
ଆବଶ୍ୟକ ସାମଗ୍ରୀ: ଛୋଟ ଛୋଟ ପିସ୍ ହୋଇ କଟାଯାଇଥିବା ପଣସ କଠା, କଖାରୁ ଫୁଲ, କଟା ପିଆଜ, ତେଲ, ହଳଦୀ ଗୁଣ୍ଡ, ଲୁଣ, ଲଙ୍କାଗୁଣ୍ଡ, ଧନିଆ ପତ୍ର, କଟା ଟମାଟୋ, ଧନିଆ ଗୁଣ୍ଡ, ଜିରାଗୁଣ୍ଡ, ବେସନ ଚାଉଳ ଚୁନା ପିଠଉ, ସୋରିଷ ଓ ଜିରା।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଛୋଟ ଛୋଟ ହୋଇ କଟା ହୋଇଥିବା ପଣସ କଠାକୁ ଗରମ ପାଣିରେ ପକାଇ ସିଝାଇ ଦିଅନ୍ତୁ। ସିଝିଗଲା ପରେ ତାକୁ ଏକ ପାତ୍ରକୁ କାଢ଼ିଦେଇ, ସେଥିରେ ଲୁଣ ହଳଦୀ ଓ ଅଳ୍ପ ପାଣି ଦେଇ ଚକଟି ଦିଅନ୍ତୁ। ତା’ପରେ ଚୁଲାରେ ଏକ କଡ଼େଇ ବସାଇ ସେଥିରେ ତେଲ ପକାନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ ସୋରିଷ ଓ ଜିରା ପକାନ୍ତୁ। ତା’ପରେ ସେଥିରେ କଟା ପିଆଜ ପକାନ୍ତୁ। ପିଆଜ ଅଳ୍ପ ବାଦାମୀ ରଙ୍ଗ ହୋଇ ଆସିଲେ, ସେଥିରେ କଟା ଟମାଟୋ, ହଳଦୀ ଗୁଣ୍ଡ, ଲୁଣ, ଲଙ୍କାଗୁଣ୍ଡ, ଧନିଆ ଗୁଣ୍ଡ ଓ ଜିରାଗୁଣ୍ଡ ପକାଇ କଷି ଦିଅନ୍ତୁ। ତା’ପରେ ସେଥିରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ପଣସ କଠା ଚକଟା ପକାନ୍ତୁ। ଏହାପରେ ଧନିଆ ପତ୍ର ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଜନ୍ତଣୀ ପ୍ରସ୍ତୁତ ହୋଇଗଲା ପରେ ତାକୁ ଚୁଲାରୁ ଓହ୍ଲାଇ ଦିଅନ୍ତୁ। ପିଠଉ ପ୍ରସ୍ତୁତ କରିବାକୁ ଏକ ପାତ୍ରରେ ବେସନ, ଚାଉଳ ବଟା, ଜିରା, ଲଙ୍କା , ରସୁଣ ଛେଚା, ହଳଦୀ ଗୁଣ୍ଡ ଓ ଲୁଣ ନିଅନ୍ତୁ। ଏହାପରେ ଚୁଲାରେ ତାୱା ବସାଇ ସେଥିରେ ତେଲ ପକାନ୍ତୁ। ତେଲ ଗରମ ହୋଇଯିବା ପରେ, କଖାରୁ ଫୁଲରେ ପଣସକଠା ଜନ୍ତଣୀକୁ ପୂର ଭଳି ଦେଇ, ତାକୁ ପିଠଉରେ ବୁଡ଼ାଇ ଦିଅନ୍ତୁ ଓ ତାୱାରେ ଭାଜନ୍ତୁ। କିଛି ସମୟ ପରେ ଟିକିଏ ତେଲ ପକେଇ ତାକୁ ଏପଟ ସେପଟ କରି ଲେଉଟାନ୍ତୁ। ଟିକେ ବାଦାମୀ ରଙ୍ଗ ହୋଇ ଆସିଲେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ‘କଖାରୁ ଫୁଲ-ପଣସକଠା ପିଠଉ’।
from OdishaReporter https://ift.tt/2LxUrbL

No comments:
Post a Comment