ଜଣେ ସମଲିଙ୍ଗୀ ଓଡ଼ିଆ ଯୁବକଙ୍କ ମର୍ମସ୍ପର୍ଶୀ ଆତ୍ମକଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 9, 2018

ଜଣେ ସମଲିଙ୍ଗୀ ଓଡ଼ିଆ ଯୁବକଙ୍କ ମର୍ମସ୍ପର୍ଶୀ ଆତ୍ମକଥା

ସୁପ୍ରିମ୍‌ କୋର୍ଟରେ ମଙ୍ଗଳବାର ହେବ ସମଲିଙ୍ଗୀ ମାମଲାର ଶୁଣାଣି। ଯାହାର ଜଣେ ଆବେଦନକାରୀ ଯୁବକଙ୍କ ଚିଠି ‘ଓଡ଼ିଶା ରିପୋର୍ଟର’ର ହସ୍ତଗତ ହୋଇଛି। ଯୁବକ ଜଣକ ଓଡ଼ିଆ ଓ ନିଜ ନାମ ଗୋପନ ରଖି ସେ ନିଜ ମନକଥା ଆଉ ଅଙ୍ଗେନିଭା କହାଣୀକୁ ଚିଠିରେ ଲେଖି ଜଣାଇଛନ୍ତି। ତା ହେଲେ ଆସନ୍ତୁ ପଢିବା ସେ ଚିଠି।    

“ମୁଁ ସ୍ୱାଭାବିକ୍‌ । ଗୋଟେ ସାଧାରଣ ଓଡ଼ିଆ ପରିବାରରୁ ଆସିଛି। ବୟସ ୨୩ ଛୁଇଁଲାଣି। ଭାରି ସାଧାସିଧା ଚଳଣିରେ ପିଲାଟିବେଳୁ ବଢ଼ି ଆସିଛି। ଘରେ ମୋତେ ପ୍ରାଣଭରି ଭଲ ପାଉଥିବା ମୋ ବାପା ଆଉ ମା’ ବି ଅଛନ୍ତି। ଯାହାଙ୍କ ସ୍ନେହ ଆଉ ଭଲପାଇବାରେ ମୋ ଜୀବନ ଆଜିଯାଏ ଗଡ଼ି ଚାଲିଛି। ଏତେ ଶ୍ରଦ୍ଧା ଆଉ ସ୍ନେହ ପାଇ ବି ମୁଁ ଖୁସି ହୋଇପାରିନି। ପିଲାଟିବେଳୁ ସବୁ ଖୁସି ମୋତେ ମିଳିଛି। ଯାହା ଚାହିଁଛି କରିଛି, ତଥାପି ଏମିତି କିଛି କଥା ଥିଲା ଯାହାକୁ ମୁଁ ସବୁବେଳେ ଝୁରିହୁଏ।

ପିଲାଟି ବେଳୁ ମୁଁ ଜାଣିଥିଲି ମୁଁ ପୁଅଟିଏ ବୋଲି। ହେଲେ ବୟସ ବଢ଼ିବା ସହ ମୋର ଅନ୍ତର୍ନିହିତ ପ୍ରବୃତ୍ତି ବିକଶିତ ହେବାକୁ ଲାଗିଲା। ପୁଅଟିଏ ହୋଇ ବି ଉଭୟ ଲିଙ୍ଗ ପ୍ରତି ମୋର ଅହେତୁକ ଆକର୍ଷଣ ରହିଥିଲା। ହଠାତ୍‌ ଝିଅଟିକୁ ଦେଖିଲେ ପୁଅଟିଏ ଯେମିତି ଅନୁଭବ କରେ ମୁଁ ବି ଠିକ୍‌ ସେମିତି ଅନୁଭବ କରୁଥିଲି। ହେଲେ ଖାଲି ଝିଅଟିଏ ପାଇଁ ନୁହେଁ, ସୁନ୍ଦର ପୁଅଟିଏ ଦେଖିଲେ ବି ମୋ ଶରୀର ରୋମାଞ୍ଚିତ ହୋଇ ଉଠେ। ତା ପ୍ରତି ମୋର ଯୌନ ଆକର୍ଷଣ ମୋତେ ଅସ୍ଥିର କରିପକାଏ।

ହେଲେ ଏ ପ୍ରବୃତ୍ତି ସମ୍ପର୍କରେ କାହାରିକୁ କହିବାକୁ ମୁଁ ଉଚିତ୍‌ ମନେ କରିନି। ନିଜ ଭିତରେ ନିଜେ ମରିଛି। ଅବଶ୍ୟ ଏପରି ଭାବନାକୁ ପ୍ରକାଶ କରିଥିଲେ ମୁଁ ଅସୁବିଧାରେ ପଡ଼ିଥାନ୍ତି। ନିଜ ମନର ଭାବକୁ ମନରେ ଚାପିରଖିଲି। ଆଉ ଏହି କାରଣରୁ ଅନେକ ସମ୍ପର୍କକୁ ନିଜ ହାତରେ ଭାଙ୍ଗିଦେବାକୁ ହିଁ ଶ୍ରେୟସ୍କର ମନେକଲି।

ପାଠପଢ଼ାରେ ଅଧିକ ମନୋନିବେଶ କଲି। ଦେଖୁଦେଖୁ ମୋର ନୂଆ ଠିକଣା ପାଲଟିଗଲା IIT ଖଡ଼ଗ୍‌ପୁର କ୍ୟାମ୍ପସ୍‌। ନୂଆ ଦୁନିଆରେ ପାଦ ଦେଇଥିଲେ ବି ମୋ ମନ ଲାଗୁ ନ ଥାଏ।  ନିଜ ପ୍ରତି ଅନ୍ୟାୟ କରୁଛି ବୋଲି ଅନୁଭବ କଲି। ଏହି ସମୟରେ IIT ବମ୍ବେର ସ୍ନାତକ ଆଦିତ୍ୟ ଶଙ୍କରଙ୍କ ସଂସ୍ପର୍ଶରେ ଆସିଲି। ଯାହାଙ୍କ ସହ ମିଶିଲା ପରେ ମୁଁ ମୋ ନିଜକୁ ନ୍ୟାୟ ଦେଇପାରିବି ବୋଲି ଚିନ୍ତାକଲି। ଅବସାଦ ଭରା ମୋ ମନରେ ଆଶାର କିଶଳୟ ବିକଶିତ ହେଲା। କାରଣ ସେ ସମୟରେ ଆଦିତ୍ୟ ହିଁ ଏକମାତ୍ର ଲୋକ ଥିଲେ ଯେ, କି LGBTQ(ସମଲିଙ୍ଗୀ ସମ୍ପର୍କ ଅଧିକାର) ସମ୍ପର୍କରେ ସ୍ୱର ଉତ୍ତୋଳନ କରୁଥିଲେ।

ତାଙ୍କ ସହ ମିଶିବା ପରେ ଅନୁଭବ କଲି ମୁଁ କେବେବି ଅସ୍ୱାଭାବିକ ନୁହେଁ। ଯାହା ସବୁ ଭାବନା ମୋ ମନରେ ଅଛି, ଯାହା ସବୁ ମୋ ମନ ଚାହୁଁଛି, ସେ ସବୁ ସ୍ୱାଭାବିକ। ସାଧାରଣ ମଣିଷଟିଏ ଯେଭଳି ବିଭିନ୍ନ ଧରଣର ଯୌନ ସମ୍ପର୍କ ରକ୍ଷା କରିବାକୁ ଇଚ୍ଛା ପ୍ରକାଶ କରିଥାଏ, ଠିକ୍ ସେ ପରି ମୁଁ ଉଭୟ ଲିଙ୍ଗ ପ୍ରତି ଆକର୍ଷିତ ହୁଏ। ଏଥିରେ ଭୁଲ୍‌ କୋଉଠି ? ଏ କଥା ଅନୁଭବ କରିବା ପରେ ପ୍ରଥମେ ମୁଁ ମୋ ପ୍ରେମିକା ପାଖକୁ ଗଲି। ଆଉ ମନଖୋଲି ତାକୁ ସବୁକଥା କହିଲି। ସେ ହତ୍‌ବାକ୍‌ ହୋଇଗଲା। ହଠାତ୍‌ ଏମିତି କିଛି ଶୁଣିବା ତା ପକ୍ଷରେ ଆଶ୍ଚର୍ଯ୍ୟଜନକ ଥିଲା। କିଛି ଦିନ ପରେ ମୋ କଥା ସହ ସେ ସହମତ ହେଲା । ଆଉ ମୁଁ ମୋ ଅଧିକାର ପାଇଁ ଲଢିବାକୁ ଚାହୁଁଥିବାରୁ ସେ ଏଥିରେ ସହଭାଗୀ ହେବ ବୋଲି କହିଲା। ତା ପରେ IIT ରେ ପାଠ ପଢୁଥିବା ମୋର କିଛି ଜୁନିୟର ମଧ୍ୟ ମୋତେ ସହଯୋଗର ହାତ ବଢ଼ାଇଲେ। ମୁଁ ଉତ୍ସାହିତ ହୋଇପଡିଲି।

ସମୟ କ୍ରମେ ଉଚ୍ଚତର ଶିକ୍ଷା ପାଇଁ ମୁଁ ଆମେରିକା ଗଲି। ଆଉ ସେଠାକୁ ଯିବାପରେ ସମଲିଙ୍ଗୀ ସମ୍ପର୍କ ବିଷୟରେ ଥିବା ମୋର ଭ୍ରାନ୍ତି ଦୂର ହେଲା। ମୁଁ ଭାରତ ଫେରିଲି। ଆଉ ଏବେ ସମ୍ପୁର୍ଣ୍ଣ ପ୍ରକୃତିସ୍ଥ ହୋଇ ଏହା ହିଁ କହିବି, ମୁଁ ସ୍ୱାଭାବିକ୍‌। ଠିକ୍‌ ତୁମମାନଙ୍କ ଭଳି।

ରକ୍ଷଣଶୀଳ ଭାରତୀୟ ସମାଜରେ ମୋ ଭଳି ଅନେକ ପିଲା ଥିବେ ଯେଉଁମାନେ ଏମିତି ହିଁ ପ୍ରବୃତ୍ତି ନେଇ ଜନ୍ମ ନେଇଥିବେ । ହେଲେ ସାମାଜିକ କଟକଣା ହୁଏତ ସେମାନଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରୁଥିବ ନଚେତ୍‌ ନିଜ ଭିତରେ ନିଜକୁ ମରିବାକୁ ଛାଡ଼ି ଦେଉଥିବ । ଏଣୁ ସମୟ ଆସିଛି, ଆମେ ଆମର ମାନସିକତାରେ ପରିବର୍ତ୍ତନ ଆଣିବା ଉଚିତ୍‌ ହେବ।”



from OdishaReporter https://ift.tt/2KKREwv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages