ରାଜଧାନୀବାସୀ ନର୍କେ ପଡ଼ିଥାନ୍ତୁ, ସର୍କାର ଉଦ୍ଧାର ହେଉ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 28, 2018

ରାଜଧାନୀବାସୀ ନର୍କେ ପଡ଼ିଥାନ୍ତୁ, ସର୍କାର ଉଦ୍ଧାର ହେଉ

ଭୁବନେଶ୍ୱର (ରମେଶ ରଥ): ନିକଟରେ ଭୁବନେଶ୍ୱରରେ ମଣିଷକୃତ ବନ୍ୟା ଆପଣମାନେ ଦେଖିଥିବେ। ଲୋକେ ନାହିଁ ନଥିବା ହଇରାଣ ହରକତ ହେଲେ। ଏହି ଜଳବନ୍ଦୀର କାରଣ ଯାହା ହେଉନା କାହିଁକି, ରାଜଧାନୀରେ ଜଳ ନିସ୍କାସନ ବ୍ୟବସ୍ଥା ସଠିକ୍ ନଥିବାରୁ ଏପରି ଅବସ୍ଥା ହେଲା ବୋଲି ଯେ କେହି କହିପାରିବ। କିନ୍ତୁ ଜଳ ନିଷ୍କାସନ ହୋଇପାରିଲା ନାହିଁ କାହିଁକି? ଏ ପ୍ରଶ୍ନର ଉତ୍ତର କିଏ ଦେବ? ନିଶ୍ଚିତ ଭାବେ ସହର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ସରକାରୀ ବାବୁ ଓ ଏସବୁ ସରକାରୀ ବାବୁଙ୍କୁ ଜଗିବାକୁ ଲୋକେ ନିର୍ବାଚିତ କରି ପଠାଇଥିବା ଆମ ନିର୍ବାଚିତ ପ୍ରତିନିଧିମାନେ ଦେବା କଥା। ଏମାନେ କରୁଥିଲେ କ’ଣ? ଭୋଟ୍ ପରଠାରୁ ଲୋକଙ୍କ ଅଜ୍ଞାତରେ ଏମାନଙ୍କ ମଧ୍ୟରେ ଭିତିରି ସାଲିସ୍ ହୋଇଛି କି? ପୂର୍ବରୁ ପୁରସ୍କାର ହାତେଇଥିବା ଓ ଛାତି ବାଡ଼େଇ ଆତ୍ମ ପ୍ରଚାରରେ ଲାଗିଥିବା ଏମାନେ, ଏପରି ବନ୍ୟାକୁ ଦେଖି କ’ଣ କହୁଛନ୍ତି ଟିକେ ସମସ୍ତେ ଜାଣିବା ଦରକାର। ଯଦି ଜାଣି ନାହାନ୍ତି, ତେବେ ଆପଣଙ୍କ ଅଞ୍ଚଳର ଲୋକପ୍ରତିନିଧିଙ୍କୁ ଟିକେ ପଚାରନ୍ତୁ। ସେ କ’ଣ କହୁଛନ୍ତି, ତା ପରେ ଜାଣନ୍ତୁ।


ଭୁବନେଶ୍ୱର ‘ସ୍ମାର୍ଟ ସିଟି’ ମାନ୍ୟତା ପାଇଛି। ପୁଣି ଅନେକ ପୁରସ୍କାର ବି ମିଳିଛି। ରାଜଧାନୀର ବନ୍ୟାକୁ ଦେଖିଲେ ଏ ପୁରସ୍କାର ଗୁଡ଼ିକ ଯେ ମୁରୁକି ହସି ନିଶ୍ଚିତ ଅଟ୍ଟହାସ୍ୟ କରୁଥିବେ। ଏ ବନ୍ୟା ସରକାରୀ କଳର ଅପାରଗତାକୁ ପଦାରେ ପକାଇଛି। ଏଭଳି ମନୁଷ୍ୟକୃତ ବନ୍ୟାକୁ ସ୍ୱୀକାର କରିବାକୁ ଆମର ନେତା ରାଜି ନୁହଁନ୍ତି। ଭୁଲ୍ ମାନିବା ପରିବର୍ତ୍ତେ, ଆମର କିଛି ନେତା ସଙ୍ଗେ ସଙ୍ଗେ ଉତ୍ତର ଦେଉଛନ୍ତି ଯେ, ଏ ଅବସ୍ଥା କ‘ଣ ଖାଲି ଭୁବନେଶ୍ୱରରେ ହେଉଛି? ଦେଶର ବିଭିନ୍ନ ସହରରେ ବି ହେଉଛି। ଏପରିକି ମୁମ୍ୱାଇ ଭଳି ସହରରେ ବି ହୋଇଥିଲା ବୋଲି କହୁଛନ୍ତି।

ସତରେ ଲୋକଙ୍କ କ୍ରୋଧ ଓ ଚିନ୍ତାକୁ ତୁରନ୍ତ ଅନ୍ୟତ୍ର ହଟାଇଦେବା ପାଇଁ, ଅତି ଚତୁର ଉତ୍ତରଟେ କାଢ଼ି ଥୋଇ ଦେଲେ ଏ ରାଜନେତାମାନେ। ଆଉ ଏହାର ପ୍ରଚାର କରିବାକୁ ଲାଗିପଡ଼ିଲେ କିଛି ନେତା ଓ ତଥା କଥିତ ଚାଟୁକାର ମାନେ। କିନ୍ତୁ ବାସ୍ତବତାଠାରୁ କାହାକୁ ଦୂରେଇ ପାରିଲେ ନାହିଁ। ଯାହା ଘରେ ପାଣି ପଶିଛି ତା’ର କ’ଣ ଅବସ୍ଥା ସେ ଜାଣିଛି। ‘ଚୋର ମା’ କାନ୍ଦେନି, କାନ୍ଦିଲେ କବାଟ କିଳି କାନ୍ଦେ’ ଭଳି କଥା ହୋଇଛି। ଯେଉଁମାନେ ଶାସକ ଦଳକୁ ଆଖି ବୁଜି ସମର୍ଥନ କରୁଥିଲେ, ସେମାନଙ୍କ ମଧ୍ୟରୁ କେତେଜଣଙ୍କ ଘରେ ବି ପାଣି ପଶି ସତ କ’ଣ ଦେଖେଇ ଦେଇଛି। କ’ଣ ଆଉ କରିବେ? ‘ଅଜାଗା ଘା’ ଦେଖେଇ ହୁଏ ନାହିଁ’ ଭଳି, କୁଜି ନେତା ଓ ଭୋଟ୍ ଦଲାଲ୍‌ମାନେ ଲୁଚିଛନ୍ତି।


ଗତବର୍ଷ ଭୁବନେଶ୍ୱରରେ ଟିଉସନ୍‌ରୁ ଫେରୁଥିବା ପିଲାଟିଏ ରାସ୍ତା ପାର୍‌ ହେଲାବେଳେ ମୁକୁଳା ଡ୍ରେନ୍ ଭିତରେ ପଡ଼ି ପ୍ରାଣ ଚାଲି ଗଲା। ସେ କଥା ଲୋକେ ଭୁଲି ଗଲେଣି। ମାଆ ଆଖି ଆଗରେ ପିଲା ପାଣିରେ ଭାସିଗଲା। ରାଜଧାନୀର ରାଜରାସ୍ତାରେ ପିଲା ଭାସି ମରିଯିବା ଭଳି ଉଦାହରଣ ବୋଧେ ଆଉ କୋଉଠି ନଥିବ। ଗାଁ ଛାଡ଼ି ସହର ଆସିଥିବା ଲୋମାନେ ଏବେ ବିଚାର କରୁଥିବେ, ଗାଁରେ ରହିଥିଲେ ବୋଧହୁଏ ଏ ଅବସ୍ଥା ଭୋଗିବାକୁ ପଡ଼ିନଥାନ୍ତା। ଏ ସମସ୍ତ ଘଟଣାକୁ କେମିତି ଲୋକଲୋଚନରୁ ହଟାଇ ହେବ, ସେ ଯୋଜନା କରିଛନ୍ତି ଏହି ରାଜନେତା ଓ ଚାଟୁକାର ମାନେ। ଭୁବନେଶ୍ୱରରେ ହୋଇଥିବା ରାଜନୈତିକ ଡ୍ୟାମେଜ୍‌ର ପୁନରୁଦ୍ଧାର କରିବା ପାଇଁ, ମୁମ୍ୱାଇ ବନ୍ୟାର ତୁରନ୍ତ ଉଦାହରଣ ଦିଆଯାଉଛି।

ଆପଣମାନେ ଦେଖୁଥିବେ, ବର୍ତ୍ତମାନ ଓଡ଼ିଶା ସରକାରଙ୍କର ଯଦି କିଛି ଭୁଲ୍ ବା ଖରାପ କାମର ପର୍ଦ୍ଦାଫାସ୍ ହେଉଛି, ତେବେ ଶାସକଦଳ ତୁରନ୍ତ ଅନ୍ୟଏକ ରାଜ୍ୟ, କିମ୍ବା ଅନ୍ୟଏକ ଦଳ ଏମିତି କରୁଛନ୍ତି ବୋଲି ଉଦାହରଣ ଦେଉଛନ୍ତି। ଏପରି ଉତ୍ତରକୁ ଢାଲ କରି ରକ୍ଷା ବି ପାଇଯାଉଛନ୍ତି। କିନ୍ତୁ କଥା ହେଲା, ଏପରି ଉତ୍ତର କ’ଣ ପାଇଁ ଦିଅନ୍ତି ଏମାନେ? ଏଭଳି ଉତ୍ତର ହିଁ ଆମ ଜାତିକୁ ଓ ଦେଶର ପ୍ରଗତି ଓ ଉନ୍ନତିକୁ ପଥଭ୍ରଷ୍ଟ କରୁଛି। କାରଣ ଆମର ପ୍ରତିଦ୍ୱନ୍ଦ୍ୱିତା ଆମଠାରୁ ଜଣେ ନିକୃଷ୍ଟ ସହ ହେବା ଆଦୌ ଉଚିତ୍ ନୁହେଁ। ଆମଠାରୁ କିଏ ଉଚ୍ଚରେ ଓ ଭଲରେ ଅଛି, ତା ସହ ସବୁବେଳେ ତୁଳନା କରିବା କଥା। କାରଣ, ନିକୃଷ୍ଟତାର ଉଦାହରଣକୁ ପୁଞ୍ଜି କଲେ ଆଗକୁ ଆଉ ବଢ଼ିହେବ ନାହିଁ, କି ଦୁନିଆରେ ଆଉ କ’ଣ ଅଛି କିଛି ଦେଖି ହେବନାହିଁ।


ମୁମ୍ୱାଇ ହେଉଛି ଶହ ଶହ ବର୍ଷର ସହର। ପୁଣି ସମୁଦ୍ର କୂଳରେ ଅବସ୍ଥିତ। ସମୁଦ୍ରରେ ଜୁଆର ଆସିଲେ ଜଳ ନିସ୍କାସନ ହେବା କାଠିକର ପାଠ। ଆଉ ଜାଗା ଓ ଲୋକସଂଖ୍ୟାକୁ ଦେଖିଲେ, ସମଗ୍ର ଓଡ଼ିଶାର ଅଧା ଲୋକ ଏତେ ଛୋଟ ଜାଗାରେ ରୁହନ୍ତି। ତା ପରେ ସ୍ମାର୍ଟସିଟି ମାନ୍ୟତା ଭୁବନେଶ୍ୱରକୁ ମିଳିଛି, ମୁମ୍ୱାଇକୁ ନୁହେଁ। ଆମେ କ‘ଣ କରିଚୁ ଓ କ‘ଣ କରିବା, ସେସବୁ କଥାକୁ ନକହି, ମୁମ୍ୱାଇର ଉଦାହରଣ ଦେଇ ତୁରନ୍ତ ଲୋକଙ୍କର ଭାବାବେଗକୁ ବିଭ୍ରାନ୍ତ କଲା ଭଳି ଚଞ୍ଚକତା ସୃଷ୍ଟି କରୁଛନ୍ତି ଆମର ଏ ନେତାମାନେ। ଏଠି ଗୋଟିଏ କଥା କହିହେବ ଯେ, ଏମାନେ କ’ଣ ତାଙ୍କ ପୁଅଝିଅ ସ୍କୁଲ୍ କଲେଜ୍ ପରୀକ୍ଷାରେ ଖରାପ କଲେ କିମ୍ୱା ଫେଲ୍ ହେଲେ, ଅନ୍ୟ ଫେଲ୍ ହୋଇଥିବା ପିଲାଙ୍କ ସହ ତୁଳନା କରନ୍ତି କି? ପୁଅ ଝିଅଙ୍କୁ କୁହନ୍ତି କି ବଢ଼ିଆ ହୋଇଛି? ଯଦି ସେମିତି କରନ୍ତି, ତେବେ କିଛି କହିବାର ନାହିଁ। ଏପରି ମାନସିକତାରେ ରାଜ୍ୟ ଓ ଦେଶ କେତେବାଟ ଆଗେଇବ, ତାହା ଆଣମାନଙ୍କ ବିଚାର।


