
ଭୁବନେଶ୍ୱର (ଭୁବନେଶ୍ୱର): ନିର୍ବାଚନ ପାଇଁ ଜୋରଦାର୍ କସରତ୍ କରୁଥିବା ରାଜ୍ୟ କଂଗ୍ରେସ ଆଗାମୀ ସାଧାରଣ ନିର୍ବାଚନରେ ଗୋଟିଏ ପରିବାରରୁଏକାଧିକ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିବ ନାହିଁ ବୋଲି ଓଡ଼ିଶା ପିସିସି ପ୍ରଭାରୀ ଜିତେନ୍ଦ୍ର ସିଂହ ସ୍ପଷ୍ଟ କରିଛନ୍ତି। ପିସିସି କାର୍ଯ୍ୟାଳୟରେ ଗତ ୩ ଦିନ ଧରି ଚାଲିଥିବା ଦଳର ସାଂଗଠନିକ ବୈଠକ ପରେ ସାମ୍ୱାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ସିଂହ କହିଛନ୍ତି ଯେ, ଆଗାମୀ ନିର୍ବାଚନରେ ଜିତିବା ସମ୍ଭାବନା ଥିବା ଦକ୍ଷ ପ୍ରାର୍ଥୀଙ୍କୁ ହିଁ କଂଗ୍ରେସ ଟିକେଟ୍ ଦିଆଯିବ। କୋଟା କିମ୍ୱା ସୁପାରିସ୍ ଆଧାରରେ କାହାରିକୁ ପ୍ରାର୍ଥୀ କରାଯିବ ନାହିଁ। ଗୋଟିଏ ପରିବାରରୁ ସର୍ବାଧିକ ଜଣେ ହିଁ ପ୍ରାର୍ଥୀ ହୋଇପାରିବେ। ସମ୍ପର୍କୀୟ କିମ୍ୱା ପରିବାରର ଏକାଧିକ ସଦସ୍ୟଙ୍କୁ ଟିକେଟ୍ ମିଳିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ଓଡ଼ିଶା ପ୍ରଭାରୀ ଶ୍ରୀ ସିଂହ ଯେଉଁ ବୟାନ ଦେଇଛନ୍ତି ତାହା ସେ ନିଶ୍ଚିତ ଭାବେ ଭାବିଚିନ୍ତି ଦେଇଥିବେ। ସେ ଯାହା କହିଛନ୍ତି ତାହା ହିଁ ଶିରୋଧାର୍ଯ୍ୟ ଓ ଆଗାମୀ ନିର୍ବାଚନରେ ସେୟା ହେବ। ସେହିପରି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପିସିସି ପୁନର୍ଗଠନ ପ୍ରକ୍ରିୟା ଖୁବଶୀଘ୍ର ହେବ। ଏଥିପାଇଁ ୩ ଦିନ ଧରି ଚାଲିଥିବା ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ଏହାବ୍ୟତୀତ ପ୍ରାର୍ଥୀ ଚୟନକୁ ଚୂଡ଼ାନ୍ତ କରିବା ଓ ଦଳର ଛାମୁଆ ସଂଗଠନ ଗୁଡ଼ିକ କେଉଁସବୁ କାର୍ଯ୍ୟ କରିବେ ସେ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ପିସିସି କମିଟି ଗଠନ ହେବା ପରେ ପ୍ରାର୍ଥୀଚୟନ ପ୍ରକ୍ରିୟାକୁ ଚୂଡ଼ାନ୍ତ କରାଯିବ। ପ୍ରଥମ ପର୍ଯ୍ୟାୟରେ ୫୦ରୁ ୭୫ଟି ଆସନ ପାଇଁ ପ୍ରାର୍ଥୀ ଚୟନ କାର୍ଯ୍ୟ କରାଯିବ। ଏହାବ୍ୟତୀତ ନିର୍ବାଚନ ପ୍ରସ୍ତୁତି ନିମନ୍ତେ ଦଳ ପକ୍ଷରୁ ଏକ ସ୍ୱତନ୍ତ୍ର ସେଲ୍ ବି ଖୋଲାଯିବ। ଯାହାର ଦାୟିତ୍ୱରେ ଅଭିଜ୍ଞନେତା ଓ କର୍ମୀ ରହିବେ। ବିଶେଷକରି ପିସିସି ଉପସଭାପତି ଓ ସାଧାରଣ ସମ୍ପାଦକମାନଙ୍କୁ ଏହି କାର୍ଯ୍ୟ ତୁଲାଇବାକୁ ଦିଆଯିବ। ଦଳ ଏବେ ୨୦୧୯ ନିର୍ବାଚନ ଉପରେ ପୁରା ନଜର ରଖିଛି କିନ୍ତୁ ଏବେ ଯେଉଁ ସାଂଗଠନିକ ପ୍ରସ୍ତୁତି ଚାଲିଛି ତାହା ଆଗାମୀ ୨୦ରୁ ୩୦ବର୍ଷକୁ ଦୃଷ୍ଟିରେ ରଖି କରାଯାଉଛି ବୋଲି ଶ୍ରୀ ମାଝୀ କହିଛନ୍ତି।
from OdishaReporter https://ift.tt/2mm68Ee
No comments:
Post a Comment