୧୯ ନିର୍ବାଚନରେ ବିଜେଡିକୁ ଚିନ୍ତା ଅସନ୍ତୁଷ୍ଟିଆ: କାହାକୁ କେମିତି ଧରେଇବେ ଲଲିପପ୍‌, ଚାଲିଛି ଚିନ୍ତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 19, 2018

୧୯ ନିର୍ବାଚନରେ ବିଜେଡିକୁ ଚିନ୍ତା ଅସନ୍ତୁଷ୍ଟିଆ: କାହାକୁ କେମିତି ଧରେଇବେ ଲଲିପପ୍‌, ଚାଲିଛି ଚିନ୍ତା

ଭୁବନେଶ୍ୱର (ରମେଶ ରଥ): ଆସନ୍ତା ନିର୍ବାଚନ ପାଇଁ କେଉଁ ଦଳର ରଣକୌଶଳ ପ୍ରସ୍ତୁତି ଆରମ୍ଭ ହେଉ କି ନହେଉ, ବିଜେଡି ତା’ର ପ୍ରାକ୍ ନିର୍ବାଚନୀ ଯୋଜନା ଆରମ୍ଭ କରିଦେଲାଣି। ଆୟୋଜନ ଆରମ୍ଭରୁ ଦଳର କୋର୍ ଗୃପ୍‌ର ବଡ଼ମୁଣ୍ଡ ମାନେ ଗ୍ରାଉଣ୍ଡରୁ ଆସିଥିବା ସର୍ଭେ ତଥ୍ୟକୁ ଦେଖି ଚିନ୍ତିତ। ତଥ୍ୟକୁ ଆଧାର କରି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରାର୍ଥୀଙ୍କ ନାମ ଚୟନକୁ ନେଇ ମୁଣ୍ଡବିନ୍ଧା ଆରମ୍ଭ ହୋଇଛି। ଦୀର୍ଘ ୧୮ ବର୍ଷ କ୍ଷମତାରେ ରହିବାରୁ ବିଧାୟକଙ୍କ ବାଦ୍ ଅନ୍ୟ ଆଶାୟୀମାନେ ଦଳୀୟ ଟିକଟ୍‌ର ଦାବିଦାର ପ୍ରାୟ ସବୁ ନିର୍ବାଚନ ମଣ୍ଡଳୀରୁ ବାହାରିଛନ୍ତି। ଏମାନଙ୍କୁ ସନ୍ତୁଷ୍ଟ କରାଯିବ କେମିତି ତାକୁ ନେଇ ଚିନ୍ତା। ଏହି  ଆଶାୟୀ ପ୍ରାର୍ଥୀମାନେ ହିଁ ଆସନ୍ତା ନିର୍ବାଚନରେ ବିଜେଡି ପାଇଁ କାଳ ହେବେ ବୋଲି କୁହଯାଉଛି। ଏମାନଙ୍କ ମଧ୍ୟରୁ କିଛି ନେତା ଗତ ନିର୍ବାଚନ ସମୟରେ ବି ବିଜେଡି ଟିକେଟ୍‌ର ଦାବିଦାର ଥିଲେ। ହାଇକମାଣ୍ଡଙ୍କ ପ୍ରତିଶ୍ରୁତି ଯୋଗୁଁ ଗତ ନିର୍ବାଚନ ବେଳେ ଏହି ଆଶାୟୀ ପ୍ରାର୍ଥୀମାନେ କିଛି ବି ଆନ୍ତର୍ଘାତୀ କାର୍ଯ୍ୟ କରିନଥିଲେ। କିନ୍ତୁ ଆସନ୍ତା ୧୯ ନିର୍ବାଚନକୁ ଏମାନେ ସମ୍ଭାଳିବା କଷ୍ଟକର। କାରଣ କିଛି ଲୋକଙ୍କୁ ଛାଡ଼ିଦେଲେ, ଅଧିକାଂଶଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ମୁତାବକ କିଛି ବି ମିଳିନାହିଁ। ଏହି ଟିକଟ ଆଶାୟୀଙ୍କର ଆଉ ଧର୍ଯ୍ୟ ବି ନାହିଁ। କାରଣ, ଆଗକୁ ଦଳର ଭବିଷ୍ୟତ କ’ଣ ହେବ କିଛି ଜଣାନାହିଁ।


