ରଥରେ ଚାପ ଖେଳିଲେ ଇସ୍କନ ଦିଅଁ, କାଳିଆର ଆଶୀର୍ବାଦରୁ ରାଜ୍ୟସଭାକୁ ଯିବେ ବୁନୁଭାଇ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 14, 2018

ରଥରେ ଚାପ ଖେଳିଲେ ଇସ୍କନ ଦିଅଁ, କାଳିଆର ଆଶୀର୍ବାଦରୁ ରାଜ୍ୟସଭାକୁ ଯିବେ ବୁନୁଭାଇ !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମନୁଆ ଠାକୁର କାଳିଆ। ଏଥର ମନ କରିଛି ଗୁଣ୍ଡିଚାରେ ଚାପ ଖେଳିବ। ସ୍ମାର୍ଟସିଟି ଭୁବନେଶ୍ୱରର ସ୍ମାର୍ଟ ପାଣିରେ ମଉଜ କରିବ। କଥାଟା ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେଣି। ହେଲେ ଏ କଥା ତ ଆପଣ ନିଶ୍ଚିତ ଜାଣିଥିବେ ଯେ, କାଳିଆ ବଡ଼ ମନୁଆ। ଯେତେବେଳେ ଯାହା ଇଚ୍ଛା ସେଇଆ କରେ। ନ ହେଲେ କ’ଣ ରତ୍ନଭଣ୍ଡାର ଚାବି ହଜିଥାନ୍ତା ନା ଜିଲାପାଳ ଡୁପ୍ଲିକେଟ୍‌ ପାଇଥାନ୍ତେ? ତା’ କଥା ପରା ନିଆରା। ହେଲେ ତା’ ମନ କଥା ଆଜି ଭୁବନେଶ୍ୱରିଆ ବେଶ୍‌ ଠଉରେଇ ପାରିଛନ୍ତି। ନ ହେଲେ କ’ଣ ଗୁଣ୍ଡିଚାରେ ଚାପ ଖେଳ କଥା ଉଠିଥାନ୍ତା ନା କ’ଣ?

ଆପଣଙ୍କୁ କଥାଟା ଅଡୁଆ ଲାଗୁଥିଲେ ବି, ଆମେ ଆଜ୍ଞା ରୋକ୍‌ଠୋକ୍‌ କହିଲା ବାଲା। ଯାହା ଶୁଣିଲୁ କହିଦେଲୁ। ବିଚାର ଆପଣଙ୍କର। ଛାଡ଼ନ୍ତୁ ଏତେ ରଙ୍ଗମରା କଥା କହିବା ଅପେକ୍ଷା ସିଧା ସିଧା ମୁଖ୍ୟ ପ୍ରସଙ୍ଗକୁ ଯିବାଟା ଭଲ। ଆଜି ଶ୍ରୀଗୁଣ୍ଡିଚା। ଗାଁ ଗଣ୍ଡା, ସହର, ବଜାର ସବୁଠି ଆଜି କାଳିଆ ଚର୍ଚ୍ଚା। ସ୍ମାର୍ଟସିଟି ଭୁବନେଶ୍ୱରର ସିଆର୍‌ପି ଛକରେ ବି ଆଜି ତା କଥା ପଡ଼ିଥିଲା। କଳସରୁ ପାଣି ବୋହିଲା ଭଳିଆ ନିର୍ଘାତିଆ ବର୍ଷା କାଚୁଥିଲା ବୋଲି ସିଆର୍‌ପି ଆନ୍ନା ଜଳଖିଆ ଦୋକାନରେ ଦଳେ ଟୋକା ଆଶ୍ରା ନେଇଥାନ୍ତି। ଟୋକାଟାକେଳା କଥା ତ, କଥା କଥାରୁ ଆରମ୍ଭ ହେଲା ଖଟି। ଜଗନ୍ନାଥଙ୍କଠୁ ଆରମ୍ଭ ହେଲା ଯେ, ଶେଷରେ ପହଞ୍ଚିଲା ଇସ୍କନ ପାଖରେ।

