
ଚଣ୍ଡିଗଡ଼: ୨୬/୧୧ ଆତଙ୍କବାଦୀ ଆକ୍ରମଣ ସମୟରେ ଉଦ୍ଧାର ଅଭିଯାନରେ ସାମିଲ ହୋଇ ସାହସର ସହ କାମ କରିଥିବା ମେଜର କରମ୍ଜିତ୍ ସିଂ ଯାଦବ (୩୬) ପୁରସ୍କାର ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଚଣ୍ଡିଗଡ଼ ହାଇକୋର୍ଟରେ ଏନେଇ ଏକ ଆବେଦନ ଦେଇଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି, “୨୦୦୮ ନଭେମ୍ବର ମାସରେ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ସମୟରେ ‘ଅପରେସନ୍ ବ୍ଲାକ୍ ଟର୍ଣ୍ଣାଡୋ’ ହୋଇଥିଲା। ଏହି ସମୟରେ ସେ ରାଷ୍ଟ୍ରୀୟ ସୁରକ୍ଷା ଗାର୍ଡ଼ (ଏନ୍ଏସ୍ଜି)ରେ ନିଯୁକ୍ତ ଥିଲେ ଓ ଅପରେସନ୍ ବ୍ଲାକ୍ ଟର୍ଣ୍ଣାଡୋରେ ସାମିଲ ହୋଇଥିଲେ। ଅଭିଯାନ ଶେଷ ହେବା ପରେ ହରିୟାଣା ସରକାରଙ୍କ ନିୟମ ଅନୁସାରେ ସେ ପୁରସ୍କାର ପାଇବା ପାଇଁ ଆବେଦନ କରିଥିଲେ। ତେବେ ୨୦୧୧ରେ ହରିୟାଣା ସୈନିକ ବୋର୍ଡର ତତ୍କାଳୀନ ସଚିବ ତାଙ୍କ ଆବେଦନ ଖାରଜ କରି ଦେଇଥିଲେ।”
ସୈନିକ ବୋର୍ଡର ତତ୍କାଳୀନ ସଚିବ ଯୁକ୍ତି ଦର୍ଶାଇଥିଲେ ଯେ ଏହି ମାମଲା ସରକାରଙ୍କ ନୀତି ଅନ୍ତର୍ଗତ ନୁହେଁ। କରମ୍ଜିତ୍ ସିଂ ଯାଦବଙ୍କ ବୀରତ୍ୱ ଯୁଦ୍ଧ ସମୟରେ ନୁହେଁ, ଶାନ୍ତି ସ୍ଥାପନା ସମୟରେ ଦେଖିବାକୁ ମିଳିଥିଲା। ସେ ଉଦ୍ଧାର କାର୍ଯ୍ୟରେ ସକ୍ରିୟ ରହିଥିଲେ। ତେଣୁ ତାଙ୍କୁ ପୁରସ୍କାର ଦିଆଯାଇପାରିବ ନାହିଁ।
ମେଜର୍ କରମ୍ଜିତ୍ ତାଙ୍କ ଆବେଦନରେ ଦର୍ଶାଇଛନ୍ତି, “ବୋର୍ଡର ଏହି ନିଷ୍ପତ୍ତି ଅବୈଧ ଓ ସମ୍ପୂର୍ଣ୍ଣ ବେଆଇନ୍। ଏହା ଦେଶର ଜଣେ ନାଗରିକଙ୍କ ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରୁଛି।”
ଗୁରୁତପୂର୍ଣ୍ଣ କଥା ହେଉଛି, ମେଜର କରମଜିତ୍ଙ୍କୁ ପୂର୍ବରୁ ଏଥିପାଇଁ ବୀରତ୍ୱ ପୁରସ୍କାର ମିଳିସାରିଛି।
ସୂଚନାଯୋଗ୍ୟ, ୨୦୦୮ ନଭେମ୍ବର ୨୬ ତାରିଖରେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୧୬୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦୮ଜଣ ଆହତ ହୋଇଥିଲେ।
from OdishaReporter https://ift.tt/2mymsC6
No comments:
Post a Comment