ନବୀନ ବାବୁଙ୍କ ପରେ ଦଳର ସ୍ଥିତି କ’ଣ ହେବ ସେ କଥା କେହି କହିପାରିବେ ନାହିଁ। ସୁତରାଂ ଆସନ୍ତା ନିର୍ବାଚନରେ ଯେମିତି ହେଲେ ବିଜେଡି ଟିକଟ ହାତେଇ କିଛିଦିନ କ୍ଷମତାକୁ ଆସିଗଲେ ଗଲା। ଟିକଟ ନମିଳିଲେ କଂଗ୍ରେସ କିମ୍ୱା ବିଜେପିରେ ସାମିଲ ହୋଇ ନିଜ ପତିଆରା ସାବ୍ୟସ୍ତ କଲେ ବରଂ ନିଜର ରାଜନୈତିକ ସ୍ଥିତି ମଜଭୁତ୍ ହେବ। ସେଇ ବିଚାରରେ ଅଛନ୍ତି ଏହି ପ୍ରାର୍ଥୀମାନେ। କେତେକ ବିଧାୟକ ତାଙ୍କ ନିର୍ବାଚନ ମଣ୍ଡଳୀରେ ବଦନାମ ହୋଇଛନ୍ତି। କମ୍ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବାରୁ, ବିଜୟ ସମ୍ଭାବନା ବି କମ୍। ଅନ୍ୟପକ୍ଷରେ ବିଧାୟକ ଥିବା ପ୍ରାର୍ଥୀଙ୍କୁ ଟିକେଟରୁ ବଞ୍ଚିତ କରି ଅନ୍ୟ କାହାକୁ ଟିକଟ ଦେଲେ ବି, ଆଉଏକ ସମସ୍ୟା ଦେଖାଦେବ। ବିଧାୟକ ଥିବା ନେତାଟି ସ୍ୱାଭାବିକ୍ ଭାବେ ନୂଆ ପ୍ରାର୍ଥୀକୁ ନିର୍ବାଚନରେ ବିରୋଧ କରିବ। ଆଉ ନୂଆ ପ୍ରାର୍ଥୀଙ୍କୁ ହରାଇବା ପାଇଁ ଚେଷ୍ଟା ମଧ୍ୟ କରିବ। ନହେଲେ ନିଜ ପତିଆରା ଗଲା ବୋଲି ଜଣାପଡ଼ିବ। ତେଣୁ ବିଜେଡି ନେତୃତ୍ୱ ଏ ପଟୁ ମାରିଲେ ବ୍ରହ୍ମହତ୍ୟା, ସେପଟୁ ମାରିଲେ ଗୋହତ୍ୟା। କରିବେ କ’ଣ ସେଇ ଚିନ୍ତାରେ ଟିକେଟ କାହା ପାଇଁ ଫାଇନାଲ୍ କରିବେ ନିଷ୍ପତ୍ତି ନେଇ ପାରୁନାହାନ୍ତି। ମୁଖିଆ ୟାକୁ ନେଇ ନୂଆ କୌଶଳ ଖୋଜିବାରେ ଲାଗିଛନ୍ତି। ପ୍ରତିଶ୍ରୁତି ଦେଇ ଚୁପ୍ କରାଇବାର ପୁରୁଣା କୌଶଳ ଉପରେ ଏହି ଆଶାୟୀମାନେ ଭରସା କରିପାରୁ ନାହାନ୍ତି।


ଗତ ନିର୍ବାଚନ ପୂର୍ବରୁ ମଧ୍ୟ ଏ ପ୍ରକାରର ଅସ୍ଥିରତା ଦେଖା ଦେଇଥିଲା। କିନ୍ତୁ ଆଶାୟୀ ପ୍ରାର୍ଥୀଙ୍କୁ ଲୋଭ ଦେଖାଇ ଚୁପ୍ କରାଯାଇଥିଲା। ଆଶାୟୀମାନଙ୍କୁ ବିଭିନ୍ନ କର୍ପୋରେସନ୍ ଓ ସଂସ୍ଥାମାନଙ୍କରେ ଅବସ୍ଥାପିତ କରିବାର ପ୍ରତିଶ୍ରୁତି ଦେଇ ନିର୍ବାଚନ ପାରି ହୋଇଗଲେ। ତେବେବି କିଛି ପ୍ରାର୍ଥୀ ଭିତିରିଆ ଚେର କାଟି ଦଳୀୟ ପ୍ରାର୍ଥୀଙ୍କର ଭୋଟ ବ୍ୟବଧାନ କମାଇବାରେ ସଫଳ ହୋଇଥିଲେ। ବର୍ତ୍ତମାନ ସେଇ ପ୍ରାର୍ଥୀମାନେ ବିଜେଡି ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛନ୍ତି। ପ୍ରାୟ ୪୦ଟି ଆସନରେ ବିଜେଡିର ବିଜୟୀ ପ୍ରାର୍ଥୀମାନେ ତାଙ୍କ ନିକଟତମ ପ୍ରାର୍ଥୀଙ୍କଠାରୁ ମାତ୍ର ଅଢ଼େଇ ହଜାରରୁ ୫ ହଜାର ଭୋଟ ବ୍ୟବଧାନରେ ଜିତିଛନ୍ତି। ଏହି ବ୍ୟବଧାନ ହିଁ ଦଳକୁ ଚିନ୍ତାରେ ପକାଇ ଦେଇଛି। ୪୦ ଆସନରେ ଝୁଲୁଛି ଖଣ୍ଡା। ଗତ ନିର୍ବାଚନରେ ବିରୋଧୀ ଦଳ ବିଜେପି ଓ କଂଗ୍ରେସର ସାଂଗଠନିକ ସ୍ଥିତି କିଛି ଭଲ ନଥାଇ ଏପରି ଅବସ୍ଥାର ସମ୍ମୁଖୀନ ହୋଇଥିଲା ବିଜେଡି। ବର୍ତ୍ତମାନ ବିଜେପି ଓ କଂଗ୍ରେସର ସ୍ଥିତି ଗତ ନିର୍ବାଚନଠାରୁ ଢେର୍ ଭଲ ଅଛି। ସୁତରାଂ ଆସନ୍ତା ୨୦୧୯ ନିର୍ବାଚନରେ ଏହି ୪୦ଟି ସିଟ୍‌ରେ କ’ଣ ହେବ ତାହା ଏବେଠାରୁ ଅନୁମେୟ। ଉପରେ ବାହାସ୍ଫୋଟ ମାରିଲେ  କ’ଣ ହେବ, ତେବେ ଭିତର ଜଳୁଛି। ଏହି ୪୦ଟି ସିଟ୍‌ରେ ବିଜେଡ଼ିର ଆଶାୟୀ ପ୍ରାର୍ଥୀମାନେ ହିଁ ସବୁଠାରୁ ବଡ଼ କଣ୍ଟା ହେବେ ଏଥିରେ ସନ୍ଦେହ ନାହିଁ। କିନ୍ତୁ ଏମାନଙ୍କୁ ଛାଡ଼ିଦେଲେ ବି ଦଳର ଅବସ୍ଥା ଖରାପ ହୋଇଯିବ। ଏଥିପାଇଁ ପ୍ରତିକାର ଚିନ୍ତା କରୁଛନ୍ତି ବିଜେଡ଼ି ମୁଖିଆ।  ଯେହେତୁ ଦଳର ଭବିଷ୍ୟତକୁ ନେଇ ନୂଆ ନେତାମାନେ ସନ୍ଦିହାନ, ତେଣୁ ୧୯ ନିର୍ବାଚନରେ ଚାନ୍ସ୍ ନମିଳିଲେ, ଆଉ ୨୦୨୪ ମସିହାକୁ କ’ଣ ଥିବ ଯେ ନେବେ। ତାକୁ ନେଇ ଅନେକ ପ୍ରଶ୍ନ। ଅନ୍ୟପକ୍ଷରେ ଏହି ୪୦ ପ୍ରାର୍ଥୀଙ୍କୁ କାଢ଼ି ଆଶାୟୀଙ୍କୁ ସୁଯୋଗ ଦେଲେ ବି, ଦଳ ଅଡ଼ୁଆରେ ପଡ଼ିପାରେ। କାରଣ ବିଧାୟକମାନେ ବିରୋଧୀ ହୋଇ ଚେର କାଟିବେ। ତେଣୁ ଏ ଚେରକଟା ଯୋଜନାକୁ କେମିତି ପ୍ରତିହତ କରିହେବ, ସେଇ ଚିନ୍ତାରେ ଦଳ। ସେପଟେ ଏହି ୪୦ଟି ସିଟ୍‌କୁ କେମିତି ବିଜେପି ଓ କଂଗ୍ରେସ ଅକ୍ତିଆର କରିବେ, ସେ ରଣକୌଶଳ ଆରମ୍ଭ କରିଛନ୍ତି।


ବିଜେଡ଼ିରେ ଯେହେତୁ ପୁରୁଖା ନେତାଙ୍କୁ ଆଗ ପରି ଆଉ ଗୁରୁତ୍ୱ ଦିଆନଯାଇ କଂଗ୍ରେସ ଓ ବିଜେପିରୁ ଆସୁଥିବା ନେତାଙ୍କୁ ଦଳରେ ମିଶାଇ ତାଙ୍କ ଉପରେ ଦଳ ଆସ୍ଥା ରଖୁଛି, ସେଥିପାଇଁ ପୁରୁଣା ନେତାମାନେ ବି ଭିତରେ ଭିତରେ ଜଳୁଛନ୍ତି। ଏମାନେ ନେତୃତ୍ୱକୁ ପାନେ ଦେବାକୁ ଅପେକ୍ଷାରେ ବି ଅଛନ୍ତି। ଦୀର୍ଘଦିନ ଧରି କଂଗ୍ରେସ ଓ ବିଜେପିରେ ଥିବା ନେତାଙ୍କୁ ବିଜେଡ଼ି ବିରୋଧ କରି ଆସୁଥିଲେ ମଧ୍ୟ, ସମ୍ପୃକ୍ତ ନେତାଙ୍କୁ ଦଳରେ ସାମିଲ କରି, ଭଲ ଲୋକର ଷ୍ଟାମ୍ପ ଲଗାଇ, ‘ଭେରିଗୁଡ୍’ ଆଖ୍ୟା ପ୍ରଦାନ କରାଯାଉଥିବା ଯୋଜନାକୁ ତଳ ସ୍ତରର ନେତାମାନେ ଗ୍ରହଣ କରିପାରୁ ନାହାନ୍ତି। ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରତିଦ୍ୱନ୍ଦ୍ୱୀ ହୋଇ ଲଢ଼ିଥିବା ନେତାଙ୍କୁ ନିଜ ଦଳ ଭିତରେ ଦେଖି ଚକିତ। ବଡ଼ ନେତାଙ୍କୁ ଉପର ସ୍ତରରେ ସାମିଲ କରିଦେଲେ ବି ତାଙ୍କ ସହ ତଳ ସ୍ତରର ନେତା ଓ କର୍ମୀ ବି ଦଳରେ  ମିଶୁଛନ୍ତି। ଗାଁ ଗଣ୍ଡାରେ ରାଜନୀତିକୁ ନେଇ କୋର୍ଟ କଚେରୀ ଦୌଡ଼ୁଥିବା କର୍ମୀମାନେ, ଏ ରାଜନୀତିକୁ ନେଇ ଗୁମ୍ ମାରି ବସିଛନ୍ତି। ତେଣୁ ଅନୁମାନ କରାଯାଉଛି, ଏମାନେ ଠିକ୍ ସମୟରେ ପାନେ ଦେଇପାରନ୍ତି। ଠିକ୍ ଏହିପରି ଅବସ୍ଥା ୨୦ ବର୍ଷ ତଳେ, କଂଗ୍ରେସ ଦଳ ଭିତରେ ଘଟିଥିଲା। ଦଳ ଭୋଟ ରାଜନୀତି କରିବାକୁ ଯାଇ ନୀତି ଆଦର୍ଶକୁ ହରାଇ ଯାହାକୁ ପାଇଲେ ତାକୁ ସାମିଲ କଲେ। କଂଗ୍ରେସ କ୍ଷମତାରେ ଥିଲାବେଳେ ବି ଏହି ଦଳଡିଆଁ ମାନେ କଂଗ୍ରେସରେ ନିଜର ଆସ୍ଥାନ ଜମାଇଥିଲେ। ଏବେ ବି ସେଇ ଚର୍ଚ୍ଚିତ ଚେହେରାଙ୍କୁ ବିଜେଡିରେ ଦେଖିବାକୁ ମିଳୁଛି।


ଏସବୁ ହେବା ପଛର ମୂଳ କାରଣ ହେଲା, ଦଳ କେଉଁଠି ନା କେଉଁଠି ଅମଲାତାନ୍ତ୍ରିକ ଢାଞ୍ଚାରେ ପରିଚାଳିତ ହେଉଛି। ଏହି ଅମଲାମାନଙ୍କର କିଏ କେଉଁ ଦଳର ତାଙ୍କର କିଛି ଯାଏ ଆସେନାହିଁ। ତଳସ୍ତରରେ କ’ଣ କର୍ମୀମାନେ କେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେ ସବୁ ବୁଝିବା ତାଙ୍କ ପାଇଁ ଜରୁରି ନୁହେଁ। ତାଙ୍କର ଲକ୍ଷ୍ୟ ହେଲା, କେମିତି କ୍ଷମତାରେ ରହି ଶାସନ ଉପଭୋଗ କରିବେ। ତା ପରେ ଯିଏ କୁଆଡେ଼ ଯାଉ। ସମସ୍ତଙ୍କୁ ଜଣା ଯେ, ଦଳ କେମିତି ପରିଚାଳିତ ହେଉଛି ଓ ଏହାର ରିମୋଟ୍ କଣ୍ଟ୍ରୋଲ କାହା ହାତରେ। ବିଜେଡିରେ ବିଧାୟକଙ୍କୁ ଦଳର ମୁଖିଆ ଠିକ୍ ଭାବରେ ଚିହ୍ନି ପାରୁନାହାନ୍ତି। ତାଙ୍କର କେତେ ଏମ୍ଏଲଙ୍କର ନାଁ ମନେ ଅଛି ତାହା ସମସ୍ତଙ୍କୁ ଜଣା। କାହାକୁ ‘ଜିରାଫ୍’ ତ କାହାକୁ ‘ବଫାଲୋ’, ଏମିତି କେତେ କିମ୍ଭୁତକିମାକାର ନାଁରେ ଡାକନ୍ତି ମୁଖିଆ। ସୁତରାଂ ଏପରି ପରିସ୍ଥିତିରେ ସ୍ୱାଭିମାନୀ ନେତାମାନେ କାହା ପାଖରେ ଗୁହାରି କରିବେ? ପାଟି ଚୁପ୍ କରି ରହିବାଟା ଠିକ୍ ହେବ ବୋଲି ଭାବୁଛନ୍ତି। ମାଲିସ୍ ଓ ସାଲିସ୍ କରିଦେଲେ କିଛି ନହେଲେ କ୍ଷମତା ତ ରହିବ। ଆଉ ପ୍ରତିବାଦ କଲେ ଆଗରୁ ଅନ୍ୟମାନଙ୍କ ସହ ଯାହା ଘଟିଛି ତାହା ଘଟିବ। ତେଣୁ ଦଳ, ନେତା ଓ ରାଜ୍ୟ, କୁଆଡେ଼ ଯାଉଛି ଯାଉ, ନିଜର ଆସନ ବଞ୍ଚିଯାଉ ନ୍ୟାୟରେ ନେତାମାନେ ପାଟି ଚୁପ୍ କରି ବସିଛନ୍ତି।


ଗତ ନିର୍ବାଚନରେ ଗୁଜରାଟରେ ବି ଓଡ଼ିଶା ଭଳି ସମାନ ଅବସ୍ଥା ଘଟିଥିଲ॥ ସେଠି ୨୦ ବର୍ଷ ଶାସନରେ ଥିବା ବିଜେପି, ବିରୋଧୀ ଦଳ ପକ୍ଷରୁ ଯେତିକି ବିରୋଧର ସମ୍ମୁଖୀନ ହୋଇନଥିଲା, ଅଧିକ ହୋଇଥିଲା ନିଜ ଦଳରୁ। ଯେହେତୁ ପ୍ରଧାନମନ୍ତ୍ରୀ ରୂପେ ମୋଦି ଗାଦିରେ ବସିଛନ୍ତି, ତେଣୁ ବହୁ ନେତାମନ୍ତ୍ରୀ ମୁଣ୍ଡ ପୂରାଇ ଗୁଜୁରାଟ ସ୍ଥିତି ସମ୍ଭାଳିବାକୁ ଆଗେଇ ଆସିଲେ। ଶେଷରେ ବହୁ କଷ୍ଟରେ ଗୁଜରାଟରେ ବିଜେପିର ଇଜ୍ଜତ୍ ରହିଗଲା। ଠିକ୍  ସମାନ ଅବସ୍ଥା ଓଡ଼ିଶାରେ ହେବାକୁ ଯାଉଛି। ଏଭଳି ସ୍ଥିତିକୁ ସାମନା କଲା ଭଳି ତାକତ ବିଜେଡ଼ିର ଅଛି ତ? ଏ ଲୁକ୍କାୟିତ ଅମଲାତନ୍ତ୍ରିକ ରାଜଘୋଡ଼ା ମାନେ ନିର୍ବାଚନ ସମୟରେ ଖୋଲାଖୋଲି ସାମ୍ନାକୁ ଆସି ଲଢ଼େଇ କରିପାରିବେ ତ? ବିଜେଡି ପାଇଁ ଆସନ୍ତା ନିର୍ବାଚନ ଏକ ଚାଲେଞ୍ଜ୍ ରୂପେ ଦେଖାଦେବ, ଏଥିରେ ସନ୍ଦେହ ନାହିଁ।

ତେବେ ରାଜ୍ୟରେ ବିଧାନ ପରିଷଦ ଗଠନ କରିବାକୁ ସରକାର ଚିନ୍ତା କରୁଛନ୍ତି। ବିଧାନ ପରିଷଦ ଥୋପ ପକାଇ ଦଳ ଭିତରେ ଥିବା ଅସନ୍ତୁଷ୍ଟଙ୍କୁ କେତେକାଂଶରେ ସନ୍ତୁଷ୍ଟ କରିହେବ। ପରିଷଦ ଗଠନ ହେଲେ, ବିଜେଡିର ବହୁ ସମର୍ଥକଙ୍କୁ ସରକାର ଚାହିଁଲେ ଏଠାକୁ ପଠାଇ ପାରିବେ। ତେଣୁ ଏହି ଲଲିପପ୍‌ ଲୋଭ ଦେଖାଇ ଗୁଡ଼ାଏ ଅସନ୍ତୁଷ୍ଟଙ୍କୁ ଶାନ୍ତ କରିହେବ। ସେମାନେ ହୁଏତ ଲୋଭରେ ଚୁପ୍ ରହିବେ। କିନ୍ତୁ ଏକଥା ବୋଧହୁଏ ଅସନ୍ତୁଷ୍ଟିଆ ଜାଣିଥିବେ କି ନାହିଁ ଯେ, ବିଧାନ ପରିଷଦ ଗଠନ ଏତେ ସହଜ ନୁହେଁ। ଏହା ପାନ ଦୋକାନ ନୁହେଁ ଯେ, ସରକାର ଚଟ୍‌ କରି ଉଠେଇ ନେଇ ଥୋଇଦେବେ। ଏଥିପାଇଁ ସମୟ ଲାଗିବ। ସେ ଯାଏଁ ଅସନ୍ତୁଷ୍ଟ ଅପେକ୍ଷା କଲେ ହେଲା।



from OdishaReporter https://ift.tt/2uNnQVg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages