
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):୧୫ ବର୍ଷ ପରେ ଲୋକସଭାରେ ହେଲା ଅଗ୍ନି ପରୀକ୍ଷା । ପରୀକ୍ଷାରେ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ପାସ୍ ତ’ କରିଗଲା ହେଲେ ବିଶ୍ୱାସର ଏହି ଟେଷ୍ଟ ଛାଡ଼ିଯାଇଛି ଅନେକ ପ୍ରଶ୍ନ । ଲୋକସଭାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଆକ୍ରମଣ ଓ ଆଚରଣ ଉଭୟକୁ ନେଇ ଏବେ ଚର୍ଚ୍ଚା । ଯେଉଁ ଉଦ୍ଦେଶ୍ୟରେ ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିଥିଲେ ତାହା ସାଧିତ ହେଲା କି ? ୨୦୧୯ ପାଇଁ ବିରୋଧୀଙ୍କ ମେଳି ନୂଆ ସଂକେତ ଦେଇପାରିଲା କି ? ବିଶେଷ କରି ଅନାସ୍ଥା ଆଲୋଚନାରୁ ନିଜକୁ ବିରତ ରଖି ବିଜେଡି କେଉଁ ରାଜନୈତିକ ଫାଇଦା ପାଇଲା ? ଏମିତି ଅନେକ ପ୍ରଶ୍ନକୁ ନେଇ ରାଜନୈତିକ ମହଲରେ ଚାଲିଛି ଆଲୋଚନା ଓ ପର୍ଯ୍ୟାଲୋଚନା।
କାରଣ ମୋଦିଙ୍କୁ ମନଭରି ଆକ୍ରମଣ କଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ପୁଣି ଆସନରୁ ଉଠି ପ୍ରଧାନମନ୍ତ୍ରୀଙ୍କୁ ଆଲିଙ୍ଗନ କଲେ। ତାଙ୍କର ଏଭଳି ଆଚରଣକୁ ଏବେ ସାରା ଦେଶରେ ଚର୍ଚ୍ଚା । ଖାଲି ସେତିକିରେ ଅଟକିଲେନି। ରାହୁଲ ଆସନକୁ ଫେରି ଆଖି ବି ମାରିଲେ।
କଂଗ୍ରେସ ମଙ୍ଗୁଆଳଙ୍କ ଏହି ଆକ୍ସନ୍କୁ କିନ୍ତୁ ସହଜରେ ହଜମ କରିପାରିଲେ ନାହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିଜ ପାଳି ଆସିବା ପରେ ରାହୁଲଙ୍କୁ ଯେଉଁ ଢଙ୍ଗରେ କଟାକ୍ଷ କଲେ ତାହା ଖୁବ୍ ଶାଣିତ ଥିଲା। ସେପଟେ କେତୋଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସରକାରଙ୍କୁ ଆକ୍ରମଣ କରିବା ପରେ ରାହୁଲଙ୍କ ଆଚରଣକୁ ପିଲାଳିଆମି ବୋଲି କହି ସମାଲୋଚନା କରିଛି ବିଜେପି।
ତେଲଗୁ ଦେଶମ ପାର୍ଟି ଆନ୍ଧ୍ରପ୍ରଦେଶ ବିଭାଜନକୁ ନେଇ ଆନାସ୍ଥା ପ୍ରସ୍ତାବ ଆଣିଥିଲା ଓ ଗୃହରେ ଗର୍ଜିଥିଲା। କିନ୍ତୁ ସେ ପ୍ରସଙ୍ଗ କୁଆଡ଼େ ହଜିଗଲା। ତେଣେ ଏନ୍ଡିଏରେ ସହଯୋଗୀ ଦଳ ଶିବସେନାର କରଛଡ଼ା ଆଭିମୁଖ୍ୟ ବିଜେପିକୁ ଚିନ୍ତାରେ ପକାଇଛି ନିଶ୍ଚୟ।
ଅନ୍ୟପଟେ ଲୋକସଭାରେ ମୋଦିଙ୍କ ଶକ୍ତି ପରୀକ୍ଷା ଜାତୀୟ ରାଜନୀତିକୁ ଯେତିକି ଚର୍ଚ୍ଚାର ଖୋରାକ ଯୋଗାଇଛି ତା ଠାରୁ ଅଧିକ ହଟଚମଟ ହୋଇଛି ବିଜେଡିର ଆଭିମୁଖ୍ୟକୁ ନେଇ । ସବୁ ବେଳେ କେନ୍ଦ୍ର ଅବହେଳାର ଅଭିଯୋଗ ଆଣୁଥିବା ବିଜେଡି କାହିଁକି ଦଳକୁ ମିଳିଥିବା ୧୫ ମିନିଟର ସୁଯୋଗକୁ ହାତଛଡା କଲା, ତାକୁ ନେଇ ଉଠିଛି ଅନେକ ପ୍ରଶ୍ନ? କାରଣ ସମଦୂରତା ଷ୍ଟ୍ରାଟେଜୀରେ ବିଜେଡି ଶେଷ ମୁହୂର୍ତ୍ତରେ ଅନାସ୍ଥା ଆଲୋଚନାରେ ଭାଗ ନେଇ ନଥିଲେ ମଧ୍ୟ ଦଳର ଏ ଆଭିମୁଖ୍ୟ ପରୋକ୍ଷରେ ଏନ୍ଡିଏକୁ ସୁହାଇଲା । ଏହା ପଛରେ କିଛି ବଡ଼ ଧରଣର ଡିଲ୍ର ଗନ୍ଧ ବି ବାରୁଛନ୍ତି ବିରୋଧୀ ।
from OdishaReporter https://ift.tt/2zXsy8B
No comments:
Post a Comment