ବଡ଼ଘର ବଡ଼ ଗୁମର କଥା: ‘ହାୱା ମହଲ’ର ମାଲିକାନାକୁ ନେଇ ଦୁଇ ବୋହୂ ମୁହାଁମୁହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 28, 2018

ବଡ଼ଘର ବଡ଼ ଗୁମର କଥା: ‘ହାୱା ମହଲ’ର ମାଲିକାନାକୁ ନେଇ ଦୁଇ ବୋହୂ ମୁହାଁମୁହିଁ

ଜୟପୁର/ବିଶାଖାପାଟଣା (ଟି.ଗୌରୀଶଙ୍କର/ଯଶୋବନ୍ତ ପାଢ଼ୀ): ବଡ଼ଘର ବଡ଼ ଗୁମର କଥା।  ବିଶାଖାପାଟଣାର ‘ହାୱା ମହଲ’ର ମାଲିକାନାକୁ ନେଇ ଜୟପୁର ରାଜ ପରିବାର ଏବେ ଦୁଇ ଫାଳ। ୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏହି ‘ହାୱା ମହଲ’କୁ ନେଇ ମୁହାଁମୁହିଁ ହୋଇଛନ୍ତି ରାଜପରିବାରର ଦୁଇ ବୋହୂ। ସାମ୍ବାଦିକ ସମ୍ମିଳନୀ କରି ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ଉଭୟେ। ଶହେ ବର୍ଷ ତଳର ପୁରୁଣା ହାୱା ମହଲକୁ ନିଜର ବୋଲି ତତ୍କାଳୀନ ମହାରାଜା ବିକ୍ରମ ଦେବଙ୍କ ବଡ଼ବୋହୂ ଦାବି କରୁଥିବା ବେଳେ ସାନବୋହୂ କହୁଛନ୍ତି ତାଙ୍କ ପୁଅ ହେଉଛନ୍ତି ଅସଲ ଉତ୍ତରାଧିକାରୀ। ଏହି ଘଟଣା ପରେ ଏବେ ଚର୍ଚ୍ଚାରେ ଜୟପୁର ରାଜବଂଶର ବିବାଦ।

ମହାରାଜା ରାମଚନ୍ଦ୍ର ଦେଓ ୧୯୧୭ ମସିହାରେ ହାୱା ମହଲ ନିର୍ମାଣ କରିଥିଲେ। ଏଥିରେ ୧୯ଟି ରୁମ୍‌ ଓ ଗୋଟିଏ ବଡ ଡ୍ୟାନ୍ସ ଫ୍ଲୋର୍‌ ରହିଛି। ଏହାକୁ ରାଜା ନିଜ ପରିବାର ଲୋକଙ୍କ ପାଇଁ ତିଆରି କରିଥିଲେ। ଖରା ଛୁଟି ବିତାଇବା ପାଇଁ ଏହାକୁ ନିର୍ମାଣ କରାଯାଇଥିଲା। ୧୯୬୧ ମସିହାରେ ବିଶାଖାପାଟଣାରେ ହିନ୍ଦୁସ୍ତାନ ଶିପ୍‌ୟାର୍ଡର ଉଦ୍‌ଘାଟନ ପାଇଁ ଆସିଥିବା ଭାରତର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ଓ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହରୁ ଏହି ମହଲରେ କିଛି ଦିନ ରହିଥିଲେ। ୧୯୬୦ ମସିହାରେ ଏଠାରେ ପ୍ରଥମ ମହିଳା ସରକାରୀ କଲେଜ ଖୋଲା ଯାଇଥିଲା। ଏହି ମହଲରେ ପୁରାତନ ଯୁଗର ବହୁ କାଠ ସରଞ୍ଜାମ କୀର୍ତ୍ତିରାଜି ଏବେବି ରହିଛି। ଜୟପୁର ରାଜା ବିକ୍ରମ ଦେଓଙ୍କ ବହୁ ସମ୍ପତ୍ତି ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସହର ଓ ମାଡୁଗୁଲା ଗ୍ରାମରେ ରହିଛି।

ମୃତ୍ୟୁ ପୂର୍ବରୁ ମହାରାଜା ରାମଚନ୍ଦ୍ର ଦେଓ ନିଜର କିଛି ସମ୍ପତ୍ତି ନିଜର ସ୍ତ୍ରୀ ରମା କୁମାରୀ ଦେବୀଙ୍କ ନାଁରେ ଓ ଅନ୍ୟ କିଛି ସମ୍ପତ୍ତି ନିଜର ଦୁଇ ପୁତ୍ର ଶକ୍ତି ବିକ୍ରମ ଦେଓ ଏବଂ ବିଭୁତି ଭୂଷଣ ଦେଓଙ୍କ ମଧ୍ୟରେ ବାଣ୍ଟି ଦେଇଥିଲେ। ଆଉ କିଛି ସମ୍ପତ୍ତି ମିଳିତ ଭାବେ ରହିଥିଲା। ଯେଉଁଥିରେ ବିଶାଖାପାଟଣାର ଐତିହାସିକ ‘ହାୱା ମହଲ’ ରହିଛି। ୨୦୦୬ ମସିହାରେ ଜୟପୁର ତହସିଲଦାର ଅନନ୍ତ ଭଟ୍ଟ ମିଶ୍ରଙ୍କ ଦ୍ୱାରା ଲିଖିତ ଦଲିଲ୍‌ ଅନୁଯାୟୀ, ବିଶାଖାପାଟଣା ସ୍ଥିତ ‘ହାୱା ମହଲ’ ଉପରେ ଉଭୟ ପୁଅ ଓ ସେମାନଙ୍କ ପରିବାରର ଅଧିକାର ରହିଛି। କିନ୍ତୁ ଗତ ୧୯୯୭ ମସିହାରେ ରାଜା ବିଭୁତି ଭୂଷଣ ଦେଓଙ୍କ ମୃତ୍ୟୁ ପରେ ବିକ୍ରମ ଦେଓଙ୍କ ବଡ଼ ବୋହୂ ମାୟାଙ୍କା କୁମାରୀ ଦେବୀ ହାୱା ମହଲର ମରାମତି କାର୍ଯ୍ୟ କରିବା ପାଇଁ ଚାବି ନେଇ ଆସିଥିଲେ। କିନ୍ତୁ ସେ ଏଠାରେ କୌଣସି ମରାମତି ନକରି ଏହି ମହଲଟିକୁ ଭଡ଼ାରେ ଦେଇଥିଲେ। ଏପରିକି ନିଜ ଶାଶୁ ରମା କୁମାରୀ ଦେବୀ ଓ ଯାଆ ସାରିକା ଦେବୀଙ୍କଠାରୁ କୌଣସି ଅନୁମତି ନ ନେଇ ହାୱା ମହଲକୁ ସେ ଭଡ଼ାରେ ଲଗାଇଥିଲେ। ଗତ ୫ ବର୍ଷ ହେଲା ସେ ଏହି ହାୱା ମହଲ ଉପରେ ନିଜର ମାଲିକାନା ଜାହିର କରିବା ସହ ଜୟପୁର ରାଜ ପରିବାରର କୌଣସି ବ୍ୟକ୍ତିଙ୍କୁ ଏଠାରେ ପ୍ରବେଶ ପାଇଁ ଅନୁମତି ଦେଉନଥିଲେ। ଏପରିକି ସୁରକ୍ଷା କର୍ମୀ ଲଗାଇ ଅନ୍ୟ ରାଜ୍ୟ ପରିବାର ଲୋକଙ୍କୁ ଧକ୍କା ଦେଇ ବାହାର କରିଦେଇଥିବା ଅଭିଯୋଗ ହୋଇଥିଲା।

୨୦୧୩ ମସିହାରେ ଜୟପୁର ରାଜବଂଶ ଓ ବିଭୁତି ଭୂଷଣ ଦେଓଙ୍କ ଏକମାତ୍ର ପୁଅ ବିଶ୍ଵେଶ୍ଵର ଚନ୍ଦ୍ରଚୂଡ଼ ଦେଓଙ୍କୁ ବଂଶାନୁକ୍ରମିକ ଭାବେ ଓ ଓଡ଼ିଶା ସରକାରଙ୍କ ଅନୁମତି କ୍ରମେ ଜୟପୁର ରାଜ ଦରବାରର ମହାରାଜା ଘୋଷଣା କରାଯାଇଥିଲା। ସେ ଲଣ୍ଡନରେ ଓକିଲାତି କରୁଥିବା ଯୋଗୁ ନିଜ ଗୋସାଇଁ ବାପାଙ୍କ ସମ୍ପତ୍ତି ସମ୍ପର୍କରେ ଅଜଣା ଥିଲେ। ଗତବର୍ଷ ରାଜ ପରିବାରର ସବୁ ସମ୍ପତ୍ତି ସମ୍ପର୍କରେ ସୂଚନା ପାଇବା ପରେ ସେ ହାୱା ମହଲର ଅଧା ମାଲିକାନା ଚାହିଁଥିଲେ। କିନ୍ତୁ ବଡ଼ ମାଆ ମାୟାଙ୍କା କୁମାରୀ ଦେବୀ ଏହି ମହଲ ବିଭୁତି ଭୂଷଣ ଦେଓ ସେମାନଙ୍କୁ ବିକ୍ରି କରିଦେଇଥିବା କହିଥିଲେ। ଏହି କଥାର କୌଣସି ସତ୍ୟତା ନ ଥିବାରୁ ବର୍ତ୍ତମାନର ରାଜା ବିଶ୍ଵେଶ୍ଵର ଚନ୍ଦ୍ରଚୂଡ଼ ଦେଓ ହାୱା ମହଲର ଅଧା ମାଲିକାନା ପାଇଁ ଯୁକ୍ତି କରିଥିଲେ।

ଗତ କିଛିଦିନ ଧରି ରାଜା ବିଶ୍ଵେଶ୍ଵର ଚନ୍ଦ୍ରଚୂଡ଼ ଦେଓ ହାୱା ମହଲର ଅଧା ମାଲିକାନା ପାଇଁ ଜିଦ୍‌ ଧରିଥିଲେ। କିନ୍ତୁ  ମାୟାଙ୍କା କୁମାରୀ ଦେବୀ ଓ ତାଙ୍କ ଝିଅ ଲଳିତ ଲବଙ୍ଗ ଲତିକା ଦେବୀ ସେମାନଙ୍କୁ ମହଲ ଭିତରକୁ ପ୍ରବେଶ କରିବାକୁ ଦେଇନଥିଲେ। ପରେ ରାଜା ଚନ୍ଦ୍ରଚୂଡ଼ ଦେଓ ନିଜର ଅଧିକାର ପାଇବା ପାଇଁ ଆଇନଗତ ପଦକ୍ଷେପ ନେବା ପାଇଁ ଆଗେଇ ଆସିଥିଲେ।

ମାୟାଙ୍କା କୁମାରୀ ଦେବୀ ଓ ତାଙ୍କ ଏକମାତ୍ର ଝିଅ ଲଳିତ ଲବଙ୍ଗ ଲତିକା ଦେବୀ ବିଶାଖାପାଟଣାରେ ଏକ ପ୍ରେସ୍‌ମିଟ କରି ଜୟପୁର ରାଜବଂଶର କୌଣସି ବ୍ୟକ୍ତି ଜୀବିତ ନାହାନ୍ତି ବୋଲି କହିଥିଲେ। ତେଣୁ ସେ ରାଜମାତା ଓ ତାଙ୍କ ଝିଅ ରାଜକୁମାରୀ ବୋଲି ଗଣମାଧ୍ୟମ ଆଗରେ ଦାବି କରିଥିଲେ।

ସେ କହିଛନ୍ତି-“ଦଳିଲରେ କାହାର ଦସ୍ତଖତ ନାହିଁ। ତେଣୁ ଏହା ଗ୍ରହଣଯୋଗ୍ୟ ନୁହେଁ। ସେମାନେ ବିଶାଖାପାଟଣାରେ ରହୁ ନାହାନ୍ତି। ମୁଁ ଏଠାରେ ରହି ଏହି ମହଲର ଦେଖାଶୁଣା କରୁଛି। ଜୟପୁର ରାଜବଂଶର ଏକମାତ୍ର ପୁରୁଷ ବ୍ୟକ୍ତି ରୂପେ ବିଶ୍ଵେଶ୍ଵର ଚନ୍ଦ୍ରଚୂଡ଼ ଦେଓ ଅଛନ୍ତି। କିନ୍ତୁ ମୁଁ ଜୟପୁର ରାଜବଂଶର ବଡ଼ବୋହୂ ହୋଇଥିବାରୁ ଯେତେବେଳ ଯାଏ ବିଶ୍ଵେଶ୍ଵର ଚନ୍ଦ୍ରଚୂଡ଼ ଦେଓଙ୍କୁ ମୋ ପୁଅ ଓ ମହାରାଜା ରୂପେ ଘୋଷଣା କରିନାହିଁ, ସେତେବେଳ ଯାଏ ସେ ମହାରାଜା ରୂପେ ପରିଗଣିତ ହୋଇପାରିବେ ନାହିଁ। ବଂଶାନୁକ୍ରମିକ ରୂପେ ମୁଁ ରାଜମାତା ଓ ମୋ ଝିଅ ମହାରାଣୀ। ଗତ ୨୦ ବର୍ଷ ଧରି ଆମେ ଏହି ହାୱା ମହଲର ଦେଖାଶୁଣା କରୁଥିବାରୁ ଏହି ମହଲ ଉପରେ ମୋର ଓ ମୋ’ ପରେ ମୋ ଝିଅ  ଲଳିତ ଲବଙ୍ଗ ଲତିକା ଦେବୀ ଓ ତାଙ୍କ ସନ୍ତାନମାନଙ୍କର ଅଧିକାର ରହିବ।”



from OdishaReporter https://ift.tt/2K8jXQa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages