
ଇସଲାମାବାଦ: ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ଏବେ ଦେଶର ନ୍ୟାୟପାଳିକାକୁ ନିୟନ୍ତ୍ରଣ କରିବାକୁ ଚାହୁଁଛି। ବିଭିନ୍ନ ମାମଲାରେ ଆଇଏସ୍ଆଇ ନିଜ ଅନୁସାରେ ରାୟ ଦେବାକୁ ମୁଖ୍ୟ ବିଚାରପତି ଓ ବିଭିନ୍ନ କୋର୍ଟର ବିଚାରପତିଙ୍କ ଉପରେ ଚାପ ପକାଉଛି। ବର୍ତ୍ତମାନ ଜେଲ୍ରେ ଥିବା ପାକ୍ର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ୍ ଓ ତାଙ୍କ ଝିଅ ମାରୟମ ଶରିଫଙ୍କ କ୍ଷେତ୍ରରେ ସମାନ ନୀତି ଆପଣାଉଛି। ଜୁଲାଇ ୨୫ରେ ହେବାକୁ ଥିବା ପାକ୍ ସାଧାରଣ ନିର୍ବାଚନ ଶେଷ ନ ହେବା ଯାଏ ଉଭୟଙ୍କୁ ଜେଲ୍ରେ ରଖାଯାଉ ବୋଲି ଆଇଏସ୍ଆଇ ଇସଲାମାବଦାଦ ହାଇକୋର୍ଟର ବିଚାରପତିଙ୍କୁ କହିଛି। ଖୋଦ ଇସଲାମାବାଦର ହାଇକୋର୍ଟର ଜଣେ ବିଚାରପତି ଏଭଳି ଚାଞ୍ଚଲ୍ୟ କର ତଥ୍ୟ ଦେଇଛନ୍ତି। ରାୱଲପିଣ୍ଡି ବାର୍ ଆସୋସିଏନ୍ ସହ କଥା ହୋଇ ବିଚାରପତି ଜଷ୍ଟିସ୍ ଶୌକତ୍ ସିଦ୍ଦିକ୍ ଖୋଲାଖୋଲି ଭାବେ ଆଇଏସ୍ଆଇକୁ ସମାଲୋଚନା କରିବା ସହ ଏହି ଗୁଇନ୍ଦା ସଂସ୍ଥା ଦେଶର ନ୍ୟାୟପାଳିକା ଓ ମିଡିଆକୁ ନିଜ ନିୟନ୍ତ୍ରଣକୁ ନେବାକୁ ଚାହୁଁଛି ବୋଲି କହିଛନ୍ତି। ସେ କହିଛନ୍ତି ଏବେ ନ୍ୟାୟପାଳିକା ଓ ମିଡିଆ ସେନା ନିୟନ୍ତ୍ରଣକୁ ଚାଲି ଆସିଛି। ନ୍ୟାୟପାଳିକାର ସ୍ୱଧୀନତା ନାହିଁ। ଏପରି କି ଗଣମାଧ୍ୟମ ମଧ୍ୟ ସେନାର ନିର୍ଦ୍ଦେଶରେ ଖବର ପ୍ରକାଶ କରୁଛି। ମିଡିଆ ସତକଥା କହିବାକୁ ଡରୁଛି। କାରଣ ମିଡିଆକୁ ସେନା ନିୟନ୍ତ୍ରଣ କରୁଛି। ବିଭିନ୍ନ ମାମଲାର ଶୁଣାଣି ହେବାକୁ ଥିବା ବେଳେ ଆଇଏସ୍ଆଇ ନିଜ ଇଚ୍ଛା ଅନୁସାରେ ବେଞ୍ଚ୍ ଗଠନ କରୁଛି। ଏହି ବେଞ୍ଚ୍ର ବିଚାରପତିମାନେ ଆଇଏସ୍ଆଇ ଯେଉଁ ଅନୁସାରେ ଚାହୁଁଛି, ତଦ୍ନୁଯାୟୀ ରାୟ ଦେଉଛନ୍ତି। କିଛିଦିନ ତଳେ ଆଇଏସ୍ଆଇର କିଛି ଅଧିକାରୀ ମୁଖ୍ୟ ବିଚାରପତିଙ୍କ ସହ କଥା ହୋଇଥିଲେ। ଏମାନେ ନୱାଜ ଶରିଫ୍ ଓ ତାଙ୍କ ଝିଅ ଯେମିତି ନିର୍ବାଚନ ପୂର୍ବରୁ ଜେଲରୁ ମୁକୁଳିବେ ନାହିଁ, ସେଭଳି ରାୟ ଦେବାକୁ କହିଥିଲେ। ଏପରି କି ଭ୍ରଷ୍ଟାଚାର ମାମଲାରେ ଜେଲ୍ଦଣ୍ଡ ପାଇଥିବା ଶରିଫ ଓ ତାଙ୍କ ଝିଅ ଯେଉଁ ଆବେଦନ କରିଥିଲେ, ତା’ର ଶୁଣାଣିରେ ମୋତେ ସାମିଲ ନ କରିବାକୁ ଆଇଏସ୍ଆଇ ଅଧିକାରୀମାନ ମୁଖ୍ୟ ବିଚାରପତିଙ୍କୁ ନିର୍ଦ୍ଦେଶ ଦେଇଥିବା ସିଦ୍ଦିକ୍ କହିଛନ୍ତି। ଆଇଏସ୍ଆଇ ନିର୍ଦ୍ଦେଶରେ ନିର୍ବାଚନ ପରେ ହିଁ ଶରିଫଙ୍କ ଆବେଦନର ଶୁଣାଣି ହେବ ବୋଲି କୋର୍ଟ ନିଷ୍ପତ୍ତି ନେଇଛନ୍ତି। ଏଭଳି ନ୍ୟାୟପାଳିକାରେ ଆଇଏସ୍ଆଇର ହସ୍ତକ୍ଷେପ ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଭ୍ରଷ୍ଟାଚାର ମାମଲାରେ ଶରିଫ୍ଙ୍କୁ ୧୦ ବର୍ଷ ଓ ମାରୟମଙ୍କୁ ୭ ବର୍ଷ ଜେଲ୍ଦଣ୍ଡ ହୋଇଛି। ଉଭୟଙ୍କୁ ଜୁଲାଇ ୧୩ରେ ଗିରଫ କରାଯାଇଥିଲା। ଏବେ ଉଭୟ ରାୱଲପିଣ୍ଡିର ଆଦିଆଲା ଜେଲ୍ରେ ରହିଛନ୍ତି।
from OdishaReporter https://ift.tt/2JJM488
No comments:
Post a Comment