ନିମନ୍ତେ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଥିବା ଉଦ୍ଧାର କାର୍ଯ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୧୯ ଏଜେନ୍ସି ନିୟୋଜିତ ଅଛନ୍ତି।
ଏଥିସହ ଆଗକୁ ଯେପରି ଏପରି ଘଟଣାର ପୁନରାବୃତ୍ତି ନ ହୁଏ ସେଥିନିମନ୍ତେ ଦେଶର ସମସ୍ତ ୨୯ଟି ଟନେଲର ସେଫ୍ଟି ଯାଞ୍ଚ କରାଯିବାକୁ ସ୍ଥିର କରାଯାଇଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/oxZFBXJ
No comments:
Post a Comment