
ତେଲକୋଇ/କେନ୍ଦୁଝର (ଚିନ୍ମୟ କୁମାର ସାହୁ): କେନ୍ଦୁଝର ଜିଲ୍ଲା ପୋଲିସ୍ର ଅଜବ ନିୟମ। ହେଲ୍ମେଟ୍ ପିନ୍ଧି ନ ଥିବାରୁ ଜଣେ ବସ୍ ଡ୍ରାଇଭରଙ୍କୁ ଫାଇନ୍ କରିଛି ଜିଲ୍ଲା ପୁଲିସ୍। କଥାଟି ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ଘଟିଛି କେନ୍ଦୁଝର ଜିଲ୍ଲାର ତେଲକୋଇରେ।
ହେଲମେଟ୍ ନ ଥିବାରୁ ପୋଲିସ ଜଣେ ବସ୍ ଡ୍ରାଇଭରଙ୍କୁ ଫାଇନ୍ କରିଥିଲା । ଯାହାର ରସିଦ୍ ଓଡ଼ିଶା ରିପୋର୍ଟରର ହସ୍ତଗତ ହେବା ପରେ ଘଟଣା ପଦାକୁ ଆସିଛି। ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ। ଅନୁଗୋଳ ଜିଲ୍ଲା ପାଲ୍ଲହଡ଼ାରୁ କେନ୍ଦୁଝର ଜିଲ୍ଲା ଘଟଗାଁ ରାସ୍ତାଟି ବ୍ୟସ୍ତ ବହୁଳ। ଏହି ରାସ୍ତା ଦେଇ ପ୍ରତିଦିନ ବହୁ ଗାଡ଼ି ଚଳାଚଳ କରୁଛି। ତେଣୁ ତେଲକୋଇ ପୁଲିସ୍ ଏହି ରାସ୍ତାରେ ପ୍ରତିଦିନ ଦୁଇ ଚିକିଆ ଗାଡ଼ିର ହେଲ୍ମେଟ୍, ତିନି ଚକିଆରେ ସିଟ୍ବେଲ୍ଟ୍ ଓ କାଗଜପତ୍ର ଯାଞ୍ଚ କରୁଛି। ଏପରିକି ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରାଯାଉଛି।
ଦିନକର ଘଟଣା। ଜଣେ ପୁଲିସ ଏଏସ୍ଆଇ ଓ ଜଣେ ହୋମ୍ଗାର୍ଡ଼ ହେଲ୍ମେଟ୍, ବେଲ୍ଟ୍ ଓ ଗାଡ଼ି କାଗଜପତ୍ର ଯାଞ୍ଚ ପାଇଁ ବାହାରିଲେ। ଏପରିକି ଉକ୍ତ ରାସ୍ତା ଦେଇ ଯାଇଥିବା ଗାଡ଼ିଗୁଡ଼ିକୁ ଯାଞ୍ଚ କରିଥିଲେ। ମାତ୍ର ଦୁଃଖର ବିଷୟ ସେଦିନ ସବୁ ଗାଡ଼ି ଆଇନ୍କୁ ଠିକ୍ ଭାବେ ପାଳନ କରିଥିଲେ। ତେଣୁ କୌଣସି ଗାଡ଼ିଠାରୁ ଜରିମାନା ଆଦାୟ ହୋଇପାରି ନ ଥିଲେ। ଯାହାକୁ ନେଇ ପୁଲିସ୍ ଏଏସ୍ଆଇ ଓ ହୋମ୍ଗାର୍ଡ଼ଙ୍କ ମୁଣ୍ଡ ଗରମ ହୋଇଯାଇଥିଲା।
ଏହି ସମୟରେ ଗୋଟିଏ ବସ୍ ଆସୁଥିବା ଦେଖି ପୁଲିସ୍ ଏଏସ୍ଆଇ ଓ ହୋମଗାର୍ଡ଼ ଉକ୍ତ ଗାଡ଼ିକୁ ଅଟକାଇ କାଗଜପତ୍ର ଯାଞ୍ଚ କରିଥିଲେ। ଉକ୍ତ ବସ୍ର କାଗଜପତ୍ର ଠିକ୍ ଥିଲା ଓ ଚାଳକ ସିଟ୍ ବେଲ୍ଟ ପିନ୍ଧିଥିଲେ। ଏହା ଜାଣି ମଧ୍ୟ ପୁଲିସ୍ ଏଏସ୍ଆଇ ଫାଇନ୍ କରିବା ପାଇଁ ହୋମ୍ଗାର୍ଡ଼ଙ୍କୁ ନିର୍ଦ୍ଦେଶ ଦେଲେ। ପ୍ରଭୁ ଭକ୍ତଙ୍କ ପରି ହୋମଗାର୍ଡ଼ ୨୦୦ ଟଙ୍କା ଜରିମାନା କରିଥିଲେ। କଟାଯାଇଥିବା ରସିଦ୍ରେ ‘ବସ୍ ଚାଳକ’ ହେଲ୍ମିଟ୍ ପିନ୍ଧି ନ ଥିବାରୁ ଜରିମାନା କରାଯାଇଥିବା ଲେଖାଯାଇଛି। ଯାହାକୁ ନେଇ ସାଧାରଣରେ ଆଲୋଚନା ଜୋର ଧରିଛି।
କୌଣସି ଭୁଲ୍ କରି ନ ଥିବା ଡ୍ରାଇଭର ଆଶ୍ଚର୍ଯ୍ୟ ହୋଇ କାରଣ ପଚାରିବାରୁ, ପୋଲିସ୍ ବାବୁ ଜଣକ କାରଣ ଦର୍ଶାଇଥିଲେ, ହେଲ୍ମେଟ୍ ନ ପିନ୍ଧି ବସ୍ ଚଳାଉଥିବାରୁ ଫାଇନ୍ ଲାଗିଲା। ଯାହାକୁ ଶୁଣି ସେ ଆଶ୍ଚର୍ଯ୍ୟ ହୋଇଗଲେ। ପୋଲିସ୍ ବାବୁ ଏ ସଂପର୍କରେ ଏକ ରିସିଦ୍ ମଧ୍ୟ ଦେଇଛନ୍ତି। ଯାହାକୁ ଦେଖି ଆପଣ ବି ହସ ରୋକିପାରିବେନି।
from OdishaReporter https://ift.tt/2uygtRv
No comments:
Post a Comment