
ନୂଆଦିଲ୍ଲୀ: ଧାରା ୩୭୭ ବା ସମଲିଙ୍ଗୀ ସମ୍ପର୍କର ବୈଧତାକୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣିର ଆଜି ତୃତୀୟ ଦିନ ଥିଲା। ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ ଧାରା ୩୭୭ ଉଚ୍ଛେଦ ନେଇ ସମ୍ପୂର୍ଣ୍ଣ ମତ ଦେଇ ନଥିଲେ ମଧ୍ୟ ସମଲିଙ୍ଗୀ ସମ୍ପର୍କକୁ ବିରୋଧ ମଧ୍ୟ କରିନାହାନ୍ତି। ଆଜି ମାମଲାର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର କହିଛନ୍ତି ଯେ, ସମଲିଙ୍ଗୀ ସମ୍ପର୍କକୁ ଆଇପିସି ଧାରାରେ ଅପରାଧିକ ଶ୍ରେଣୀରେ ଅନ୍ତର୍ଭୃକ୍ତ କରାଯାଇଥିବାରୁ ଏଲ୍ଜିବିଟି ସମ୍ପ୍ରଦାୟ ସମାଜରେ ହୀନମନ୍ୟତା ଅନୁଭବ କରୁଛନ୍ତି।
ସମାଜ ସେମାନଙ୍କୁ ଘୃଣିତ ଦୃଷ୍ଟିରେ ଦେଖୁଛି। ତେଣୁ ଏହି ସମ୍ପର୍କକୁ ଅପରାଧିକ ତାଲିକାରୁ ମୁକ୍ତ କରାଗଲେ ସମଲିଙ୍ଗୀମାନେ ଏକାଠି ହୋଇପାରିବେ। ତେବେ ଭାରତରେ ୧୫୦ ବର୍ଷ ଧରି ସମଲିଙ୍ଗୀ ସମ୍ପର୍କକୁ ନେଇ କଟକଣା ଥିଲା ବେଳେ ଏହାକୁ ଉଚ୍ଛେଦ କରାଯିବ କି ନାହିଁ ପରବର୍ତ୍ତୀ ଶୁଣାଣିରେ ନିଷ୍ପତ୍ତି ହୋଇପାରେ। ଗତକାଲି ଶୁଣାଣିରେ କୋର୍ଟ ଏହି କଟକଣା ହଟେଇ ଦେବା ସମ୍ପର୍କରେ ମତ ଦେଇଥିଲେ। କହିଥିଲେ ତୁରନ୍ତ ଏହି ପ୍ରଥାକୁ ଉଚ୍ଛେଦ କରିଦେବା ଉଚିତ୍।
ଆଜି ତୃତୀୟ ଦିନରେ ପ୍ରଧାନବିଚାରପତିଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ଖଣ୍ଡପୀଠ ଶୁଣାଣି କରିଥିଲେ। ୩୭୭ ଦ୍ୱାରା ମୌଳିକ ଅଧିକାର କ୍ଷୂର୍ଣ୍ଣ ହେବା ସହ ସମାଜରେ ଭେଦଭାବକୁ ଅନୁଭବ କରିଛନ୍ତି ଅଦାଲତ। ଏନେଇ ଆସନ୍ତା ଗୁରୁବାର ଦିନ ପରବର୍ତ୍ତି ଶୁଣାଣି ହେବ। କୋର୍ଟ କହିଛନ୍ତି ଯେ, ୩୭୭ ଧାରା ବଳରେ ଦେଶର ନାଗରିକଙ୍କ ମଧ୍ୟରେ ଭେଦଭାବ ରହୁଛି । ନାଗରିକଙ୍କ ମୌଳିକ ଅଧିକାର କ୍ଷୂର୍ଣ୍ଣ ହେବା ସଙ୍ଗୀନ ବ୍ୟାପାର ବୋଲି ଦର୍ଶାଇଛନ୍ତି କୋର୍ଟ । ସମଲିଙ୍ଗୀ ସମ୍ପର୍କର ଗୁରୁତ୍ୱକୁ ଅନୁଭବ କରିଛନ୍ତି ଜଷ୍ଟିସ୍ ଇନ୍ଦୁ ମଲହୋତ୍ରା । ନିଜ ଇଚ୍ଛା ସତ୍ତ୍ୱେ ସମାଜର ଚାପ ପ୍ରଭାବିତ କରେ। ଯାହା ମାନସିକ ଏବଂ ଶାରୀରିକ ଅବସ୍ଥା ଉପରେ ମଧ୍ୟ ପ୍ରଭାବ ପକାଇ ଥାଏ ବୋଲି କହିଛନ୍ତି ଜଷ୍ଟିସ୍ ମଲହୋତ୍ରା । କେବଳ ଏତିକି ନୁହଁ, LGBT ସମୁଦାୟଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସୁବିଧା ବି ମିଳିପାରେ ନାହିଁ । ସେହିପରି ସମାଜର କୁପ୍ରଥା ଏବଂ ଚିନ୍ତାଧାରକୁ ବଦଳାଇବା ସମୟ ଆସିଛି ବୋଲି କହିଛନ୍ତି ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡ଼। ସେହିପରି ଯଦି ଦୁଇ ଜଣ ସାବାଳକ ନିଜ ଇଚ୍ଛା ଅନୁସାରେ କୌଣସି ପ୍ରକାର ଯୌନ କ୍ରିୟାରେ ଲିପ୍ତ ହୁଅନ୍ତି, ତାହା ଅପ୍ରାକୃତିକ ହୋଇଥିଲେ ମଧ୍ୟ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟନୁଷ୍ଠାନ ନିଆଯାଇ ପାରିବ ନାହିଁ ବୋଲି ପ୍ରଧାନବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର କହିଥିଲେ।
ଗତକାଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଜବାବ ଦାଖଲ ପରେ ଏନେଇ ସୁପ୍ରିମକୋର୍ଟଙ୍କ ପାଞ୍ଚ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ। କେନ୍ଦ୍ର ସରକାର ଏ ସଂକ୍ରାନ୍ତରେ ସୁପ୍ରିମ୍କୋର୍ଟଙ୍କ ଉପରେ ସବୁ ନିଷ୍ପତ୍ତି ଛାଡ଼ି ଦେଇଥିଲେ। କହିଥିଲେ, ୩୭୭ ଧାରା ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଯାହା କିଛି ବି ନିଷ୍ପତ୍ତି ନେବେ, ସେଥିରେ ସରକାର କୌଣସି ହସ୍ତକ୍ଷେପ କରିବେ ନାହିଁ ।
ସୂଚନା ଯୋଗ୍ୟ ଯେ, ୧୫୦ରୁ ଅଧିକ ବର୍ଷ ଧରି ଚାଲି ଆସିଥିବା ନିୟମକୁ ବଦଳାଇବା ପାଇଁ ୨୦୦୧ରୁ ଆରମ୍ଭ ହୋଇଥିଲା ପ୍ରୟାସ। ନାଜ୍ ଫାଇଣ୍ଡେସନ୍ ପକ୍ଷରୁ ଧାରା ୩୭୭ର ପରିବର୍ତ୍ତନ ପାଇଁ ଦିଲ୍ଲୀ ହାଇକୋର୍ଟରେ ଦାଖଲ ହୋଇଥିଲା । ଏକ ଜନସ୍ୱାର୍ଥ୍ୟ ମାମଲାରେ ବିଚାର କରି ୨୦୦୯ ଜୁଲାଇ ୨ରେ ସମଲିଙ୍ଗୀ ସମ୍ପର୍କକୁ ବୈଧ ଦର୍ଶାଇଥିଲେ ଅଦାଲତ । ଯାହାକୁ ବିରୋଧ କରି କିଛି ଧାର୍ମିକ ଅନୁଷ୍ଠାନ ସୁପ୍ରିମକୋର୍ଟର ଦ୍ୱାରସ୍ତ ହୋଇଥିଲେ ।
from OdishaReporter https://ift.tt/2L0kbO3
No comments:
Post a Comment