କଥା ହେଉଛି, ବାଦ ବା ପ୍ରତିଦ୍ୱନ୍ଦ୍ୱିତା କର, କିନ୍ତୁ ଭଲ ପାଇଁ ବା ସକରାତ୍ମକ ଉଦ୍ଦେଶ୍ୟ ରଖି କର। ନିଜର ଖରାପ ବା ମନ୍ଦକୁ ଲୁଚାଇବା ପାଇଁ ଆଉଜଣେ ମନ୍ଦ ଲୋକର ଉଦାହଣ ଦିଆଯାଏ ନାହିଁ। ସବୁବେଳେ ଉଚ୍ଚକୁ ଚାହିଁଲେ, ଜାତି ଓ ଦେଶ ଆଗେଇବ। ତଳକୁ ଚାହିଁଲେ ଖସିବ। ସେଥିପାଇଁ ତ ଆମଠାରୁ ଅନ୍ୟ ଦେଶ ଆଗେଇ ଯାଇଛନ୍ତି। ଅନ୍ୟ ଦେଶର ଦୂରଦୃଷ୍ଟି ଦେଖିଲେ ଆଶ୍ଚର୍ଯ୍ୟ ଲାଗିବ। ଆସନ୍ତା ୧୦୦ ବର୍ଷ ପରର ସ୍ଥିତିକୁ ନେଇ ବିଦେଶରେ ସହର ଗଠନ କରାଯାଉଛି। କିନ୍ତୁ ଭୁବନେଶ୍ୱରରେ ପାଣି ପଶିଲା ପରେ, ମଟର ଭଡ଼ା କେଉଁଠୁ ଆସିବ ଚିନ୍ତା କରାଯାଉଛି। ଏହାର କାରଣ ହେଲା, ଶାସନକୁ ବହୁ ମୁର୍ଖ ଓ ଠକ ବ୍ୟକ୍ତି ଅକ୍ତିଆର କରି, ନିଜ ସ୍ୱାର୍ଥ ପାଇଁ ବ୍ୟବହାର କରୁଛନ୍ତି। ନୀତି ନିୟମ ଏଠି କିଛି ନାହିଁ। ମନଇଚ୍ଛା ଏଠି ସରକାରୀ ଜାଗା ଅବରୋଧ କରି ଘର କଲେ ବି କେହି କହିବାକୁ ନାହିଁ। ନାଳ ନର୍ଦ୍ଦମାକୁ ଜବରଦଖଲ କରି ଅକ୍ତିଆର କର, କେହି କିଛି କହିବେ ନାହିଁ। ଖାଲି ପାଉଣା ହାତ ଗୁଞ୍ଜା ଦେଇଦେଲେ କାମ ହେଲା। କିଛିବର୍ଷ ରହି ସେଠାରେ ଭୋଟର୍ ଲିଷ୍ଟରେ ନାଁଟା ଚଢ଼ିଗଲେ କାମ ଶେଷ। ତା ପରେ ଭୋଟ୍ ବେପାରୀମାନେ ଜବରଦଖଲକାରୀଙ୍କ ସୁରକ୍ଷା ପାଇଁ ଆଗେଇ ଆସିଥିବେ। ସରକାରୀ ଜମିକୁ ଦଲାସ୍ ଓ ଧନୀ ଲୋକମାନେ ନିଜ ଅକ୍ତିଆରରେ ରଖି, ପ୍ଲଟିଂ କରି ବିକ୍ରି କରୁଛନ୍ତି ଓ ସେଥିରୁ ଅମାପ ଅର୍ଥ ଆଦାୟ କରି ଏହାକୁ ନିର୍ବାଚନରେ ଖର୍ଚ୍ଚ କରି କ୍ଷମତାକୁ ନିଜ ପାଖରେ ରଖିଛନ୍ତି। ଏମିତିରେ ଦେଖିଲେ, କିଛିବର୍ଷ ପୂର୍ବରୁ ଭୁବନେଶ୍ୱରରେ ଜଳବନ୍ଦୀ ହେବା କଥା ସ୍ୱପ୍ନରେ ବି କେହି ଚିନ୍ତା କରିନଥିବେ। ଏଠି ମୂଳ ଓ ପୁରୁଣା ବାସିନ୍ଦାଙ୍କର ଅବସ୍ଥା ଆହୁରି ଖରାପ। ଏମାନଙ୍କ ଘର ବହୁ ତଳେ ରହିଛି, ରାସ୍ତା ଉପରକୁ ଉଠିଗଲାଣି। ରାସ୍ତା ଉପରେ ମାଟି ପକାଇ ପକାଇ ଉଚ୍ଚ କରିବାରେ ଲାଗିଛନ୍ତି ସରକାର, କିନ୍ତୁ କାହାର ଘର ପୋତି ହୋଇଯାଉଛି ସେଥିପ୍ରତି ନଜର ନାହିଁ। ଏ ଭୁବନେଶ୍ୱରର ବନ୍ୟା, ପରୋକ୍ଷରେ ଠିକା କାମକୁ ସୁହାଉଛି। ପୁଣି ଏ କାମ ପାଇଁ ଟଙ୍କା ଆସିବ। ଏବେ ଯାହା ଅବସ୍ଥା ହେଲାଣି, ଆଉ କିଛିବର୍ଷ ପରେ ଭୁବନେଶ୍ୱର ଏକ ବାସ-ଅଯୋଗ୍ୟ ସ୍ଥାନ ହୋଇଯିବ, ଏଥିରେ ସନ୍ଦେହ ନାହିଁ। ଆଉ ଏଥିପାଇଁ ବର୍ତ୍ତମାନର ଶାସନ ବ୍ୟବସ୍ଥା ହିଁ ଦାୟୀ ରହିବ।



from OdishaReporter https://ift.tt/2AogjSy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages