ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି । ଶ୍ରୀମୁଖ ଶୃଙ୍ଖାର କରିବେ ଦତ୍ତମହାପାତ୍ର ସେବାୟତ । ଏଣୁ ସନ୍ଧ୍ୟା ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ୪ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।
ଏହା ଶ୍ରୀଜିଉଙ୍କ ଗୁପ୍ତ ନୀତି ହୋଇଥିବାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ଆଜି ଅପରାହ୍ମରେ ଦ୍ୱିତୀୟ ଭୋଗ ମଣ୍ଡପ ସରିବା ପରେ ଦତ୍ତମହାପାତ୍ର ସେବକ ମାନେ ବନକଲାଗି ନୀତି କରିବେ ।
ହିଙ୍ଗୁଳ, ହରିତାଳ, ଶଙ୍ଖ, କେଶର, କର୍ପୁର, କଇଥଅଠା, କସ୍ତୁରୀ ଓ କଳା ଇତ୍ୟାଦି ବ୍ୟବହାର କରି ଶ୍ରୀମୁଖ୍ୟ ଶୃଙ୍ଖାର କରିବାର ପରମ୍ପରା ରହିଛି ।
ଶ୍ରୀମନ୍ଦିର ଗର୍ଭଗୃହସ୍ଥ ରତ୍ନସିଂହାସନରେ ବିରାଜିତ ମହାପ୍ରଭୁ ଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ମୁଖମଣ୍ଡଳର ଦୀପ୍ତି ବଢ଼ାଇବା ପାଇଁ ଶହ ଶହ ବର୍ଷ ଧରି ଅନୁଷ୍ଠିତ ହୋଇଆସୁଛି ଏହି ଗୁପ୍ତ ନୀତି।
ଶ୍ରୀମନ୍ଦିର ରେକର୍ଡ ଅଫ୍ ରାଇଟ୍ସ କୁହେ, ମହାପ୍ରଭୁଙ୍କର ଏହି ଶ୍ରୀଅଙ୍ଗ ଲାଗି ସେବାର ସୁଯୋଗ ପାଇଛନ୍ତି ଦତ୍ତମହାପାତ୍ର ସେବକ। ଏହା ବଂଶାନୁକ୍ରମିକ ସେବା ଓ ସିଧା ରତ୍ନବେଦୀ ଉପରେ ଚଢ଼ି ଠାକୁରମାନଙ୍କୁ ଆକର୍ଷଣୀୟ ରୂପ ଦେବାର ସୁଯୋଗ। ବନକଲାଗିରେ ମୁଖ୍ୟତଃ ଚାରି ପ୍ରକାର ପ୍ରାକୃତିକ ରଙ୍ଗ ବ୍ୟବହାର ହୋଇଥାଏ, ଯାହା ହେଲା କଳା, ଧଳା, ନାଲି ଓ ହଳଦିଆ। ଆଉ ସେଥିପାଇଁ ଦରକାର ପଡୁଥିବା ସାମଗ୍ରୀ ଗୁଡ଼ିକ ହେଲା କଜ୍ଜ୍ୱଳ, ହିଙ୍ଗୁଳ, ହରିତାଳ, କସ୍ତୁରୀ, ଚନ୍ଦନ, କର୍ପୂର, କେଶର ଓ ଘୋରା ଶଙ୍ଖ। ଏଥିରୁ ଅଧିକାଂଶ ବନଜାତ ଦ୍ରବ୍ୟ।
ହିଙ୍ଗୁଳକୁ ହଳଦିଆ ରଙ୍ଗ ଭାବେ ବ୍ୟବହାର ହେଉଥିବା ବେଳେ ହରିତାଳ ଲାଲ ରଙ୍ଗ ପାଇଁ ଦରକାର। ବଳଭଦ୍ରଙ୍କ ଶ୍ରୀମୁଖ ଶିଙ୍ଗାର ପାଇଁ ଅତି ଦରକାରୀ ଧଳା ରଙ୍ଗ ମୁଖ୍ୟତଃ ଘୋରା ହୋଇଥିବା ଦକ୍ଷିଣାବର୍ତ୍ତୀ ଶଙ୍ଖରୁ ସଂଗୃହୀତ ହୋଇଥାଏ। ସେହିପରି କଳାଠାକୁର ଜଗନ୍ନାଥଙ୍କ ଶ୍ରୀମୁଖ ଶିଙ୍ଗାର ପାଇଁ ପ୍ରଜ୍ୱଳିତ ଦୀପରୁ ସଂଗୃହୀତ କଳା ବ୍ୟବହାର ହୋଇଥାଏ।
ପ୍ରତ୍ୟେକ ସାମଗ୍ରୀ ରୁପା ଷଡ଼େଇରେ ରଖି ଗୋଳାଯିବା ପରେ ଶ୍ରୀବିଗ୍ରହମାନଙ୍କ ବନକଲାଗି କରାଯାଏ। ଯେହେତୁ ବର୍ତ୍ତମାନ ସମୟରେ କସ୍ତୁରୀ ଅତି ଦୁର୍ଲଭ ହୋଇଛି ଓ ନେପାଳରୁ ଆଉ ଏହା ଆସୁନାହିଁ। ତେଣୁ ତାକୁ ବାଦ ଦେଇ ଶ୍ରୀମନ୍ଦିର ପ୍ରଶାସନ ଯୋଗାଇ ଦେଉଥିବା ବାକି ସାମଗ୍ରୀରେ ବନକଲାଗି କରାଯାଉଥିବା କହିଛନ୍ତି ଦତ୍ତ ମହାପାତ୍ର ସେବକ।
ମହାପ୍ରଭୁଙ୍କ ବନକଲାଗି ଅତ୍ୟନ୍ତ ଗୁପ୍ତ ଓ ସମୟ ସାପେକ୍ଷ ନୀତି। ଦ୍ୱିତୀୟ ଭୋଗ ମଣ୍ଡପ ଉଠିବା ପରେ ଠାକୁରମାନଙ୍କୁ ପହୁଡ଼ କରାଯାଇ ଏହି ନୀତି ଆରମ୍ଭ କରାଯାଏ। ଯାହାକି ଅତିକମ୍ରେ ୪ରୁ ୫ ଘଣ୍ଟା ଲାଗିଥାଏ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/AyGX3Lg
No comments:
Post a Comment