
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏବେ ସବୁ ଦଳକୁ ୨୦୧୯ ଚିନ୍ତା। କେମିତି ଭୋଟରଙ୍କ ମନ ଜିଣିବେ ସେଥିପାଇଁ ଚଲାଇଛନ୍ତି କସ୍ରତ। ସମସ୍ତଙ୍କ ଫୋକସ୍ରେ ରହିଛନ୍ତି ଚାଷୀ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କ ପାଇଁ ବହୁତ କିଛି କରୁଥିବା ଡିଣ୍ଡିମ ପିଟୁଛନ୍ତି। ହେଲେ କଂଗ୍ରେସର ମତ ସମ୍ପୂର୍ଣ୍ଣ ଭିନ୍ନ। ମୁଖ୍ୟମନ୍ତ୍ରୀ ପ୍ରତିଦିନ ନବୀନ ନିବାସରେ ଚାଷୀଙ୍କୁ ଭେଟୁଥିବା ବେଳେ ଏମ୍ଏସ୍ପି ବୃଦ୍ଧି କରି ଚାଷୀ ଭୋଟ୍ ହାତେଇବା ଲକ୍ଷ୍ୟରେ ରହିଛି ବିଜେପି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀ ବିରୋଧୀ ବୋଲି ଅଭିଯୋଗ କରି ଆଜି ରାଜରାସ୍ତାକୁ ଓହ୍ଲାଇ ରାଜଧାନୀରେ ଧାରଣା ଦେଇଛି କଂଗ୍ରେସ।
ଚାଷୀ ପାଇଁ ରାଜରାସ୍ତାରେ କଂଗ୍ରେସ୍
ଗୁରୁବାର ରାଜଧାନୀରେ କଂଗ୍ରେସର ଧାରଣା ଓ ପ୍ରତିବାଦ ଦେଖିବାକୁ ମିଳିଛି। ଚାଷୀ ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିରୋଧରେ ଦଳ ଦେଇଛି ରଣହୁଙ୍କାର। ୨୦୧୯ ନିର୍ବାଚନ ପୂର୍ବରୁ ପ୍ରଭାବୀ ଢଙ୍ଗରେ ଚାଷୀ କାର୍ଡ ଖେଳିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଘୋଷଣା କରିଛନ୍ତି, କଂଗ୍ରେସ ସରକାର ଆସିଲେ କୃଷି ଋଣ ସମ୍ପୂର୍ଣ୍ଣ ଛାଡ଼ ହେବ। ସରକାରଙ୍କ ବିରୋଧରେ ଚାଷୀକୁଳ ଭିତରେ ଥିବା ଅସନ୍ତୋଷରୁ ଫାଇଦା ଉଠାଇବା ଚକ୍କରରେ ରହିଛି ଦଳ।
ସୋଶାଲ୍ ମିଡିଆର ସାହାରା ନେଉଛି ବିଜେଡି
ବିଜେଡିରେ ମଧ୍ୟ ଚାଲିଛି ଚାଷୀଙ୍କୁ ମନାଇବାର କାର୍ଯ୍ୟକ୍ରମ। କୃଷକ ସଚେତନତା ଶିବିର ପାଇଁ ବିଭିନ୍ନ ସ୍ଥାନରୁ ରାଜଧାନୀ ଆସୁଥିବା ଚାଷୀଙ୍କୁ ଅଣାଯାଉଛି ନବୀନ ନିବାସ। ମୁଖ୍ୟମନ୍ତ୍ରୀ ସେମାନଙ୍କ ସହ ଆଲୋଚନା କରିବା ସହ ଦି’ପଦ କଥା ହେବା ପରେ ସେମାନଙ୍କ ସହ ଫଟୋପୋଜ୍ ଦେଉଛନ୍ତି। ଯାହାକୁ ସୋଶାଲ୍ ମିଡିଆରେ ପ୍ରଚାର କରାଯାଉଛି।
ଉତ୍ସାହିତ ବିଜେପି କ୍ୟାମ୍ପ
ସେହିପରି ନିକଟରେ କେନ୍ଦ୍ର ସରକାର ବିଭିନ୍ନ ଖାଦ୍ୟଶସ୍ୟର ଏମ୍ଏସ୍ପି ବୃଦ୍ଧି କରିବା ପରେ ଉତ୍ସାହିତ ହୋଇପଡ଼ିଛି ରାଜ୍ୟ ବିଜେପି କ୍ୟାମ୍ପ୍। ଆସନ୍ତା ନିର୍ବାଚନରେ ଦଳକୁ ଏହାର ଫାଇଦା ମିଳିବା ଦଳ ଆଶା ବାନ୍ଧି ବସିଛି।
ଅନ୍ୟପକ୍ଷରେ ଚାଷୀ ଓ ଚାଷକୁ ନେଇ ରାଜନୀତି ଜୋର ଧରିଥିବାବେଳେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ସଂକ୍ରାନ୍ତରେ ବିଧାନସଭା ଗୃହ କମିଟିର ବୈଠକ ଆସନ୍ତାକାଲି ବସୁଛି। ପୂର୍ବରୁ ଏହି କମିଟି ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ସମୟ ମାଗିଥିଲେ ମଧ୍ୟ ସମୟ ମିଳି ନଥିଲା। ଏହାକୁ ନେଇ ସେତେବେଳେ ତମ୍ବିତୋଫାନ ହୋଇଥିଲା। ବୈଠକରେ ରାଜ୍ୟ ସରକାର କରିଥିବା ବିଳମ୍ବ ସଂକ୍ରାନ୍ତରେ ମତ ଉପସ୍ଥାପନ କରିବେ ବୋଲି ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି। ଏମ୍ଏସ୍ପି ବୃଦ୍ଧି ନେଇ କେନ୍ଦ୍ରର ନିଷ୍ପତ୍ତି ସଂକ୍ରାନ୍ତରେ ବିଶଦ୍ ଆଲୋଚନା ହେବ ବୋଲି ବିଜେଡି କହିଛି।
from OdishaReporter https://ift.tt/2Lbhd5W
No comments:
Post a Comment