
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇଂଲଣ୍ଡ ଆଉଟ୍, କ୍ରୋଏସିଆ ଇନ୍। ଫୁଟବଲ ପଣ୍ଡିତଙ୍କୁ ଚକିତ କରି ବିଶ୍ୱକପ୍ ଫାଇନାଲରେ ପହଞ୍ଚିଛି କ୍ଷୁଦ୍ର ରାଷ୍ଟ୍ର କ୍ରୋଏସିଆ। ଏଥି ଟିମ୍ ଇତିହାସ ରଚିବା ଠାରୁ ମାତ୍ର ପାଦେ ଦୂରରେ ରହିଛି। ଆସନ୍ତା ରବିବାର ଫ୍ରାନ୍ସ ସହ ହେବ ଟାଇଟଲ୍ ମୁକାବିଲା। ସେପଟେ ଫୁଟବଲ ଦଳର ଚମତ୍କାର ପ୍ରଦର୍ଶନକୁ ନେଇ ପୁରା କ୍ରୋଏସିଆରେ ଉତ୍ସବର ମାହୋଲ। ରାତାରାତି ହିରୋ ପାଲଟି ଯାଇଛନ୍ତି ଇଂଲଣ୍ଡ ବିପକ୍ଷରେ ବିଜୟସୂଚକ ଗୋଲ କରିଥିବା ମାରିଓ ମାଣ୍ଡୁଜୁକିକ୍।

ଏକ୍ସଟ୍ରା ଟାଇମ୍ରେ ଇଂଲଣ୍ଡକୁ ପରାସ୍ତ କରିବା ପରେ ଖୁସିରେ ଆତ୍ମହରା ହୋଇଛନ୍ତି କ୍ରୋଏସିଆ ଫ୍ୟାନ୍। ବିଶ୍ୱକପର ଇତିହାସରେ ପ୍ରଥମ ଥର ପାଇଁ ଫାଇନାଲରେ ପହଁଚିଛି କ୍ରୋଏସିଆ। ମାରିଓ ମାଣ୍ଡୁଜୁକିକ୍ ଏବେ କ୍ରୋଏସିଆର ସୁପରଷ୍ଟାର ପାଲଟିଯାଇଛନ୍ତି। ତାଙ୍କ ଗୋଲ୍ ହିଁ ଇଂଲିଶ ଟିମ୍ର ସ୍ୱପ୍ନକୁ ମାଟିରେ ମିଶାଇ ଦେଇଛି। ଇଂଲଣ୍ଡର ଫାଇନାଲ୍ ଖେଳିବା ଆଶା ଧୂଳିସାତ ହୋଇଛି।

ଇଂଲଣ୍ଡ ଯଦିଓ ସଂପୂର୍ଣ୍ଣ ଜୋର ଲଗାଇଥିଲା ଏହି ମ୍ୟାଚରେ, ହେଲେ କ୍ରୋଏସିଆ ଖେଳାଳିଙ୍କ ଆଗ୍ରେସିଭ୍ ଖେଳ ଆଗରେ ହାର ମାନିବାକୁ ପଡିଛି। ପ୍ରଥମରୁ ଇଂଲଣ୍ଡ ଲିଡ୍ ନେଇଥିଲେ ମଧ୍ୟ ପରେ ଏହାକୁ ବଳବତ୍ତର ରଖିପାରିବାରେ ସକ୍ଷମ ହୋଇନଥିଲା ଇଂଲଣ୍ଡ। ଆରମ୍ଭରୁ ଲାଗୁଥିଲା ଇଂଲଣ୍ଡର ସହଜରେ ମ୍ୟାଚ୍ ଜିତିନେବ। ହେଲେ ପ୍ରଥମାର୍ଦ୍ଧ ପରେ କ୍ରୋଏସିଆ ଦେଖାଇଥିଲା ଦମ। ଦ୍ୱିତୀୟାର୍ଦ୍ଧରେ ଏକ ଗୋଲ୍ ଦେଇ ୧-୧ରେ ସ୍ଥିତି ବରାବର କରିଥିଲା କ୍ରୋଏସିଆ। ଫଳରେ ଖେଳ ଏକ୍ସଟ୍ରା ଟାଇମ୍କୁ ଯାଇଥିଲା।
ଏକ୍ସଟ୍ରା ଟାଇମ୍ରେ ପ୍ରତିଟି ମୁହୁର୍ତ୍ତ ଥିଲା ରୋମାଞ୍ଚକର। ସମୟ ଗଡୁଥାଏ ଏବଂ ହାର୍ଟବିଟ୍ ବଢ଼ୁଥାଏ ଫ୍ୟାନଙ୍କର। ଶେଷରେ ମାରିଓ ମାଣ୍ଡୁଜୁକିକ୍ଙ୍କ ଗୋଲ ହିଁ ଇଂଲଣ୍ଡର ସମସ୍ତ ସ୍ୱପ୍ନକୁ ଚୁରମାର କରିଦେଲା। ଏବଂ ପ୍ରଥମ ଥର ପାଇଁ କ୍ରୋଏସିଆ ପହଞ୍ଚିଥିଲା ଫାଇନାଲ୍ରେ। ଏହି ଉପଲବଧି ପରେ ଖୁସି ସମ୍ଭାଳି ପାରିନଥିଲେ କ୍ରୋଏସିଆର ଖେଳାଳି। ଆଉ ଇଂଲଣ୍ଡ କ୍ୟାମ୍ପରେ ଥିଲା ନିରାଶା ହିଁ ନିରାଶା।
ଏବେ ରବିବାରକୁ ଅପେକ୍ଷା। ସୁପରସଣ୍ଡେରେ ହେବ ସୁପରମୁକାବିଲା। ଫ୍ରାନସ ୧୯୯୮ ମ୍ୟାଜିକ୍ ଦୋହାରାଇବା ଲକ୍ଷ୍ୟରେ ଅଛି। ଅନ୍ୟପଟେ କ୍ରୋଏସିଆ ଇତିହାସ ରଚିବା ଅପେକ୍ଷାରେ। ଦର୍ଶକଙ୍କ ଅପେକ୍ଷା ଏକ ରୋମାଞ୍ଚକର ମ୍ୟାଚକୁ। ଅନ୍ୟପଟେ ତୃତୀୟ ସ୍ଥାନ ପାଇଁ ଶନିବାର ଦିନ ମୁହାଁମୁହିଁ ହେବେ ବେଲଜିୟମ୍ ଏବଂ ଇଂଲଣ୍ଡ ଟିମ୍।

from OdishaReporter https://ift.tt/2ugTGdt
No comments:
Post a Comment