ଏତିକି ବେଳକୁ ହ୍ୱାଟସ୍‌ ଆପ୍‌ରେ କେହି ଜଣେ ମେସେଜ୍‌ଟିଏ ପଠେଇଲେ। ଭୁବନେଶ୍ୱର ଇସ୍କନ ମନ୍ଦିର ସାମ୍ନା ଆଜି ବର୍ଷାଜଳରେ ଜଳାର୍ଣ୍ଣବ ହୋଇ ପଡ଼ିଥିବା ଭିଡିଓଟା ପହଞ୍ଚିବା ପରେ ଆରମ୍ଭ ହେଲା ରୋଳା। ହସ ଗମାତ ଭିତରେ ଜଣେ ବାବୁ କହିଲେ- “କାଳିଆ ସତରେ ମନୁଆ। ଭୁବନେଶ୍ୱର ମେୟର ଅନନ୍ତ ଜେନାଙ୍କ ମନ ଜାଣି ଏଥର ମନେମନେ ସେ ଶ୍ରୀଗୁଣ୍ଡିଚାରେ ‘ଚାପ’ ଖେଳିବେ ବୋଲି ସ୍ଥିର କରି ନେଇଛି। ସେଇଠୁ ଆଉଜଣେ ତାଙ୍କୁ ପ୍ରଶ୍ନ କଲେ- ସତ ନା କ’ଣ?

ତା ପରେ ବାବୁ ଅସଲ କଥାଟା ଭାଷିଲେ- “ନୁହେଁ ତ କ’ଣ ଯେ, ଯୋଉ ପାଣି ଇସ୍କନ ମନ୍ଦିର ସାମ୍ନାରେ ଢେଉ ଖେଳୁଛି, ସେଥିରେ କ’ଣ ରଥ ଗଡ଼ିବ? ଆହେ ରଥ ଗଡ଼ିବା କଥା ଛାଡ ହେ, ଦିଅଁ ପହଣ୍ଡି ହେଲେ ପରା ଭାସିଯିବେ। ତେଣୁ କାଳିଆ ମନ ଜାଣି ତାକୁ ଏଥର ଗୁଣ୍ଡିଚାରେ ଚାପ ଖେଳେଇବା କଥା।

ଆଉ ଦିଅଁ ଚାପ ଖେଳିଲେ, ଏ ନିଆରା ପରମ୍ପରା ସୃଷ୍ଟି କରିଥିବାରୁ ଆମ ମେୟର ବୁନୁ ଭାଇଙ୍କୁ ଦ୍ୱିତୀୟ ଇନ୍ଦ୍ରଦ୍ୟୁମ୍ନ ଆଖ୍ୟା ଦେଇ ନବୀନ ବାବୁ ଆର ସନ ରାଜ୍ୟସଭା ପଠାଇବାର ବ୍ୟବସ୍ଥା କରିବେ। ବିଗତ ଦିନର ଲୋକକୁହା ପାପ, ତଥାକଥିତ ବ୍ଲୁ ସିଡି ଖେଳ ସବୁ ଉଭେଇ ଯିବ। କାଳିଆର ଆଜ୍ଞାମାଳ ଯାହା ନବୀନଙ୍କ ଦୟାମାଳ ବି ସେଇଆ। ବିଲ୍‌କୁଲ୍ ଏକା କଥା। ଏ କଥା ଆମେ କହୁନୁ, ଟୋକାଏ ଗମାତ କରୁଥିଲେ। ତେଣୁ କାଳିଆ ଚାପ ଖେଳୁ, ଭୁବନେଶ୍ୱରର ଉନ୍ନତି ହେଉ ଆଉ ବୁନୁ ଭାଇ ରାଜ୍ୟସଭା ଯାଆନ୍ତୁ। ବୋଲ୍‌ ଆନନ୍ଦେକବାର ହରିବୋଲ୍‌…ଜୟ ଜଗନ୍ନାଥ।

ଟୋକାଙ୍କ ରୋଳାରେ ବର୍ଷା ଥମି ଯାଇଥିଲା। ଆମ ଭଳି କିଛି ଦେଖଣାହାରି ସେମାନଙ୍କ କଥା ଶୁଣି ମୁଣ୍ଡ ଟୁଙ୍ଗାରି ହସୁଥିଲେ। ଆନ୍ନାର ତେଲ କଡ଼େଇରୁ ଗରମାଗରମ୍‌ ବରା ବି ବାହାରିଲା। ଆଉ ଖୁସିରେ ଦଳକଯାକ ବାଇକ୍‌ ଷ୍ଟାର୍ଟ କରି କାଳିଆର ଚାପ ଖେଳ ଦେଖିବାକୁ ଇସ୍କନ ମୁହାଁ ହେଲେ।



from OdishaReporter https://ift.tt/2JmEgcv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages