
ନୂଆଦିଲ୍ଲୀ: ଭାଙ୍ଗି ଭାଙ୍ଗି ଯାଉଥିବା ଏନ୍ଡିଏ ମେଣ୍ଟ ଏବେ ପୁଣି ଏକଜୁଟ୍। ଗତ ମୌସୁମୀ ଅଧିବେଶନରେ ସଂସଦରେ ଏହା ପ୍ରମାଣିତ ହୋଇଛି। ବହୁ ଚର୍ଚ୍ଚିତ ଟ୍ରିପଲ୍ ତଲାକ୍ ବିଲ୍କୁ ନେଇ ରାଜ୍ୟ ସଭାରେ କଂଗ୍ରେସ୍ର ବିରୋଧ ଏନ୍ଡିଏକୁ ପୁଣି ଥରେ ମେଣ୍ଟ ରାଜନୀତି ପାଇଁ ମଉକା ଦେଇଛି।
କଂଗ୍ରେସ ମୁସଲିମ୍ ମହିଳା ବିରୋଧୀ, ତେଣୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଗତ ବିଲ୍କୁ ଦଳ ପାସ୍ କରାଇ ଦେଉନାହିଁ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର ଆଜି ଅଭିଯୋଗ କରିଛନ୍ତି ।
ମୋଦି ସରକାରଙ୍କ ଉପରେ କିଛି ଦଳ ଅସନ୍ତୁଷ୍ଟ ହୋଇ ଦୂରେଇ ଯାଉଥିବା ବେଳେ ଏହି ଟ୍ରିପଲ ତଲାକ୍ ବିଲ୍ ଏନ୍ଡିଏ ପାଇଁ ଏକ ଆମୋଘ ଅସ୍ତ୍ର ପାଲଟିଛି। ଦୀର୍ଘ ୧୪ ଶହ ବର୍ଷର ଏହି ୩ ତଲାକ୍ ପ୍ରଥା ଉପରେ ପ୍ରଥମେ ରୋକ୍ ଲଗାଇଥିଲେ ସୁପ୍ରିମକୋର୍ଟ । ହେଲେ ସୁପ୍ରିମକୋର୍ଟରୁ ପାର୍ଲାମେଣ୍ଟ ଯାଏ ଟ୍ରିପଲ୍ ତଲାକ ବିଲ୍କୁ ଆସିବା ପାଇଁ ଲାଗିଥିଲା ପ୍ରାୟ ତିନି ବର୍ଷ।
ସୁପ୍ରିମକୋର୍ଟରୁ ପାର୍ଲାମେଣ୍ଟ
ଅକ୍ଟୋବର ୧୬, ୨୦୧୫। ସର୍ବୋଚ୍ଚ ନ୍ୟାୟାଳୟ ଟ୍ରିପଲ୍ ତଲାକ ସମ୍ପର୍କିତ ମାମଲାକୁ ଅଲଗା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପ୍ରଥମ ଥର ପାଇଁ ସୁପ୍ରିମକୋର୍ଟ ସେପ୍ଟେମ୍ବର ୨୯, ୨୦୧୬ରେ ନୋଟିସ୍ ଜାରି କରିଥିଲେ। ପୀଡ଼ିତା ସାୟରା ବାନୁଙ୍କ ଆବେଦନକୁ ଗ୍ରହଣ କରିଥିଲେ ଅଦାଲତ।
ସେହିବର୍ଷ ମାର୍ଚ୍ଚ ୨୮ ତାରିଖରେ ମହିଳାଙ୍କ ଅଧିକାରକୁ ନେଇ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଥିଲେ ଅଦାଲତ। ଏନେଇ ଅକ୍ଟୋବା ୭ ତାରିଖରେ ଜବାବ ରଖିଥିଲା କେନ୍ଦ୍ର। ଟ୍ରିପଲ୍ ତଲାକ, ନିକାହ ହଲାଲ ମୁସଲିମ୍ ପରମ୍ପରାର ଜରୁରୀ ଅଙ୍ଗ ନୁହଁ ବୋଲି ସ୍ପଷ୍ଟ କରିଥିଲେ ସରକାର।
୨୦୧୭ ଫେବୃଆରୀ ୧୬ରେ ସୁପ୍ରିମକୋର୍ଟଙ୍କ ପାଞ୍ଚ ଜଣିଆ ଖଣ୍ଡପୀଠ ମାମଲା ଶୁଣାଣି ଆରମ୍ଭ କରିଥିଲେ। ବିଭିନ୍ନ ସମୟରେ ମାମଲାକୁ ନେଇ ଜବାବ ରଖିବା ସହ ପକ୍ଷ ରଖିଥିଲା ମୁସଲିମ୍ ପର୍ସନାଲ୍ ଲ୍ ବୋର୍ଡ । ସେହିବର୍ଷ ମେ ୧୧ ତାରିଖରେ ଟ୍ରିପଲ୍ ତଲାକକୁ ନେଇ ଚିନ୍ତା ପ୍ରକଟ କରିଥିଲେ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ। ଏହାଦ୍ୱାରା ମହିଳାଙ୍କ ଅଧିକାର କ୍ଷୂର୍ଣ୍ଣ ହେଉଥିବା କହିଥିଲେ ବିଚାରପତି।
ଶେଷରେ ୨୦୧୭ ଅଗଷ୍ଟ ୨୨ ତାରିଖରେ ଐତିହାସିକ ରାୟ ଶୁଣାଇଥିଲେ ସୁପ୍ରିମକୋର୍ଟ। ଟ୍ରିପଲ୍ ତଲାକକୁ ଅବୈଧ ଏବଂ ଅସାମ୍ବିଧାନିକ ଦର୍ଶାଇଥିଲେ ସବୋର୍ଚ୍ଚ ଅଦାଲତ। ପ୍ରାୟ ୧୪ ଶହ ବର୍ଷ ଧରି ଚାଲି ଆସୁଥିବା ଏହି କୁପ୍ରଥା ଉପରେ ରୋକ ଲଗାଇବାକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ କୋର୍ଟ।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ର ସରକାର ଏହାକୁ ନେଇ ତତ୍ପରତା ପ୍ରକାଶ କରିଥିଲେ। ୨୦୧୭ ଡିସେମ୍ବର ୧୫ରେ ଏନେଇ ଏକ ଡ୍ରାଫ୍ଟ ପ୍ରସ୍ତୁତ ହୋଇଥିଲା। ସେହିମାସ ୨୮ ତାରିଖରେ ଟ୍ରିପଲ୍ ତଲାକକୁ ଅପରାଧିକ ମାମଲାରେ ଅନ୍ତର୍ଭୁକ୍ତ କରାଗଲା ।
ଲୋକସଭାରେ ଟ୍ରିପଲ୍ ତଲାକ ବିଲ୍ ପାସ ହୋଇଥିଲା । ତେବେ ବିଜେପିର ରାଜ୍ୟସଭାରେ ସଂଖ୍ୟା ଗରିଷ୍ଠତା ନ ଥିବାରୁ ବିଲ୍ ଅଟକି ରହିଛି। ହେଲେ ଏନେଇ ପରବର୍ତ୍ତୀ ସମୟରେ କୋହଳ ହୋଇଛନ୍ତି ସରକାର। ୨୦୧୮ ଅଗଷ୍ଟ ୯ରେ ବସିଥିବା କ୍ୟାବିନେଟ୍ ବୈଠକରେ ଟ୍ରିପଲ ତଲାକ ବିଲରେ ସଂଶୋଧନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ପକ୍ଷରୁ ମିଳିଥିଲା ମଞ୍ଜୁରୀ।
ଟ୍ରିପଲ୍ ତଲାକ ଅଭିଯୋଗ କ୍ଷେତ୍ରରେ ପତ୍ନୀ ଏବଂ ତାଙ୍କ ପରିବାର ଲୋକ ହିଁ କେବଳ ମାମଲା ଦାଏର କରିପାରିବେ ବୋଲି ଏଥିରେ ବ୍ୟବସ୍ଥା ରହିଛି । ଏହାସହ ଟ୍ରିପଲ୍ ତଲାକ୍ ଅଭିଯୁକ୍ତଙ୍କୁ ଜାମିନ୍ ମିଳିବା ନେଇ ମଧ୍ୟ ଆବଶ୍ୟକ ସଂଶୋଧନ କରାଯାଇଛି।
from OdishaReporter https://ift.tt/2AXFqw1
No comments:
Post a Comment