
ମୁମ୍ୱାଇ: ଭାରତର ବ୍ୟବସାୟିକ ରାଜଧାନୀ ମୁମ୍ୱାଇ ଆଜି ଦୀର୍ଘ ସମୟ ଧରି ଅଟକି ଯାଇଛି। ମରାଠା ସଂପ୍ରଦାୟ ପକ୍ଷରୁ ଆରମ୍ଭ ହୋଇଥିବା ସଂରକ୍ଷଣ ଆନ୍ଦୋଳନ ଆଜି ଔରଙ୍ଗାବାଦରୁ ମୁମ୍ବାଇକୁ ଡେଁଇଛି। ସଂରକ୍ଷଣ ଦାବିରେ ମରାଠା କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ଆଜି ମୁମ୍ବାଇ ବନ୍ଦ ଡାକରା ଦିଆଯାଥିବା ବେଳେ ଏହାର ପ୍ରଭାବ ନଭି-ମୁମ୍ବାଇ, ଥାନେ ଓ ମହାରାଷ୍ଟ୍ରର ବିଭିନ୍ନ ଜିଲ୍ଲାରେ ଦେଖିବାକୁ ମିଳିଥିଲା। କେଉଁଠି ରାସ୍ତାରୋକ ହୋଇଥିବା ବେଳେ ଆଉ କେଉଁଠି ରେଳରୋକ। ପୁଣି ଆଉ କେଉଁଠି ହଜାର ହଜାର ମରାଠା ସଂପ୍ରଦାୟର ଲୋକ ହାତରେ ବ୍ୟାନର ଧରି ସଂରକ୍ଷଣ ଦାବିରେ ହୋହାଲ୍ଲା କରୁଥିବା ଦେଖିବାକୁ ମିଳିଛି।
ବିକ୍ଷୋଭକାରୀମାନେ ବିଭିନ୍ନ ସ୍ଥାନରେ ରାସ୍ତାରୋକ ସହ ପୋଡ଼ାଜଳା କରିଥିବା ଦେଖିବାକୁ ମିଳିଛି। ଘାଟକୋପାର୍ ରାସ୍ତାରେ ବିକ୍ଷୋଭକାରୀ ସରକାରୀ ବସ୍ ଉପରେ ଆକ୍ରମଣ କରିଛନ୍ତି। ସେହିପରି କାଲାମବୋଲିଠାରେ ବିକ୍ଷୋଭକାରୀମାନେ ମୋଟର ସାଇକେଲ୍ରେ ନିଆଁ ଲଗାଇବା ବେଳର ଦୃଶ୍ୟକୁ କିଛି ଗଣମାଧ୍ୟମ ପ୍ରତିନିଧି ଶୁଟିଂ କରୁଥିବା ବେଳେ, ଆନ୍ଦୋଳନକାରୀମାନେ ସେମାନଙ୍କୁ ଆକ୍ରମଣ କରିଥିଲେ। ଏହାକୁ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ୍ ଆନ୍ଦୋଳନକାରୀଙ୍କ ଉପରେ ଲାଠିମାଡ଼ କରିଥିଲା। ଫଳରେ ଉଭୟ ପକ୍ଷଙ୍କ ମଧ୍ୟରେ କିଛି ସମୟ ସଂଘର୍ଷ ଘଟିଥିଲା। ଏଥିରେ ୫ ଜଣ ଆନ୍ଦୋଳନକାରୀ ଆହତ ହୋଇଛନ୍ତି।
ଆଜି ସକାଳେ ବନ୍ଦ ଡାକରା ବେଶ୍ ଶାନ୍ତିପୂର୍ଣ୍ଣ ଭାବେ ଆରମ୍ଭ ହୋଇଥିଲା। ତେବେ ଦିନ ବଢ଼ିବା ସହ ଆନ୍ଦୋଳନ ତୀବ୍ରତର ହୋଇଥିଲା। ଥାନେରେ ବିକ୍ଷୋଭକାରୀମାନେ ବସ୍ ଓ ଟ୍ରେନ୍କୁ ଅଟକାଇଥିଲେ। ଯୋଗେଶ୍ୱରୀ ଓ କଲ୍ୟାଣ ରେଳଧାରଣାରେ ଆନ୍ଦୋଳନକାରୀ ବସି ରହିବାରୁ ଟ୍ରେନ୍ ଚଳାଚଳ ଗଭୀର ଭାବେ ପ୍ରଭାବିତ ହୋଇଥିଲା। ଆନ୍ଦୋଳନକାରୀମାନେ ଘାନସୋଲିଠାରେ ବିଭିନ୍ନ ବସ୍ ଓ କାର୍କୁ ଭଙ୍ଗାରୁଜା କରିଥିଲେ। ଲାଲ୍ବାଗ୍ଠାରେ ମରାଠା ଆନ୍ଦୋଳନକାରୀ ବିଭିନ୍ନ ଦୋକାନ ବଜାରକୁ ଜୋରଜବରଦସ୍ତ ବନ୍ଦ କରୁଥିବା ଦେଖିବାକୁ ମିଳିଥିଲା।
ଶିବାଜୀ ଚୌକ୍ଠାରେ ମଧ୍ୟ ଆନ୍ଦୋଳନକାରୀ ରାସ୍ତାରୋକ କରିଥିଲେ। ତେବେ ମଧ୍ୟାହ୍ନ ପ୍ରାୟ ୨.୪୫ରେ ମରାଠା କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ବନ୍ଦକୁ ପ୍ରତ୍ୟାହାର କରାଯାଥିଲା। ତଥାପି ଦୀର୍ଘ ସମୟ ଧରି ନଭି-ମୁମ୍ୱାଇରେ ରାସ୍ତାରୋକ ଜାରି ରହିଥିଲା। ସୂଚନାଯୋଗ୍ୟ ଯେ, ସରକାରୀ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୧୬% ସଂରକ୍ଷଣ ଦାବିରେ ମରାଠା ସଂପ୍ରଦାୟ ପକ୍ଷରୁ ଏହି ଆନ୍ଦୋଳନ ଆରମ୍ଭ କରାଯାଇଛି। ସୋମବାର ଆନ୍ଦୋଳନ ସମୟରେ ଜଣେ ବ୍ୟକ୍ତି ଗୋଦାବରୀ ନଦୀକୁ ଡେଇଁ ଆତ୍ମହତ୍ୟା କରିବାରୁ ଏହାପରେ ପରିସ୍ଥିତି ହିଂସାତ୍ମକ ରୂପ ଧାରଣ କରିଥିଲା।
from OdishaReporter https://ift.tt/2mGLCOU




No comments:
Post a Comment