
ଭୁବନେଶ୍ୱର(ତାପସ ରଞ୍ଜନ ବେହେରା ):ସାଧାରଣ ନିବାର୍ଚନକୁ ଆଉ ମାସ କେଇଟା ଥିବା ବେଳେ ତା’ପୂର୍ବରୁ ରାଜ୍ୟ ରାଜନୀତିରେ ଏକ ବିରାଟ ପରିବର୍ତ୍ତନର ସମ୍ଭାବନା ରହିଛି। ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ‘ହେଇଯାଉ’ ଚା’ଖଟି କାର୍ଯ୍ୟକ୍ରମ ଓଡ଼ିଶା ରାଜନୀତିରେ ବିରୋଧୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ବିଶେଷ କରି ବିଜେଡିର ନିଦ ହଜାଇଛି ଏହି ‘ହେଇଯାଉ’ ରଣନୀତି। ହେଇଯାଉ ମାନେ, ନିଶ୍ଚୟ କିଛି ଗୋଟେ ହୋଇପାରେ।
‘ହେଇଯାଉ’ ରାଜଧାନୀ ଭୁବନେଶ୍ୱର ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ଏହା କଟକ ଦେଇ ରାଜଧାନୀ ଦିଲ୍ଲୀରେ ପହଞ୍ଚିଗଲାଣି। ଆଗକୁ ଏହାର ଗତି କୁଆଡ଼େ ଯିବ, ସେ କଥା କେହି ଆକଳନ କରିପାରୁ ନାହାନ୍ତି। କିନ୍ତୁ ଏହି ‘ହେଇଯାଉ’ର ଗତିବିଧି ଦେଖିଲେ ସମୁଦ୍ର ଢେଉ ଭଳି ମନେ ହେଉଛି।
ଏହି କାର୍ଯ୍ୟକ୍ରମ ଯେଉଁଠି ହେଉଛି ପିଲା ଠାରୁ ପ୍ରୌଢ଼ ପର୍ଯ୍ୟନ୍ତ ଓ ସବୁ ବର୍ଗର ଲୋକଙ୍କ ଭିଡ଼ ଜମୁଥିବା ଦେଖିବାକୁ ମିଳୁଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବୈଜୟନ୍ତ ସିଧାସଳଖ ଲୋକଙ୍କ ସହ ଯୋଡ଼ି ହୋଇଯାଇଛନ୍ତି। ଏ କାର୍ଯ୍ୟକ୍ରମ ଯୁବପିଢିଙ୍କୁ ବେଶ ଆକର୍ଷିତ କରିଛି। ଖାଲି ସେତିକି ନୁହଁ, ଲୋକଙ୍କ ସମର୍ଥନ ମଧ୍ୟ ବଢ଼ୁଛି।
କୁହାଯାଉଛି, ଏହି ‘ହେଇଯାଉ’କୁ ଅସ୍ତ୍ର କରି ବୈଜୟନ୍ତ ତାଙ୍କ ପରବର୍ତ୍ତୀ ସିଦ୍ଧାନ୍ତ ନେଇ ପାରନ୍ତି। ବୈଜୟନ୍ତଙ୍କ ଏହି ରଣନୀତିକୁ ନେଇ ବିଜେଡି ଅଧିକ ବିଚଳିତ ହୋଇଛି। ଶୁଣିବାକୁ ମିଳୁଛି ଏହି ଅଭିଯାନକୁ ଅକାମୀ କରିବା ପାଇଁ ପାୱାର କରିଡରରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେଉଛି। ଏଥିପାଇଁ କେତେକ ନେତାଙ୍କୁ ଦାୟିତ୍ୱ ଦିଆଯିବା ନେଇ ସୂଚନା ମିଳୁଛି।
ଆଗରୁ ବି ବୈଜୟନ୍ତଙ୍କ ବିରୋଧରେ ୩ ନେତାଙ୍କୁ ଦାୟିତ୍ୱ ମିଳିଥିଲା। ଏମାନେ ହେଲେ ତ୍ରିମୂର୍ତ୍ତି- ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ, ଆଳିର ଟାଣୁଆନେତା ତଥା ବିଜେଡି ସାଂସଦ ପ୍ରତାପ ଦେବ ଏବଂ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା। ଗୋଟିଏ କୋଡ୍ରେ ଏମାନଙ୍କୁ ‘ଏପିପି’ ବା ‘ଆପ୍ପ’ କହିଲେ କିଛି ଭୁଲ ହେବନି। କିନ୍ତୁ ସେତେବେଳେ ସେମାନଙ୍କ ରଣନୀତି ବି ଫେଲ ମାରିଥିଲା।
ବିଜେଡିରେ ଅବାଞ୍ଛିତ ବ୍ୟକ୍ତି ଓ ଶକ୍ତିଙ୍କ ହସ୍ତକ୍ଷେପକୁ ବିରୋଧ କରି ବୈଜୟନ୍ତ ଯେତେବେଳେ ନିଲମ୍ବିତ ହେଲେ ଠିକ୍ ସେତିକି ବେଳେ ତାଙ୍କ ରାଜନୀତିକ କ୍ୟାରିୟରକୁ ହତ୍ୟା କରିବା ପାଇଁ ଏହି ତ୍ରିମୂର୍ତ୍ତିଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଏମାନେ କେତେବେଳେ ଲୋକ ଲଗାଇ ବୈଜୟନ୍ତଙ୍କ ଉପରକୁ ଅଣ୍ଡାମାଡ଼ କରୁଥିଲେ ତ’ ଆଉ କେତେବେଳେ ବୈଜୟନ୍ତଙ୍କ ଉନ୍ନୟନମଳକ କାର୍ଯ୍ୟକ୍ରମକୁ ଭଣ୍ଡୁର କରିବା ପାଇଁ ଉଦ୍ୟମ କରିଥିଲେ। ହେଲେ ଏ ଷଡ଼ଯନ୍ତ୍ରମୂଳକ ରଣନୀତି ଫସର ଫାଟିଯାଇଥିଲା।
ଏଥିରେ ବରଂ ବୈଜୟନ୍ତଙ୍କର ଅଧିକ ଫାଇଦା ହେଲା । ତାଙ୍କର ଲୋକପ୍ରିୟତା ବଢିଲା। ବର୍ତ୍ତମାନର ‘ହେଇଯାଉ’ କାର୍ଯ୍ୟକ୍ରମର ଲୋକପ୍ରିୟତା ଏହାର ପ୍ରମାଣ ବୋଲି ଚର୍ଚ୍ଚା ହେଉଛି। ସେହିପରି ବୈଜୟନ୍ତଙ୍କ ସୋଶାଲ ମିଡିଆରେ ଅଧିକ ଲୋକପ୍ରିୟତା ରହିଛି ଏବଂ ସେ ବିଭିନ୍ନ ପ୍ରସଙ୍ଗରେ ନିଜ ମତକୁ ନିୟମିତ ଟ୍ୱିଟର ଜରିଆରେ ପ୍ରକାଶ କରୁଛିନ୍ତି। ବିଜେଡିରୁ ନିଲମ୍ବିତ ହେବା ପରେ ଦଳ ଛାଡ଼ିଥିଲେ ବୈଜୟନ୍ତ। ପରେ ଏହି ‘ହେଇଯାଉ’ ରଣନୀତିକୁ ପ୍ରୟୋଗ କରି ବୈଜୟନ୍ତ ସାଧାରଣ ଲୋକଙ୍କ ସହ ସିଧା ଯୋଡ଼ି ହେଉଛନ୍ତି।
ଅନ୍ୟପଟେ ବିଜେପି ଓ କଂଗ୍ରେସ ବୈଜୟନ୍ତଙ୍କ ପାଇଁ ସେମାନଙ୍କ ଦୁଆର ଖୋଲା ବୋଲି ଘୋଷଣା କରିଛନ୍ତି। କିନ୍ତୁ ବୈଜୟନ୍ତଙ୍କ ଆଗାମୀ ରାଜନୈତିକ ନିଷ୍ପତ୍ତି କ’ଣ ହେବ, ସେନେଇ ସେ କିଛି ସ୍ପଷ୍ଟ କରିନାହାନ୍ତି। ଏହାକୁ ଏକ ଭିନ୍ନ ରଣନୀତି ବୋଲି ରାଜନୀତିକ ବିଶେଷଜ୍ଞମାନେ ଆକଳନ କରୁଛନ୍ତି। ତେବେ ବୈଜୟନ୍ତଙ୍କ ଏହି ‘ହେଇଯାଉ’ କାର୍ଯ୍ୟକ୍ରମ ଆଗକୁ କେଉଁ ରୂପ ନେବ ଏବଂ ଏହା ଓଡ଼ିଶା ରାଜନୀତିରେ କଣ ପ୍ରଭାବ ପକାଇବ, ତାହା ଏବେଠାରୁ ଅନୁମାନ କହିବା ଠିକ ହେବନାହିଁ।
ସୂଚନାଯୋଗ୍ୟ, ଭୁବନେଶ୍ୱରର ମାଉସୀମା’ ଛକ ନିକଟରେ ଜୁଲାଇ ୯ ତାରିଖରେ ‘ହେଇଯାଉ’ ଚା’ ଖଟି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହା ପରେ ଅଗଷ୍ଟ ୧ରେ କଟକ ଏବଂ ଆଜି ଦିଲ୍ଲୀର ଛତରପୁର ମନ୍ଦିର ନିକଟ ମାର୍କଣ୍ଡେୟ ଭବନ ନିକଟରେ ଏହି କାର୍ଯ୍ୟକ୍ରମର ଆୟୋଜନ ହୋଇଛି। ଏହାକୁ ଦିଲ୍ଲୀରେ ରହୁଥିବା ବିଶାଳ ପ୍ରବାସୀ ଓଡ଼ିଆ ସମାଜ, ଗଣମାଧ୍ୟମ ତଥା ଅନ୍ୟ ରାଜନୀତିକ ଲୋକେ କିପରି ଗ୍ରହଣ କରୁଛନ୍ତି, ତା ଉପରେ ସମସ୍ତଙ୍କ ନଜର ରହିବା ସ୍ୱାଭାବିକ।
from OdishaReporter https://ift.tt/2Ox34Bn
No comments:
Post a Comment