
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସ୍ଥିତ ନୟାପଲ୍ଲୀରେ ଥିବା ଇସ୍କନ୍ ମନ୍ଦିର ସାମ୍ନାରୁ ଜବରଦଖଲ ଉଚ୍ଛେଦ ବେଳେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଜବରଦଖଲ ଉଚ୍ଛେଦକୁ ବିରୋଧ କରୁଥିବା ଇସ୍କନ ମନ୍ଦିର ଅନ୍ତେବାସୀ ଓ ଭକ୍ତଙ୍କ ଉପରେ ପୁଲିସ୍ ଲାଠିଚାର୍ଜ କରିଛି।
ଇସ୍କନ୍ ମନ୍ଦିର ନିକଟରେ ବର୍ଷା ଜଳ ନିଷ୍କାସନ ହୋଇ ନପାରି କୃତ୍ରିମ ବନ୍ୟା ସ୍ଥିତି ସୃଷ୍ଟି ହେଉଛି। ତେଣୁ ଆଜି ଡ୍ରେନ୍ ଉପରୁ ଜବରଦଖଲକୁ ବିଏମ୍ସି ଓ ବିଡିଏ ପକ୍ଷରୁ ଉଚ୍ଛେଦ କରାଯାଇଛି। ଏନ୍ଫୋର୍ସମେଣ୍ଟ ଟିମ୍ ସହ ୩ଟି ଜେସିବି ମେସିନ୍ ସାହାଯ୍ୟରେ ଉଚ୍ଛେଦ କରାଯାଇଛି। ତେବେ ସେଠାରେ ଥିବା ସମାଧି ପୀଠକୁ ଉଚ୍ଛେଦ କରିବା ବେଳେ ଇସ୍କନ୍ ଅନ୍ତେବାସୀ ଓ ଭକ୍ତ ଏହାକୁ ତୀବ୍ର ବିରୋଧ କରିଥିଲେ। ପୁଲିସ୍ ସେମାନଙ୍କୁ ଉଠାଇବାକୁ ଚେଷ୍ଟା କରିବାରୁ ସେଠାରେ କିଛି ସମୟ ପାଇଁ ଠେଲାପେଲା ହୋଇଥିଲା। ପରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ପୁଲିସ୍ ଲାଠିମାଡ଼ କରି ଲୋକଙ୍କୁ ଘଉଡ଼ାଇଥିଲା।
ଇସ୍କନ୍ ଭକ୍ତ ଅଭିଯୋଗ କରିଛନ୍ତି ଯେ, ବେଆଇନ ନିର୍ମାଣ ଭାଙ୍ଗିବାକୁ ଗତ ୨୫ତାରିଖରେ ବିଏମ୍ସି ଇସ୍କନ୍କୁ ନୋଟିସ୍ କରିଥିଲା। ତେବେ ଏତେ କମ୍ ସମୟ ଭିତରେ ସମାଧିସ୍ଥଳ ହଟାଇବା କଷ୍ଟକର ହୋଇଥିବାରୁ ଅଧିକ ସମୟ ଦେବାକୁ ସେମାନେ ଦାବି କରିଥିଲେ। ହେଲେ ସେମାନଙ୍କ ଦାବିକୁ ଅଣଦେଖା କରି ହଠାତ୍ ସମାଧିସ୍ଥଳ ଭଙ୍ଗାଯିବା ଘଟଣାକୁ ସେମାନେ ବିରୋଧ କରିଥିଲେ। ଏହି ଘଟଣା ପରେ ସେଠାରେ ତୀବ୍ର ଉତ୍ତେଜନା ଲାଗି ରହିଛି।
from OdishaReporter https://ift.tt/2NOMtZw


No comments:
Post a Comment