ଗର୍ଲଫ୍ରେଣ୍ଡଙ୍କୁ ଗାଡ଼ି ମଡ଼ାଇ ହତ୍ୟା ଉଦ୍ୟମ କରିଥିବା ମହାରାଷ୍ଟ୍ରର ଆଇଏଏସ୍ ଅଧିକାରୀଙ୍କ ପୁଅ ଶେଷରେ ଗିରଫ ହୋଇଛନ୍ତି। ବାପାଙ୍କ ଦବଦବା ଯୋଗୁ ଗତ ୭ ଦିନ ହେବ ଖୁଲମଖୁଲା ବୁଲୁଥିବା ଅଶ୍ୱଜିତ ଗାଏକୱାଡ଼ଙ୍କୁ ଗତକାଲି ବାନ୍ଧିଛି ମୁମ୍ବାଇ ଥାନେ ପୁଲିସର ଏସଆଇଟି ଟିମ୍। କ୍ଷମତାଶାଳୀ ବାପାଙ୍କ କ୍ଷମତା ବି ଶେଷରେ ଅଭିଯୁକ୍ତ ପୁଅକୁ ଗିରଫଦାରୀରୁ ରକ୍ଷା କରି ପାରିନି।
ଅଶ୍ୱଜିତଙ୍କ ଦୁଇ ସହଯୋଗୀ ରୋମି ପାଟିଲ ଓ ସାଗର ସେଡ଼ଗେଙ୍କୁ ମଧ୍ୟ ଗିରଫ କରାଯାଇଛି। ସଂପୃକ୍ତ ଗାଡ଼ିକୁ ମଧ୍ୟ ଜବତ କରିଛି ପୁଲିସ। ଅଶ୍ୱଜିତଙ୍କୁ ଭେଟିବାକୁ ଯାଇଥିବା ବେଳେ ତାଙ୍କୁ ଗାଡ଼ି ମଡ଼ାଇ ମାରି ଦେବାକୁ ଉଦ୍ୟମ କରାଯାଇଥିବା ପ୍ରିୟା ସିଂହ ନାମ୍ନୀ ୨୬ ବର୍ଷୀୟା ଯୁବତୀ ଅଭିଯୋଗ କରିଥିଲେ।
ପ୍ରିୟାଙ୍କ ସୂଚନା ଅନୁଯାୟୀ, ଅଶ୍ୱଜିତ ଓ ପତାଙ୍କ ସମ୍ପର୍କ ୪ ବର୍ଷ ପୁରୁଣା। ଅଶ୍ୱଜିତ ବିବାହିତ ଜାଣି ବି ପ୍ରିୟା ତାଙ୍କ ସହ ସମ୍ପର୍କ ରଖିଥିଲେ। ଏଥିସହ ସେ କହିଛନ୍ତି, ନିଜ ପ୍ରେମିକଙ୍କ ଫୋନ୍ ପାଇ ତାଙ୍କୁ ଦେଖା କରିବାକୁ ଗତ ୧୧ ତାରିଖ ରାତିରେ ସେ ଏକ ହୋଟେଲକୁ ଯାଇଥିଲେ । କିନ୍ତୁ ସେଠାରେ ଅଶ୍ୱଜିତ ନିଜ ପତ୍ନୀଙ୍କ ସହ ଉପସ୍ଥିତ ଥିଲେ। ଏହା ଦେଖି ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା।
ଏଥିରେ ଉତ୍ତ୍ୟକ୍ତ ହୋଇ ଅଶ୍ୱଜିତଙ୍କ ସମେତ ତାଙ୍କ ୩ ସାଙ୍ଗ ପ୍ରିୟାଙ୍କୁ ପ୍ରବଳ ମାରପିଟ କରିଥିଲେ। ଜୀବନ ବିକଳରେ ସେ ବାହାରକୁ ଦୌଡ଼ି ପଳାଇ ଆସିଥିଲେ। ଏହାଦେଖି ତାଙ୍କୁ ଗାଡ଼ି ଚକା ତଳେ ଚାପି ଦେବାକୁ ଅଶ୍ୱଜିତ ନିଜ ଡ୍ରାଇଭରଙ୍କୁ କହିଥିଲେ। ଏହାପରେ ଡ୍ରାଇଭର କାର୍ ଚଢ଼ାଇଦେବାରୁ ଘଟଣାସ୍ଥଳରେ ଗୁରୁତର ହୋଇ ପଡ଼ିଥିଲେ ପ୍ରିୟା। ରାସ୍ତାରେ ଯାଉଥିବା କିଛି ଲୋକ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ।
ଏନେଇ ସେ ପୁଲିସ୍ ନିକଟରେ ଅଭିଯୋଗ କରିଥିବା ବେଳେ ପୁଲିସ୍ କିନ୍ତୁ ଘଟଣାକୁ ଗୁରୁତ୍ୱ ଦେଇ ନ ଥିଲା। ଏପରିବି ସାଦା କାଗଜରେ ଦସ୍ତଖତ ନେବାକୁ ମଧ୍ୟ ଚାପ ପକାଇଥିବା ପ୍ରିୟା ଅଭିଯୋଗ କରିଥିଲେ। ଏନେଇ ସେ ନିଜ ଇନଷ୍ଟାଗ୍ରାମରେ ଷ୍ଟୋରି ପୋଷ୍ଟ କରିବା ପରେ ଘଟଣା ଲୋକଲୋଚନକୁ ଆସଥିଲା। ଏହାପରେ ପୁରା ଘଟଣାର ତଦନ୍ତ ପାଇଁ ଥାନେ ପୋଲିସ ପକ୍ଷରୁ SIT ଗଠନ କରାଯାଇଥିଲା।
ହେଲେ ଅଶ୍ୱଜିତ ଏହି ଅଭିଯୋଗକୁ ଖଣ୍ଡନ କରି କହିଥିଲେ, ପ୍ରିୟା କେବଳ ତାଙ୍କର ଜଣେ ସାଙ୍ଗ। ପ୍ରେମ ସଂପର୍କ କିଛି ନାହିଁ। ଟଙ୍କା ଝଡ଼ାଇବାକୁ ପ୍ରିୟା ଏପରି ମିଛ ଅଭିଯୋଗ କରୁଛନ୍ତି ବୋଲି ଅଶ୍ୱଜିତ କହିଥିଲେ।
ମାତ୍ର ତଦନ୍ତ ପରେ ଅଶ୍ୱଜିତଙ୍କୁ ଗିରଫ କରିଛି SIT। ଅଶ୍ୱଜିତଙ୍କ ବାପା ଅନୀଲ କୁମାର ଗାଏକୱାଡ ମହାରାଷ୍ଟ୍ର ରାଜ୍ୟ ସଡ଼କ ବିକାଶ ନିଗମର ଏମଡି ଅଛନ୍ତି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/41bfaiC
No comments:
Post a Comment