
ନୂଆଦିଲ୍ଲୀ: ଉତ୍ତର ପ୍ରେଦେଶର ଗ୍ରେଟର୍ ନୋଏଡ଼ାର ଶାହବେରି ଗାଁ’ରେ ଗତକାଲି ରାତିରେ ଦୁଇଟି କୋଠା ଭୁଶୁଡ଼ି ପଡ଼ିବାରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେବି ୧୦ରୁ ଅଧିକ ଲୋକ ସେଥିରେ ଫସି ରହିଥିବା କୁହାଯାଉଛି। ଘଟଣାସ୍ଥଳରେ ଏନ୍ଡିଆର୍ଏଫ୍ର ୪ଟି ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।
ଭୁଶୁଡ଼ି ପଡ଼ିଥିବା କୋଠା ଦୁଇଟି ମଧ୍ୟରୁ ଗୋଟିଏ ନିର୍ମାଣାଧୀନ ଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଗତକାଲି ରାତି ପ୍ରାୟ ସାଢ଼େ ୮ଟା ବେଳେ ନିର୍ମାଣାଧୀନ ୬ ମହଲା କୋଠାଟି ଭୁଶୁଡ଼ି ପାଖରେ ଥିବା ଏକ ପୁରୁଣା ୪ ମହଲା କୋଠା ଉପରେ ପଡ଼ି ଯାଇଥିଲା। ଫଳରେ ଉକ୍ତ ୪ ମହଲା କୋଠାଟି ବି ଭୁଶୁଡ଼ି ପଡ଼ିଥିଲା। ପୁରୁଣା କୋଠାଟିରେ ୧୮ଟି ପରିବାର ରହୁଥିଲେ। ନିର୍ମାଣାଧୀନ କୋଠାରେ କିଛି ଶ୍ରମିକ ରହୁଥିଲେ। ମୃତକଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଥିବା ବେଳେ ଜଣେ ମହିଳା ଅଛନ୍ତି।
ପୁଲିସ୍ ଏ ଘଟଣାରେ ନିର୍ମାଣାଧୀନ କୋଠାର ମାଲିକଙ୍କ ସହିତ ଆଉ ଦୁଇ ଜଣଙ୍କୁ ଗିରଫ କରିଛି। ଯେଉଁ ବିଲ୍ଡର ଏହାର ନିର୍ମାଣ ଦାୟିତ୍ୱ ନେଇଥିଲେ ତାଙ୍କ ନାଁରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରାଯାଇଛି।
ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ଯେ ଘଟଣା ପରେ ସଙ୍ଗେ ସଙ୍ଗେ ପୁଲିସ୍କୁ ଖବର ଦିଆଯାଇଥିଲା। କିନ୍ତୁ ପୁଲିସ୍ ଘଣ୍ଟାଏ ବିଳମ୍ବରେ ଆସିଲା। ରାତି ପ୍ରାୟ ୧୧ଟା ୧୫ ମିନିଟ୍ରେ ପ୍ରଥମେ ଦୁଇଟି ମୃତଦେହ ଉଦ୍ଧାର କରାଯାଇଥିଲା। ତା’ର ୬ ଘଣ୍ଟା ପରେ ଆଉ ଏକ ମୃତଦେହ ଉଦ୍ଧାର କରାଯାଇଥିଲା। ଉଦ୍ଧାର କାର୍ଯ୍ୟ ସାରିବାକୁ ଆହୁରି ୨୪ ଘଣ୍ଟା ଲାଗିପାରେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।
from OdishaReporter https://ift.tt/2uHdeXL
No comments:
Post a Comment