
କଲ୍ୟାଣସିଂହପୁର(ମାଉଡ଼ି ବାରିକ): ଆଦିବାସୀଙ୍କ ପରମ୍ପରା କନିଆଁ ଝିକାକୁ କେନ୍ଦ୍ର କରି ୪ଟି ଗାଁ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆହତମାନେ ହେଲେ ଶିପୁ ସିକକା, ବାମ ସିକାକା, ଶ୍ୟାମ ପାକଳା, ଓ ଆମ୍ୱ ଶିକକା। ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ୍ ପାରସାଲୀ ପଞ୍ଚାୟତ ନିୟମଗିରି ପାହାଡ଼ ଅଞ୍ଚଳରେ।
ସୂଚନା ଅନୁସାରେ, ଗତ ୬ ତାରିଖରେ ଲମ୍ୱା ଗାଁର ବାମ ଶିକାକା ପାଇଁ ସାନ ଡେଙ୍ଗିଲିଲି ଗାଁର ଝିଅ ସହିତ ପରମ୍ପରା ଅନୁସାରେ ବିବାହ ନିଷ୍ପତ୍ତି ହୋଇଥିଲା। ତେବେ ଡଙ୍ଗରି଼ଆ ପରମ୍ପରା ‘କନିଆଁ ଝିକା’ ଅନୁସାରେ ସେହି ଝିଅକୁ ପୁଅ ବାମ ଶିକାକା ଝିକି ନେଇଥିଲା। ହେଲେ ଏଥିରେ ଝିଅର ଇଚ୍ଛା ନ ଥିଲା। ତେଣୁ ସେ ବାପ ଘର ସାନ ଡେଙ୍ଗିଲିଲି ଚାଲି ଆସିଥିଲା। ଝିଅଟି ନିଶିଖାଲ ଗାଁର ଜଣେ ପୁଅକୁ ପସନ୍ଦ କରିଥିଲା। ଏହାକୁ ନେଇ ଲମ୍ବା, ଗୁମ୍ମା, ଡେଙ୍ଗିଲିଲି ଏବଂ ନିଶିଖଳ ଗାଁ ମଧ୍ୟରେ ନିୟମଗିରି ସୁରକ୍ଷା ମଞ୍ଚର ସଭାପତି ଶିକଲା ଲଦଙ୍କ ଉପସ୍ଥିତିରେ ଏକ ବୈଠକ ବସିଥିଲା। ହେଲେ ବୈଠକରେ କୌଣସି ନିଷ୍ପତ୍ତି ହୋଇପାରିନଥିଲା। ଫଳରେ ଏହି ୪ଟି ଗାଁ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ଘଟଣା ସମ୍ପର୍କରେ ଥାନାରେ ଏତଲା ଦିଆଯାଇଛି।
from OdishaReporter https://ift.tt/2KJ1Lls
No comments:
Post a Comment